ଫନୀ’ ଆଁରେ ଚାଷ ଓ ଚାଷୀ: ଉଜୁଡ଼ିଛି ୧.୫୨ ଲକ୍ଷ ହେକ୍ଟର ଫସଲ

Spread the love

ଭୁବନେଶ୍ୱର, ୧୧/୫ (ସନ୍ଧାନ ନିୟୁଜ) :ବାତ୍ୟା ‘ଫନୀ’ ୧୪ ଜିଲାର ୬୮ ବ୍ଲକରେ ୧ ଲକ୍ଷ ୫୨ ହଜାର ୯୮୫ ହେକ୍ଟର ଫସଲ ଉଜାଡି ଦେଇଛି। ସେଥିରୁ ୩୬ ହଜାର ୮୯୮ ଜଳସେଚିତ ଓ ୭୨ ହଜାର ୭୮୬ ଅଣ ଜଳସେଚିତ ଜମିରେ ଶସ୍ୟ ହାନି ହୋଇଛି। ବାତ୍ୟା ମାଡରେ ୩୩ ପ୍ରତିଶତରୁ କମ ୧ ଲକ୍ଷ ୨୧ ହଜାର ୯୬୧ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଛି। ଏହାଛଡା ନଡିଆ, ଆମ୍ବ, କଦଳୀ, କାଜୁ, ପାନବରଜ ଓ ଅନ୍ୟାନ୍ୟ ବାରମାସି ଫସଲ ୧୨ ହଜାର ୭୭୭ ହେକ୍ଟର ନଷ୍ଟ ହୋଇଛି। ଏହି କ୍ଷତି ଭରଣା ପାଇଁ ୧୪୫.୪୫ କୋଟି ଟଙ୍କାର ଆବଶ୍ୟକତା ରହିଛି। କୃଷି ଓ ରାଜସ୍ବ ବିଭାଗ ଦ୍ୱାରା କରାଯାଇଥିବା ଯୁଗ୍ମ ପ୍ରାଥମିକ ଆକଳନ ରିପୋର୍ଟ ତଥ୍ୟରୁ ଏହା ଜଣାପଡିଛି।

ବାତ୍ୟା ମାଡରେ ଛାରଖାର ହୋଇଯାଇଥିବା ବିଦ୍ୟୁତ୍‌ ବ୍ୟବସ୍ଥାରେ ସୁଧାର ଆସିଛି। ଅନ୍ୟ ଜିଲାଗୁଡିକୁ ବିଦ୍ୟୁତ୍‌ ଯୋଗାଇ ଦିଆଯାଇଥିବା ବେଳେ ପୁରୀ ଓ ଖୋର୍ଦ୍ଧା ଜିଲାରେ ବିଦ୍ୟୁତ୍‌ ପୁନରୁଦ୍ଧାର କାର୍ଯ୍ୟ ଜୋରଦାର ଚାଲିଛି। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଭୁବନେଶ୍ୱରର ୮୦ ପ୍ରତିଶତ ଅଞ୍ଚଳରେ ବିଦ୍ୟୁତ୍‌ ସଂଯୋଗ ଦିଆଯିବ। ୧୨ ତାରିଖରେ ଭୁବନେଶ୍ୱର ସହରାଞ୍ଚଳର ସମସ୍ତ ଅଞ୍ଚଳକୁ ଶତ ପ୍ରତିଶତ ବିଦ୍ୟୁତ୍‌ ଯୋଗାଇ ଦିଆଯିବ। ଏଭଳି ପ୍ରତିଶ୍ରୁତି ଦେଇଛି ଶକ୍ତି ବିଭାଗ। ରାଜଧାନୀରେ ଗୁରୁବାର ସୁଦ୍ଧା ୮୭ ହଜାର ଉପଭୋକ୍ତାଙ୍କୁ ବିଦ୍ୟୁତ୍‌ ଯୋଗାଇ ଦିଆଯାଇଛି।

 ବାତ୍ୟା ଯୋଗୁ ପୁରୀ ସହରର ବିଦ୍ୟୁତ୍‌ ଭିତ୍ତିଭୂମି ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। ଏହାକୁ ସଜାଡିବାକୁ ଅନେକ ସମୟ ଲାଗି ଯିବ। ତେବେ ପୁରୀ ବଡଦାଣ୍ଡ ଓ ହସ୍ପିଟାଲକୁ ମେ ୧୨ ତାରିଖରେ ବିଦ୍ୟୁତ୍‌ ସଂଯୋଗ ହେବ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ସଚିବ ସଞ୍ଜୟ ସିଂ ସୂଚନା ଦେଇଛନ୍ତି।

Related Posts

About The Author

Add Comment