ଫନି: ୧୨ ହଜାର କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ନେଇ କେନ୍ଦ୍ରୀୟ ଟିମକୁ ଦିଆଗଲା ରିପୋର୍ଟ

Spread the love

ଭୁବନେଶ୍ୱର, ୧୬/୫ (ସନ୍ଧାନ ନିୟୁଜ) ସାମୁଦ୍ରିକ ଝଡ ଫନି ପ୍ରଭାବିତ ଅଞ୍ଚଳର କ୍ଷୟକ୍ଷତି ଆକଳନ କରିବାକୁ ଆସିଥିବା କେନ୍ଦ୍ରୀୟ ଟିମ ଦୁଇ ଦିନ ଧରି ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ଆଜି ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା କରିଛନ୍ତି। ବିଦ୍ୟୁତ ସେବା କ୍ଷେତ୍ରରେ କିଛି ନିୟମ ପରିବର୍ତ୍ତନ କରିବା ପାଇଁ କେନ୍ଦ୍ରକୁ ସୁପାରିସ କରାଯାଇଥିବାବେଳେ ପ୍ରାଥମିକ ଅନୁଧ୍ୟାନ ଅନୁଯାୟୀ ୧୨ ହଜାର କୋଟି ଟଙ୍କାର କ୍ଷୟକ୍ଷତି ଆକଳନ କରାଯାଇଛି ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି। ଫନି ଯୋଗୁଁ ପୁରୀ ଜିଲ୍ଲା ଅଧିକ କ୍ଷତିଗ୍ରସ୍ତ ହୋଇଛି। ସେହିଭଳି ବାକି ଅଂଚଳରେ ବି ବ୍ୟାପକ କ୍ଷୟ କ୍ଷତି ଘଟିଛି। କିନ୍ତୁ ରାଜ୍ୟ ସରକାର ଯେଉଁ ଗତିରେ କାମ କରିଛନ୍ତି ତାହା ନିଶ୍ଚୟ ପ୍ରଶଂସାଯୋଗ୍ୟ। ଭାରତ ସରକାର ସବୁବେଳେ ଓଡିଶା ସରକାରଙ୍କ ସାଥିରେ ଅଛନ୍ତି ବୋଲି ବାତ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନରେ ଆସିଥିବା କେନ୍ଦ୍ରୀୟ ଅଧିକାରୀ ମତବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ, ପ୍ରଥମ ଥର ପାଇଁ ଏଭଳି ହୋଇଛି, ଯେଉଁଥିରେ କି କୌଣସି ଆପଦକାଳୀନ ସ୍ଥିତିର ମାତ୍ର ୧୦ ଦିନ ମଧ୍ୟରେ କୌଣସି କେନ୍ଦ୍ରୀୟ ଦଳ ସ୍ଥିତି ଅନୁଧ୍ୟାନ ପାଇଁ ଆସିଛନ୍ତି। ଆମ ଟିମ୍ ଗତ ଦୁଇ ଦିନ ମଧ୍ୟରେ ବହୁ ଜାଗା ବୁଲି ଦେଖିଛନ୍ତି। ରାଜ୍ୟ ସରକାର ଲୋକଙ୍କୁ ତତ୍କାଳୀନ ରିଲିଫ୍ ସାମଗ୍ରୀ ଯୋଗାଇ ଦେଇଛି। ସେ ଖାଦ୍ୟ ପଦାର୍ଥ ହେଉ, କିମ୍ବା ଟଙ୍କା, କିମ୍ବା ରହିବା ପାଇଁ ବ୍ୟବସ୍ଥା, ଏସବୁକୁ ଦ୍ରୁତ ଗତିରେ କରିଛନ୍ତି। ଖାଲି ଏତିକି ନୁହେଁ, ଆଗକୁ କଣ କରାଯିବ, ସେ କାମରେ ବି ସରକାର ଲାଗି ପଡିଛନ୍ତି। କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ସଂପୂର୍ଣ୍ଣ ସହାୟତା କରିବେ ବୋଲି କହିଛନ୍ତି ବାତ୍ୟା ଅନୁଧ୍ୟାନ ପାଇଁ ଓଡିଶାଗସ୍ତରେ ଆସିଥିବା କେନ୍ଦ୍ରୀୟ ଅଧିକାରୀ। ସୂଚନାଯୋଗ୍ୟ- ଗତ ଦୁଇଦିନ ତଳେ ଆସିଥିବାକେନ୍ଦ୍ରୀୟ ଟିମର ସଦସ୍ୟମାନେ ବାତ୍ୟା ପୀଡିତ ପରିବାରମାନଙ୍କ ସହ ଆଲୋଚନା କରିଥିଲେ। ପ୍ରଥମ ଦିନରେ କେନ୍ଦ୍ରୀୟ ଟିମ୍ ଖୋର୍ଦ୍ଧା ଓ ପୁରୀରେ କ୍ଷୟକ୍ଷତି ଆକଳନ କରିଥିବା ବେଳେ ରାଜ୍ୟ ସରକାରଙ୍କ ବାତ୍ୟା ପ୍ରସ୍ତୁତି ଏବଂ ପରେ ପୁନରୁଦ୍ଧାର ପ୍ରକ୍ରିୟାକୁ ପ୍ରଶଂସା କରିଥିଲେ।

Related Posts

About The Author

Add Comment