ଭୁବନେଶ୍ଵର, ୩/୨/୨୦ (ସନ୍ଧାନ ନିଉଜ) : ପ୍ରଥମେ ଭଲ ପାଇବା। ତା’ପରେ ଶାରୀରିକ ସମ୍ପର୍କ। ବିବାହ କଥା ଉଠିବାରୁ ସବୁକିଛି ବଦଳିଗଲା। ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ପ୍ରେମିକାର ହାତଗୋଡ଼ ବାନ୍ଧି ଛୁ ମାରିଲା ପ୍ରେମିକ। ଏପରି ଘଟଣା ଅନୁଗୋଳ ନାଲକୋ ନଗର ଥାନା ଅନ୍ତର୍ଗତ ବଳରାମ ପ୍ରସାଦ ଗାଁ’ରେ ଘଟିଛି। ୧୨ ଘଣ୍ଟା ପରେ ଯୁବତୀ ଜଣଙ୍କୁ ପୋଲିସ ଉଦ୍ଧାର କରିଥିବା ଜଣାପଡିଛି।
ଖବର ଅନୁଯାୟୀ ବଳରାମପ୍ରସାଦ ଗାଁର ପଞ୍ଚାୟତ ଅଫିସ୍ ପରିସରରେ ଥିବା ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ପିଅନ ଭାବେ କାମ କରୁଥିବା ଚକ୍ରଧର ମହାପାତ୍ର। ତାଙ୍କୁ ଭଲ ପାଉଥିଲେ ଜଣେ ଯୁବତୀ। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ପ୍ରାୟ ୧୦ ବର୍ଷର। ଶାରୀରିକ ସମ୍ପର୍କ ମଧ୍ୟ ଥିଲା। ହେଲେ ଚକ୍ରଧର ତାଙ୍କୁ ଧୋକ୍କାଦେଇ ଅନ୍ୟତ୍ର ବିବାହ କରିବା ଯୋଜନା କରିଥିବା ଯୁବତୀ ଜାଣିବା ପରେ ଅସନ୍ତୋଷ ପ୍ରକାଶ କରିଥିଲେ।
ଗତକାଲି ଚକ୍ରଧର ଯୁବତୀଙ୍କୁ ରାଜୀବ ଗାନ୍ଧୀ ସେବା କେନ୍ଦ୍ରକୁ ଡାକିଥିଲେ। ସକାଳ ପାୟ ୮ଟା ସମୟରେ ଯୁବତୀ ସେଠାରେ ପହଞ୍ଚି ଚକ୍ରଧରଙ୍କୁ ଅନ୍ୟତ୍ର ନିର୍ବନ୍ଧ ହୋଇଥିବା କଥା ପଚାରିଥିଲେ। ସେ ସବୁ ମିଛ ବୋଲି କହିଥିଲେ ହେଲେ ଚକ୍ରଧର। ଆଉ ଦାବି କରିଥିଲା ୫ଲକ୍ଷ ଟଙ୍କା ଯୌତୁକ ଦେଲେ ତୁମକୁ ବିବାହ କରିବି। କିନ୍ତୁ ଏତେ ଟଙ୍କା ପରିବାର ଲୋକେ ଦେଇ ପାରିବେନି ଯୁବତୀ ଜଣଙ୍କ କହିବାରୁ ଉତ୍କ୍ଷିପ୍ତ ହୋଇଥିଲା ଚକ୍ରଧର। ଯୁବତୀଙ୍କ ହାତଗୋଡ଼ ବାନ୍ଧି ମୁହଁରେ କପଡ଼ା ଦେଇ ଜୋରଜବରଦସ୍ତି ଶାରୀରିକ ସମ୍ପର୍କ ରଖିଥିଲା।