ଭୋଗରାଇ, 09.02.2021(ସନ୍ଧାନ ନିଉଜ୍ / ଲିଙ୍ଗରାଜ ପଣ୍ଡା):- ଚାଲିଛି ପ୍ରେମ ସପ୍ତାହ । ପ୍ରେମୀ ଯୁଗଳମାନେ ଏହି ସପ୍ତାହକୁ ଅତି ଆନନ୍ଦରେ ପାଳନ କରୁଛନ୍ତି । କିଏ ଗୋଲପ ଦେଉଛି ତ କିଏ ଚକୋଲେଟ୍ ଦେଇ ମନର କଥା କହୁଛନ୍ତି । ପ୍ରେମ ନିବେଦନ ମଧ୍ୟ କରୁଛନ୍ତି । ସବୁଦିନ ସାଥି ହୋଇ ଗୋଟିଏ ରାସ୍ତାରେ ହାତ ଧରାଧରି ହୋଇ ପଥିକ ହେବେ ବୋଲି କଥା ଦେଉଛନ୍ତି । ଏହି ସମୟରେ କିନ୍ତୁ ବାଲେଶ୍ୱର ଜିଲ୍ଲା ବାଲିଆପାଳ ନୂଆଗାଁରେ କିଛି ବିପରୀତ ଦୃଶ୍ୟ ଦେଖିବାକୁ ମିଳିଛି । ପ୍ରେମିକକୁ ପାଇବା ପାଇଁ ଜିଦ୍ ଧରି ବସିଛି ପ୍ରେମିକା । ପ୍ରେମିକର ଘର ଆଗରେ ଦେଇଛି ଧାରଣା । ସୂଚନାନୁସାରେ, ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ନୂଆଗାଁ ଗ୍ରାମର ଜଣେ ଯୁବକଙ୍କର ଜଗତିପୁର ପଞ୍ଚୟତର ଅଣ ଦେଉଳା ଗ୍ରାମର ଜଣେ ଯୁବତୀଙ୍କ ସହ ବନ୍ଧୁତା ହୋଇଥିଲା । ଫେସବୁକରେ ଆରମ୍ଭ ହୋଇଥିବା ଏହି ବନ୍ଧୁତା ଧିରେ ଧିରେ ପ୍ରେମର ରୂପ ନେଇଥିଲା । ଏହାପରେ ଏହା ଗଭୀର ହେବାରେ ଲାଗିଥିଲା । ଧିରେ ଧିରେ ଅନ୍ତରଙ୍ଗତା ଏତେ ବୃଦ୍ଧି ପାଇଥିଲା ଯେ ଉଭୟ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ । ପ୍ରେମିକାକୁ ବାହା ହେବ ବୋଲି କଥା ଦେଇଥିଲା ପ୍ରେମିକ । ଦୀର୍ଘ ୨ ବର୍ଷ ଧରି ରହିଥିବା ଏହି ସମ୍ପର୍କ ବିଗିଡିବାରେ ଲାଗିଲା । ଯୁବତୀ ଜଣଙ୍କ ବିବାହ ପାଇଁ ଜିଦ୍ କରିଥିଲେ । କିନ୍ତୁ ଏଥିରେ ପ୍ରେମିକ ଜଣଙ୍କ ଅରାଜି ଥିଲେ । ବାହା ହୋଇପାରିବ ନାହିଁ ବୋଲି ରୋକ୍ଠୋକ୍ ଶୁଣାଇଦେଲା । ଧିରେ ଧିରେ କଥାବାର୍ତ୍ତା ବି ବନ୍ଦ କରିଦେଲା । କିନ୍ତୁ ପ୍ରେମିକକୁ ପାଇଦା ଜିଦ୍ ଛାଡିନଥିଲେ ପ୍ରେମିକା । ଶେଷରେ କିଛି ଉପାୟ ନପାଇ ପ୍ରେମିକର ଘର ଆଗରେ ଧାରଣାରେ ବସିଲେ । ପ୍ରେମ ଓ ପ୍ରେମିକକୁ ପାଇବା ପାଇଁ ରାତିସାରା ନଖାଇ ନପିଇ ଯୁବକଙ୍କ ଘର ସାମ୍ନାରେ ଧାରଣାରେ ବସିଛନ୍ତି ଯୁବତୀ । ତେବେ ପ୍ରେମିକ ଜଣଙ୍କ ଘରୁ ଫେରାର ହୋଇଯାଇଥିବା ଜଣାପଡିଛି । ଶେଷରେ ନ୍ୟାୟ ନପାଇ ବାଲିଆପାଳ ଥାନାରେ ଫୋନ୍ ଯୋଗେ ଅଭିଯୋଗ କରିଛନ୍ତି ଯୁବତୀ । ତେବେ ପ୍ରେମିକକୁ ନପାଇବା ଯାଏଁ ସେ ଧାରଣାରୁ ହଟିବେ ନାହିଁ ବୋଲି ଯୁବତୀ କହିଛନ୍ତି ।
ପ୍ରେମିକକୁ ପାଇବା ପାଇଁ ଜିଦ୍ ଧରି ବସିଛି ପ୍ରେମିକା
|
February 9, 2021 |
