ପ୍ରସବ କଷ୍ଟ ଠାରୁ ଭାରି ପଢିଲା ବଳତ୍କାରର କଷ୍ଟ; ନିଆଁ ପାଣି ବାସନ୍ଦ କଲେ ଗ୍ରାମବାସୀ

Spread the love
କେନ୍ଦୁଝର, ୧୭ /୦୧/୨୦୨୦ (ସନ୍ଧାନ ନିଉଜ)  ୧୦ ମାସ ତଳେ ନିଜ ଦାଦା ପୁଅ ଭାଇ ଦ୍ୱାରା ଦୁଷ୍କର୍ମର ଶିକାର ହାଇଥିଲେ । ଅଭିଯୁକ୍ତ ଦାଦା ପୁଅ ଭାଇ ନାବାଳକ ଥିବାରୁ ପୁଲିସ ରାଉରକେଲାସ୍ଥିତ ବାଳାଶ୍ରମକୁ ପଠାଇଦେଲା । ହେଲେ ଭାଇ କୁକର୍ମର ପରିଣାମ ଭୋଗିବାକୁ ପଡୁଛି ଦୁଷ୍କର୍ମର ଶିକାର ନାବାଳିକା ଭଉଣୀକୁ । ୮ ଦିନ ତଳେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସନ୍ତାନ ଜନ୍ମ ଦେବା ପରେ ନାବାଳିକାର ପରିବାରକୁ ଗାଁଲୋକ ନିଆଁପାଣି ବାସନ୍ଦ କରିଛନ୍ତି । ଖାଲି ସେତିକି ନୁହେଁ ନାବାଳିକାକୁ ଗାଧୁଆ ତୁଠ ମନା ହୋଇଛି । ଘରୁ ବାହାରକୁ ବହାରିବା ପାଇଁ ଦିଆଯାଉନାହିଁ । ଖୋଦ୍‌ ଅଭିଯୁକ୍ତର ପରିବାର ନାବାଳିକାଙ୍କୁ ଅକଥନୀୟ ମାନସିକ ନିର୍ଯାତନା ଦେଉଛନ୍ତି । ଏପରିକି ସନ୍ତାନକୁ ଧରି ଡାକ୍ତରଖାନାରୁ ଫେରିବା ପରେ ଅଭିଯୁକ୍ତର ପରିବାର ତାଙ୍କୁ ଟେକା, ପଥର ମାରିଥିଲେ । ଏ ସମ୍ପର୍କରେ ନାବାଳିକାର ପରିବାର ଡାକ୍ତରଖାନା ପରିସରରେ ରହିଥିବା ୱାନ ଷ୍ଟପ ସେଣ୍ଟର (ସଖୀ) ପ୍ରଶାସିକା ଐଶ୍ୱର୍ଯ୍ୟା ଦାସଙ୍କୁ ଜଣାଇଛନ୍ତି । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା  ଅଞ୍ଚଳରେ ପୀଡ଼ିତାଙ୍କ ଘର । ନାବାଳିକା ଜଣକ ଘଟଗାଁ ବ୍ଲକ୍‌ ପଲାଣଘାଟି ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢ଼ିବା ସହ ବେଳେବେଳେ ଛେଳି ମଧ୍ୟ ଚଳାଉଥିଲା । ଯାହାର ସୁଯୋଗ ନେଇ ତାର ଦାଦା ପୁଅ ଭାଇ ଜଙ୍ଗଲରେ ଦୁଷ୍କର୍ମ କରିଥିଲା । ଏକଥା କାହା ଆଗରେ ପ୍ରକାଶ କଲେ ଜୀବନରେ ମାରି ଦେବାକୁ ଧମକ ଦେଇଥିଲା । ନାବାଳିକା ଜଣକ ଘରକୁ ଫେରି କାହାରିକୁ କିଛି ଜଣାଇନଥିବାବେଳେ ଘଟଣାର ୪ ମାସ ପରେ ଶରୀରରେ ଅସ୍ୱାଭାବିକ ପରିବର୍ତ୍ତନ ପରିଲକ୍ଷିତ ହେବାରୁ ନାବାଳିକାଙ୍କ ମା’ ଏ ସମ୍ବନ୍ଧରେ ପଚାରିଥିଲେ । ପରେ ନାବାଳିକା ଜଣକ ଗର୍ଭବତୀ ଥିବା ଜଣାପଡ଼ିଥିଲା । ନାବାଳିକାଙ୍କ ବାପା ଏ ସମ୍ବନ୍ଧରେ ଜାଣିବା ପରେ ୨୦୧୯ ଅଗଷ୍ଟ ୮ରେ ଘଟଗାଁ ଥାନାରେ ଲିଖିତ ଏତଲା ଦେଇଥିଲେ । ଏତଲା ଆଧାରରେ ଘଟଗାଁ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ନାବାଳକ ଭାଇକୁ ରାଉରକେଲାସ୍ଥିତ ବାଳାଶ୍ରମକୁ ପଠାଇଥିଲା ।
ଗତ ୬ ତାରିଖରେ ପୀଡ଼ିତା ନାବାଳିକା ଜଣଙ୍କୁ ଗର୍ଭ ଯନ୍ତ୍ରଣା ହେବାରୁ ପରିବାର ଲୋକେ କେନ୍ଦୁଝର ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ଏବଂ ନାବାଳିକା ଜଣକ ସେଠାରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ୮ ତାରିଖରେ ନବଜାତ ପୁତ୍ର ସହ ଡାକ୍ତରଖାନାରୁ ପୀଡ଼ିତା ଜଣକ ନିଜ ଘରକୁ ଯାଇଥିଲେ । ହେଲେ ଘରକୁ ପହଞ୍ଚିବା ପରେ ତାଙ୍କର ଦୁର୍ଦ୍ଦଶା ବଢ଼ି ଯାଇଛି । ସନ୍ତାନକୁ ମାରି ନଦେଇ କାହିଁକି ଗାଁକୁ ଆଣିଲୁ ବୋଲି କହିବା ସହିତ ନାବାଳିକାଙ୍କ ଉପରକୁ ଅଭିଯୁକ୍ତର ମା’ ଟେକା ପଥର ଫିଙ୍ଗିଥିବାବେଳେ ତାଙ୍କୁ ଗାଁ ପୋଖରୀରେ ଗାଧେଇବା ପାଇଁ ବାରଣ କରାଯାଇଛି । ସୋମବାର ତାଙ୍କ ପରିବାରକୁ ନିଆଁ ପାଣି ବାରଣ କରାଯାଇଛି । ଏପରିକି ନଳକୂଅରୁ ପିଇବା ପାଣି ମଧ୍ୟ ସଂଗ୍ରହ କରିବାକୁ ଦିଆଯାଉନାହିଁ । ୱାନ ଷ୍ଟପ ସେଣ୍ଟରକୁ ଏ ସମ୍ବନ୍ଧରେ ଜଣାଇଛନ୍ତି ପୀଡ଼ିତା ନାବାଳିକା ଏବଂ ତାଙ୍କ ପରିବାର । ୱାନ ଷ୍ଟପ ସେଣ୍ଟର ପକ୍ଷରୁ ଏ ସମ୍ବନ୍ଧରେ ଘଟଗାଁ ଥାନାକୁ ସୂଚନା ଦିଆଯାଇଛି । ଆସନ୍ତାକାଲି ପୀଡ଼ିତାଙ୍କ ଗ୍ରାମକୁ ଗସ୍ତ କରି ଘଟଣାର ଅନୁଧ୍ୟାନ କରିବା ସହ ସବୁ ପ୍ରକାର ସୁରକ୍ଷା ଯୋଗାଇ ଦେବାର ବ୍ୟବସ୍ଥା କରାଯିବ ବୋଲି ୱାନଷ୍ଟପ ସେଣ୍ଟର ପ୍ରଶାସିକା ଶ୍ରୀମତୀ ଦାସ ସୂଚନା ଦେଇଛନ୍ତି ।

Related Posts

About The Author

Add Comment