ପ୍ରବାସୀ ଓଡ଼ିଆମାନଙ୍କୁ ନାମ ପଞ୍ଜିକରଣ କରିବାକୁ ପଡିବ

Spread the love

ଭୁବନେଶ୍ୱର ୨୨/୦୪ (ସନ୍ଧାନ ନିଉଜ) : ଯେଉଁ ପ୍ରବାସୀ ଓଡ଼ିଆମାନେ ଓଡ଼ିଶାକୁ ଫେରିବାକୁ ଚାହୁଁଛନ୍ତି ସେମାନଙ୍କୁ ରାଜ୍ୟ ସରକାରଙ୍କ ପୋର୍ଟାଲରେ ନାମ ପଞ୍ଜିକରଣ କରିବାକୁ ପଡ଼ିବ। ସେମାନେ ନ ପାରିଲେ ତାଙ୍କ ପରିବାର ଲୋକେ ମଧ୍ୟ ପଞ୍ଜିକରଣ କରିପାରିବେ। ବିନା ପଞ୍ଜିକରଣରେ କୌଣସି ପ୍ରବାସୀ ଓଡ଼ିଆ ଘରକୁ ଆସିପାରିବେ ନାହିଁ। ଆଜି ଏହି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ବିଭାଗ ପ୍ରମୁଖ ସଚିବ ଦେଓରଞ୍ଜନ କୁମାର ସିଂହ।

 ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସିଂହ କହିଲେ ଅନ୍ୟ ରାଜ୍ୟରେ ଥିବା ଓଡ଼ିଆ ଭାଇ-ଭଉଣୀମାନଙ୍କୁ ଆଣିବା ପାଇଁ ରାଜ୍ୟ ସରକାର ବ୍ୟାପକ ଯୋଜନା କରୁଛନ୍ତି। କିନ୍ତୁ ସେମାନେ ନିଜ ଭିଟାମାଟିକୁ ଫେରିବା ପୂର୍ବରୁ ଅନଲାଇନ ହେଉ ବା ଅଫଲାଇନ ହେଉ ପଞ୍ଜିକରଣକୁ ବାଧ୍ୟତାମୂଳକ କରାଯାଇଛି। ରାଜ୍ୟ ସରକାର ଏକ ପୋର୍ଟାଲ ଖୋଲିବାକୁ ଯାଉଛନ୍ତି। ଏହି ପୋର୍ଟାଲ ଏପ୍ରିଲ ୨୪ (ଶୁକ୍ରବାର) ଠାରୁ କାମ କରିବ। ସେ କହିଲେ ସରପଞ୍ଚମାନଙ୍କୁ ନେଇ ଭିଡିଓ କନଫରେନ୍ସିଂ ଜରିଆରେ ଏକ ବୈଠକ ହୋଇଥିଲା। ସେଥିରେ ମୁଖ୍ୟମନ୍ତ୍ରୀ ସରପଞ୍ଚମାନଙ୍କ ସହିତ ସିଧାସଳଖ କଥାବାର୍ତ୍ତା କରିଥିଲେ। ଜିଲ୍ଲାପାଳ, ଏସ୍‌ପି ଓ ଅନ୍ୟ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ।ସେ କହିଲେ ଓଡିଶାର ପ୍ରାୟ ୭ ଲକ୍ଷ ୫୦ ହଜାର ଓଡ଼ିଆ ଭାଇ-ଭଉଣୀ ବାହାର ରାଜ୍ୟରେ ଅଛନ୍ତି। ଲକ୍‌ଡାଉନ ପରେ ସେମାନେ ଘରକୁ ଫେରିବା ପାଇଁ ବ୍ୟାକୁଳ ହେଉଛନ୍ତି। କିନ୍ତୁ ବିନା ପଞ୍ଜିକରଣରେ ଆସିପାରିବେ ନାହିଁ। ରାଜ୍ୟ ସରକାର ସେମାନଙ୍କ ଆସିବା ପାଇଁ ବ୍ୟବସ୍ଥା କରିବେ। ତେଣୁ ରାଜ୍ୟ ସରକାରଙ୍କ ପୋର୍ଟାଲରେ ନାମ ପଞ୍ଜିକରଣ କରିବାକୁ ପଡ଼ିବ। ଯେଉଁ ଓଡ଼ିଆମାନେ ଏଠାକୁ ଆସିବେ ସେମାନଙ୍କୁ ଗ୍ରାମପଞ୍ଚାୟତ ଅଧିକାରୀ ଓ ବ୍ଲକ ଅଧିକାରୀମାନେ ସହଯୋଗ କରିବେ। ସେମାନଙ୍କ ପାଇଁ ଗ୍ରାମପଞ୍ଚାୟତରେ ସ୍ୱାସ୍ଥ୍ୟକେନ୍ଦ୍ର ବ୍ୟବସ୍ଥା କରାଯାଇଛି। ସେଠାରେ ୧୪ଦିନ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ। ଖାଇବା, ରହିବା ପାଇଁ ବ୍ୟବସ୍ଥା କରାଯାଇଛି। ତେଣୁ କୌଣସି ଅସୁବିଧା ନାହିଁ।

Related Posts

About The Author

Add Comment