ପଣ୍ଡିଚେରୀ, ୧୫ /୧୨ (ସନ୍ଧାନ ନିୟୁଜ) ଇଣ୍ଡିଆନ ରିଉମାଟୋଲୋଜି ଆସୋସିଏସନର ବାର୍ଷିକ କନ୍ଫରେନ୍ସ ୨୦୧୯ ଚଳନ୍ତି ମାସ ଡିସେମ୍ବର ୬ ରୁ ୮ ତାରିଖ ମଧ୍ୟରେ ପଣ୍ଡିଚେରୀଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କନ୍ଫରେନ୍ସରେ କଟକ ଏସ.ସି. ବି. ମେଡିକାଲର ଭେଷଜ ବିଭାଗର ପିଜି ଛାତ୍ର ଡାକ୍ତର ସିଦ୍ଧାର୍ଥ ଶତପଥି ଏବଂ ଡାକ୍ତର ଲଭିନା ପଟ୍ଟନାୟକ “ପ୍ରଫେସର ଏସ୍. ଡି. ଦେଓଧର କୁଇଜ” ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ସୂଚନାଯୋଗ୍ୟ ଯେ ଏହି କୁଇଜ ପ୍ରତିଯୋଗିତା ସର୍ବ ଭାରତୀୟ ସ୍ତରରେ ଅନୁଷ୍ଠିତ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇ ଡାକ୍ତର ସିଦ୍ଧାର୍ଥ ଏବଂ ଡାକ୍ତର ଲଭିନା ଜୋନାଲ ସ୍ତର ପାଇଁ କୋଲକାତା ଯାଇଥିଲେ । ସେଠାରେ “ପୂର୍ବ -ଜୋନାଲ” ସ୍ତରରେ ସଫଳ ହୋଇ ଜାତୀୟ ସ୍ତରରେ ଭାଗ ନେବାରେ ସୁଯୋଗ ପାଇଥିଲେ । ପଣ୍ଡିଚେରୀରେ ଅନୁଷ୍ଠିତ ଏହି ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଉଭୟ ନିଜର ଦକ୍ଷତା ପ୍ରଦର୍ଶନ କରି ଭାରତର ଅନ୍ୟ ଜୋନ ମାନଙ୍କରୁ ଆସିଥିବା ପାଞ୍ଚଟି କଲେଜକୁ ହରାଇ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଏହି କୃତିତ୍ୱ ହାସଲ କରି ସେମାନେ ଏସ୍.ସି. ବି. ମେଡିକାଲ ସମେତ ସାରା ଓଡିଶା ପାଇଁ ଏକ ଗୌରବମୟ ମୁହୂର୍ତ୍ତ ସୃଷ୍ଟି କରିଛନ୍ତି । ଏହି ଗୌରବମୟ କୃତିତ୍ୱ ପାଇଁ ଉଭୟ ଛାତ୍ର ରିଉମାଟୋଲୋଜି ବିଭାଗର ମୁଖ୍ୟ ବିଶେଷଜ୍ଞ ଡାକ୍ତର ବିଦ୍ୟୁତ ଦାସ ଏବଂ ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ସୌମ୍ୟ ରଞ୍ଜନ ତ୍ରିପାଠୀଙ୍କୁ ଧନ୍ୟବାଦ ଦେବା ସହିତ ତାଙ୍କର ଶିକ୍ଷାଦାନ ଏବଂ ପ୍ରେରଣାକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ।
ଏହି କୁଇଜ ପ୍ରତିଯୋଗିତା ବିଗତ ୧୦ ବର୍ଷରୁ ଅନୁଷ୍ଠିତ ହୋଇଆସୁଛି । ପୂର୍ବରୁ ଏସ୍.ସି.ବି. ମେଡିକାଲର ଛାତ୍ର ଚାରିଥର ଜାତୀୟ ସ୍ତରରେ ପହଞ୍ଚିଥିଲେ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରିବାର ସୁଯୋଗ ପାଇନଥିଲେ । ଏହି ବିଜୟଟି ଏସ୍.ସି. ବି.ର ଅନ୍ୟ ସମସ୍ତ ବିଭାଗକୁ ଏକ ପ୍ରେରଣାଦାୟକ ଭାବରେ ଉତ୍ସାହିତ କରିବାରେ ସାହାଯ୍ୟ କରିବ । By – Rosa Panda