ପ୍ରଧାନମନ୍ତ୍ରୀଙ୍କ ବାତ୍ୟା ୟାସ ସମିକ୍ଷ୍ୟ, ଓଡିଶାକୁ ୫୦୦ କୋଟି ସହାୟତା ପ୍ରଦାନ

Spread the love

ଭୁବନେଶ୍ୱର, 28/05/2021 (ସନ୍ଧାନ ନିଉଜ ) : ଓଡିଶାକୁ ୫ ଶହ କୋଟି ଟଙ୍କାର ବାତ୍ୟା ସହାୟତା ଘୋଷଣା କରାଯାଇଛି । ବାତ୍ୟା ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାତ୍ୟା ପାଇଁ ମୋଟ ହଜାରେ କୋଟିର ସହାୟତା ଘୋଷଣା କରାଯାଇଛି । ବାକି ୫୦୦ କୋଟି ପଶ୍ଚିମବଙ୍ଗ ଓ ଝାଡଖଣ୍ଡ ପାଇଁ ଘୋଷଣା ହୋଇଛି । ବାତ୍ୟାରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ବି ଘୋଷଣା ହୋଇଛି । ଗୁରୁତର ଆହତଙ୍କୁ ୫୦ ହଜାର ଟଙ୍କା ଘୋଷଣା ହୋଇଛି । ତେବେ କ୍ଷୟକ୍ଷତି ଆକଳନ ପାଇଁ କେନ୍ଦ୍ରୀୟ ଟିମ ଆସିବ । ଓଡିଶା ସମେତ ପ୍ରଭାବିତ ରାଜ୍ୟକୁ ଆନ୍ତଃମନ୍ତ୍ରାଳୟ ଟିମ ଆସିବ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏନେଇ ଘୋଷଣା କରାଯାଇଛି ।

ଓଡ଼ିଶାରେ ବାତ୍ୟା ‘ୟାସ’ର କ୍ଷୟକ୍ଷତି ନେଇ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦି । ଉଦ୍ଧାର କାର୍ଯ୍ୟଠାରୁ ଆରମ୍ଭ କରି କ୍ଷୟକ୍ଷତିର ରିପୋର୍ଟ ଉପସ୍ଥାପନ କଲେ ରାଜ୍ୟ ସରକାର ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସ୍ୱତନ୍ତ୍ର ବିମାନରେ ଆସି ପହଂଚିଥିଲେ ଭୁବନେଶ୍ୱର ବିମାନବନ୍ଦରରେ । ସେହି ବିମାନବନ୍ଦର ପରିସରରେ ହିଁ ବାତ୍ୟା ‘ୟାସ’ର ସମୀକ୍ଷା ବୈଠକ ପାଇଁ ଆୟୋଜନ କରାଯାଇଥିଲା । ରାଜ୍ୟ ସରକାରଙ୍କ ବାତ୍ୟା ପୂର୍ବ ପ୍ରସ୍ତୁତି ଯୋଗୁଁ ଅନେକ ଧନଜୀବନ କିଭଳି ସୁରକ୍ଷିତ କରାଗଲା, କିଭଳି ରୋଡ଼ ମ୍ୟାପ ପ୍ରସ୍ତୁତ କରାଯାଇଥିଲା, କିଭଳି ଯୁଦ୍ଧ କାଳୀନ ଭିତ୍ତିରେ ଲୋକଙ୍କୁ ଉଦ୍ଧାର କରାଯାଇଥିଲା ସେନେଇ ସମସ୍ତ ତଥ୍ୟ ଦେଲେ ରାଜ୍ୟ ସରକାର ।

ଏହି ସମୀକ୍ଷା ବୈଠକରେ ୮ ମିନିଟର ଏକ ଭିଡ଼ିଓ ପ୍ରଦର୍ଶନ କରାଯାଇଥିଲା । ଯେଉଁଥିରେ ବାତ୍ୟାରେ କିଭଳି ସ୍ଥିତି ଥିଲା ଓ କଣ ପ୍ରଭାବ ପକାଇଛି ତାହା ଦର୍ଶାଯାଇଥିଲା । ଓଡ଼ିଶା ବାରମ୍ବାର ବାତ୍ୟା ଦ୍ୱାରା ପ୍ରଭାବିତ ହେଉଥିବାରୁ ଏକ ଦୀର୍ଘ ମିଆଦି ବ୍ୟବସ୍ଥା ପାଇଁ ସହାୟତା କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଦାବି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯେଉଁଥିରେ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡିକର ସୁରକ୍ଷା ପାଇଁ ଏକ ଦୀର୍ଘସ୍ଥାୟୀ ବ୍ୟବସ୍ଥା କରାଯିବ । ତତ ସଂଗେ ସଂଗେ ବାତ୍ୟା ଦ୍ୱାରା ବାରମ୍ବାର ବିଦ୍ୟୁତ ଯୋଗାଣ ପ୍ରଭାବିତ ହେଉଥିବାରୁ ପ୍ରଭାବିତ ହେଉଥିବା ଅଞ୍ଚଳ ଗୁଡିକରେ ଉନ୍ନତ ଟେକ୍ନୋଲୋଜି ବ୍ୟବହାର କରି ଅଣ୍ଡରଗ୍ରାଉଣ୍ଡ କେବୁଲ କରିବାକୁ ଦାବି ହୋଇଛି ।

ବାତ୍ୟାର କ୍ଷୟକ୍ଷତି ବାବଦକୁ କୌଣସି ସହାୟତା ରାଜ୍ୟ ସରକାରଙ୍କ ପକ୍ଷରୁ ମଗାଯାଇନାହିଁ । ବାତ୍ୟା କ୍ଷୟକ୍ଷତିର ଭରଣା ନିଜେ ରାଜ୍ୟ ସରକାର କରିବେ । ବାତ୍ୟାରେ କଣ କ୍ଷୟକ୍ଷତି ହୋଇଛି ତାହାର ଆକଳନ ଚାଲିଛି ଏବଂ ୭ ଦିନ ମଧ୍ୟରେ ଏହାର ରିପୋର୍ଟ ଜଣାଯିବ ବୋଲି ଏସଆରସି ସୂଚନା ଦେଇଛନ୍ତି ।

ଏହି ସମୀକ୍ଷା ବୈଠକରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଡିଜିପି ଅଭୟ ଓ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନାଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

ସମୀକ୍ଷା ବୈଠକ ପରେ ବାତ୍ୟାରେ ସର୍ବାଧିକ ପ୍ରଭାବିତ ହୋଇଥିବା ବାଲେଶ୍ୱର ଓ ଭଦ୍ରକର ସ୍ଥିତି ଆକାଶ ମାର୍ଗରୁ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ପରେ ପ୍ରଧାନମନ୍ତ୍ରୀ ପଶ୍ଚିମବଂଗ ଯାଇ ସେଠାରେ ମଧ୍ୟ ବାତ୍ୟା ସ୍ଥିତି ଅନୁଧ୍ୟାନ କରିବେ ବୋଲି ସୂଚନା ମିଳିଛି ।

Related Posts

About The Author

Add Comment