ରାଇରଙ୍ଗପୁର, ୦୭.୦୨.୨୦୨୧(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):- ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଗୁଣ୍ଡୁରିଆ ଠାରେ ଆଦିମ ଜନଜାତି ଆଦିବାସୀ ସଂପ୍ରଦାୟ ପକ୍ଷରୁ ପାଳିତ ହୋଇଯାଇଛି ଶହୀଦ ଦିବସ। ଶହୀଦ ଆଦିବାସୀମାନଙ୍କୁ ସ୍ମରଣ କରିବା ପାଇଁ ପ୍ରତ୍ୟେକ ବର୍ଷ ଭଳି ଏ ବର୍ଷ ମଧ୍ୟ ଆଦିବାସୀ ସଂପ୍ରଦାୟ ତରଫରୁ ପାଳନ କରାଯାଇଛି ଶହୀଦ ଦିବସ। ସୂଚନା ଥାଉ କି ମୟୁରଭଞ୍ଜ ଗଡ଼ଜାତ ରାଜ୍ୟର ମିଶ୍ରଣକୁ ବିରୋଧ କରି ଆଦିବାସୀ ମହାସଭା ତରଫରୁ ୧୯୪୯ ମସିହା ଫେବୃଆରୀ ୬ ତାରିଖରେ ଗୁଣ୍ଡୁରିଆ ଠାରେ ଏକ ବିଶାଳ ଶୋଭାର ଆୟୋଜନ କରାଯାଇଥିଲା। ଆଦିବାସୀ ସଂପ୍ରଦାୟର ଲୋକେ ଓଡ଼ିଶାରେ ମୟୁରଭଞ୍ଜର ମିଶ୍ରଣକୁ ବିରୋଧ କରି ସ୍ଵତନ୍ତ୍ର “ଦିଶୋମ ରାଜ୍ୟ”ଘୋଷଣା କରିବାକୁ ତତ୍କାଳୀନ ମୂଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ ସରକାରଙ୍କ ନିକଟରେ ଦାବି କରିଥିଲେ। ଓଡ଼ିଶା ସହିତ ନ ମିଶିବା ନେଇ ଆଦିବାସୀ ମହାସଭାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜୈପାଲ ସିଂ ଓ ସମ୍ପାଦକ ସୁନାରାମ ସୋରେନଙ୍କ ନେତୃତ୍ୱରେ ମୟୁରଭଞ୍ଜ ଜିଲ୍ଲାର କୋହ୍ଲ, ସାନ୍ତାଳ, ଭୂମିଜ, ଧରୁଆ, ହୋ, ବାଥୁଡି, ଭୁଇୟାଁ, ଲୋଧା ଖାଡିଆ ଏବଂ ଅନ୍ୟାନ୍ୟ ଜନଜାତି ସମ୍ପ୍ରଦାୟର ଲୋକେ ଆନ୍ଦୋଳନକୁ ତୀବ୍ରତର କରିଥିଲେ। ଏ ନେଇ ଗୁଣ୍ଡୁରିଆ ଠାରେ ଏକ ବିଶାଳ ଶୋଭାର ଆୟୋଜନ କରାଯାଇ ଅସଂଖ୍ୟ ସଂଖ୍ୟାରେ ଆଦିବାସୀ ସଂପ୍ରଦାୟର ଲୋକେ ଯୋଗ ଦେଇଥିଲେ। ତେବେ କୌଣସି କାରଣବଶତଃ ତତ୍କାଳୀନ ପ୍ରଶାସନ ତରଫରୁ ନିରୀହ ଆଦିବାସୀଙ୍କ ଉପରେ ଗୁଳିବର୍ଷଣ କରିଥିଲା ପୋଲିସ। ଏଥିରେ ପ୍ରାୟ ଶତାଧିକ ଲୋକ ମୃତ୍ୟୁ ବରଣ କରିଥିଲେ। ଦୀର୍ଘ ୭୦ବର୍ଷ ହେଲା ପୋଲିସ ଗୁଳିରେ ଆଖି ବୁଜିଥିବା ଆଦିବାସୀ ଘଟଣା ଆଜି ବି ମନରୁ ଲିଭି ପାରୁନି। ତେବେ ଆଦିବାସୀ ସଂପ୍ରଦାୟର ଲୋକେ ଗୁଳିକାଣ୍ଡ ସ୍ଥଳ ଗୁଣ୍ଡୁରିଆ ଠାରେ ଏକତ୍ରିତ ହୋଇ ଏକ ଶୋଭାଯାତ୍ରାରେ ବାହାରି ଶହୀଦ ମାନଙ୍କୁ ସ୍ମୃତି ଚାରଣ କରିଥାନ୍ତି। ସେଠାରେ ଶହୀଦ ଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଦେଇ ଅନୁଷ୍ଠିତ ଏକ ବିଶାଳ ଆଦିବାସୀ ସମାବେଶରେ ଯୋଗଦାନ କରିଥାନ୍ତି। ଦୀର୍ଘ ୭୧ ବର୍ଷ ତଳେ ହୋଇଥିବା ଏହି ଗୁଳିକାଣ୍ଡର ଘଟଣାର ତଦନ୍ତ ମଧ୍ୟ ହୋଇ ନଥିବା ବେଳେ ଶହୀଦ ହୋଇଥିବା ଲୋକ ମାନଙ୍କୁ ଚିହ୍ନଟ ମଧ୍ୟ କରାଯାଇ ନାହିଁ। ବର୍ଷକୁ ବର୍ଷ ଆଦିବାସୀଙ୍କ ପ୍ରୀତି ଦେଖାଇ ଦଳୀୟ ନେତା ମାନେ ଶହୀଦ ଗୁଣ୍ଡୁରିଆ ଦିବସ ଫେବୃଆରୀ ମାସ ୬ ତାରିଖକୁ ପାଳନ କରୁଛନ୍ତି। କିନ୍ତୁ ଏ ଗାଁର ଲୋକ ଶହୀଦ ହୋଇଥିଲେ ମଧ୍ୟ ବିଧିବଦ୍ଧ ଭାବେ ଏହି ଦିବସକୁ ଶହୀଦ ଦିବସ ଭାବେ ସରକାରୀ ଘୋଷଣା କରାଯାଉ ନ ଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଉଛି।
ପ୍ରତ୍ୟେକ ବର୍ଷ ଭଳି ଏ ବର୍ଷ ମଧ୍ୟ ଆଦିବାସୀ ସଂପ୍ରଦାୟ ତରଫରୁ ପାଳନ କରାଯାଇଛି ଶହୀଦ ଦିବସ
|
February 7, 2021 |
