ଲକ୍ଷ୍ମୀନଗର ପଂଚାୟତରେ ପ୍ରକଳ୍ପ ଉଦ୍ଘାଟନ ଉତ୍ସବରେ ଗଣ୍ଡଗୋଳ, ବିଜେଡି ଦୁଇ ଗୋଷ୍ଠି ମୁହାଁମୁହିଁ, ପଥର ମାଡରେ ଯୁବକର ମୁଣ୍ଡ ଫାଟିଲା,ଘଟଣାକୁ ଚପାଇ ଦେବାକୁ ଉଦ୍ୟମ

Spread the love

ରସୁଲପୁର, ୨/୩ (ସନ୍ଧାନ ନିଉଜ) ରସୁଲପୁର ବ୍ଲକରୁ କୋରେଇ ନିର୍ବାଚନ ମଣ୍ଡଳିରେ ସାମିଲ ହୋଇଥିବା ୯ଗୋଟି ପଂଚାୟତ ମଧ୍ୟରୁ ଲକ୍ଷ୍ମୀନଗର ପଂଚାୟତ ଅନ୍ୟତମ । ଏହି ପଂଚାୟତରେ ଗୁରୁବାର ଅନୁଷ୍ଠିତ ବିଭିନ୍ନ ଯୋଜନାରେ ନିର୍ମାଣକାର୍ଯ୍ୟ ସରିଥିବା ପ୍ରକଳ୍ପଗୁଡିକର ଉଦ୍ଘାଟନ ଉତ୍ସବରେ ଗଣ୍ଡଗୋଳ ଉପୁଯିଛି । ଗୋଣ୍ଡଗୋଳରେ ଜଣେ ଯୁବକର ମୁଣ୍ଡ ଫାଟିଛି । ଏହି ଘଟଣାକୁ କେନ୍ଦ୍ରକରି ବିଜେଡିର ଦୁଇ ଗୋଷ୍ଠି ମୁହାଁମୁହିଁ ହୋଇଛନ୍ତି । ମାମଲାକୁ ଚାପି ଦେବା ପାଇଁ ରାଜନୈତିକ ମହଲରରେ ଜୋରଦାର ପ୍ରୟାସ କରାଯାଉଛି । ଏ ନେଇ ଥାନାରେ ଅଭିଯୋଗ ହୋଇନାହିଁ । ଘଟଣାକୁ ରଫାଦଫା କରିବା ପାଇଁ ମସୁଧା କରାଯାଉଛି । ମାମଲାକୁ ନେଇ ସ୍ଥାନୀୟ ଅଂଚଳରେ ଚାପା ଉତ୍ତେଜନା ଲାଗି ରହିଛି ।
ଏହି ପଂଚାୟତରେ ବିଭିନ୍ନ ଯୋଜନାରେ ୮୧ ଲକ୍ଷ ଟଙ୍କା ନିର୍ମାଣ ହୋଇଥିବା ୧୩ଟି ପ୍ରକଳ୍ପ ଉଦ୍ଘାଟନ ଉତ୍ସବ ଗତକାଲି ଅପରାହ୍ନରେ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କୋରେଇ ବିଧାୟକ ଆକାଶ ଦାସନାୟକ ମୁଖ୍ୟ ଅତିଥି, ରସୁଲପୁର ପଂଚାୟତ ସମିତି ଅଧ୍ୟକ୍ଷା ସାରତି ଜେନା, ଜିଲାପରିଷଦ ସଦସ୍ୟା ଝରଣା ରାଉତ ସମ୍ମାନୀତ ଅତିଥି ଭାବରେ ଯୋଗଦେଇଥିଲେ । ବିଧାୟକ ଶ୍ରୀ ନାୟକ ଓ ଅନ୍ୟ ଅତିଥିମାନେ ପଂଚାୟତର କୃଷ୍ଣନଗର, ତରାପୁର, ଲକ୍ଷ୍ମୀନଗର, ରାଧାନଗର, ଭିକିପୁର ଆଦି ଗାଁରେ ଥିବା ପ୍ରକଳ୍ପଗୁଡିକୁ ଉଦ୍ଘାଟନ କରିଥିଲେ । ତରାପୁରଠାରେ ୩୫ ଲକ୍ଷ ଟଙ୍କା ବ୍ୟୟରେ ଅନୁଷ୍ଠିତ କଲ୍ୟାଣ ମଣ୍ଡପ ଉଦ୍ଘାଟନ ଉତ୍ସବ ସମୟରେ ଗଣ୍ଡଗୋଳ ଉପୁଯିଥିଲା । ଉକ୍ତ ଗଣ୍ଡଗୋଳରେ ପଂଚାୟତର ଜଣେ ଅନୁସୂଚିତ ଜାତିର ୱାର୍ଡ ସଭ୍ୟଙ୍କ ପୁଅ ଆହତ ହୋଇଛନ୍ତି । ବିଜେଡିର ଏକ ଗୋଷ୍ଠିର ଯୁବକଙ୍କ ପଥର ମାଡରେ ୱାର୍ଡ ସଭ୍ୟ ପୁଅର ମୁଣ୍ଡ ଫାଟିଯାଇଛି । ପଥର ଆଘାତରେ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଏହାକୁ ନେଇ ତରାପୁର ଅଂଚଳ ଦଳିତ ସାହିର ଲୋକ ମୁହାଁମୁହିଁ ହୋଇଥିଲେ । ଘଟଣା ଭିନ୍ନମୋଡ ନେବା ପୂର୍ବରୁ ଏଥିରେ ସଂଗଠକମାନେ ହସ୍ତକ୍ଷେପ କରି ମାମାଲାକୁ ଚପାଇ ଦେବାକୁ ଉଦ୍ୟମ ଜାରି ରଖିଛନ୍ତି । ଆଜି ସଂଧ୍ୟାରେ ଏ ନେଇ ଗାଁରେ ଏକ ବୈଠକ ବସିବ ବୋଲି ସୂଚନା ମିଳିଛି । ଗଣ୍ଡଗୋଳରୁ ପଂଚାୟତ ବିଜେଡିରେ ଥିବା ଗୋଷ୍ଠି କନ୍ଦଳକୁ ପଦାରେ ପକାଇ ଦେଇଛି । ସାଧାରଣ ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ବାକି ଥିବା ବେଳେ ଏଭଳି ଗଣ୍ଡଗୋଳ ଦଳ ପାଇଁ ଶୁଭଙ୍କର ନୁହେଁ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ତା ପୁଣି ବିଧାୟକ ଆକାଶ ଦାସନାୟକଙ୍କ ନିଜ ଗାଁର ପଡୋଶୀ ପଂଚାୟତରେ ଏଭଳି ବିବାଦ ରାଜନୈତିକ ବାତାବରଣକୁ ଏକ ଭୂଲ ବାର୍ତ୍ତା ପ୍ରରଣ କରୁଛି ବୋଲି କୁହାଯାଉଛି । ମାତ୍ର ଏଠାରେ ଘଟିଥିବା ଗଣ୍ଡଗୋଳକୁ ନେଇ ଭିନ୍ନ ମତ ପ୍ରକାଶ ପାଉଛି । ଘଟଣାକୁ ଏଡାଇ ଦେବା ପାଇଁ ବିଜେଡି ନେତାମାନେ ମିଥ୍ୟାର ଆଶ୍ରୟ ନେଉଛନ୍ତି । ମାମଲାକୁ ଚପାଇଦେବା ପାଇଁ ଦଳୀୟ ସଂଗଠନ ଦାଇତ୍ୱରେ ଥିବା ବ୍ୟକ୍ତି ବିଶେଷମାନେ ନାନା ମତ ରଖୁଛନ୍ତି । ଏ ନେଇ ଯବୁନେତା ତଥା ସରପଂଚଙ୍କ ସ୍ୱାମୀ ପ୍ରଫୁଲ୍ଲ ସାହୁଙ୍କୁ ପଚାରିବାରୁ ଉଦ୍ଘାଟନ ଉତ୍ସବ ବେଳେ ଗଣ୍ଡଗୋଳ ଘଟିଥିବାକୁ ସ୍ୱୀକାର କରିଛନ୍ତି । ମାତ୍ର ଏଠାରେ ଖାଦ୍ୟ ପୁଡିଆ ବଂଟାଯିବାକୁ କେନ୍ଦ୍ରକରି ଗଣ୍ଡଗୋଳ ଉପୁଯିଥିଲା ବୋଲି ମତ ରଖିଛନ୍ତି । ସରପଂଚ ଗାୟତ୍ରୀ ମଂଚ ଉପରେ ଥିଲେ ଗଣ୍ଡଗୋଳ ହୋଇଛି ବୋଲି ଖବର ମିଳିଛି । ହେଲେ ଏ ନେଇ ତାଙ୍କ ନିକଟରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡିଛି । ଅନ୍ୟପକ୍ଷରେ ୩୩ନଂ ଜୋନର ବିଜେଡି ସଭାପତି ସଂଜୟ ପ୍ରଧାନ ଏହାକୁ ଏକ ଘରୋଇ ଗଣ୍ଡଗୋଳ ରୂପ ଦେଇଛନ୍ତି । ଦୁଇଜଣ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ଉପୁଯିଥିଲା । ସେମାନେ ଦୌଡାଦୌଡି ହୋଇ କାର୍ଯ୍ୟକ୍ରମ ସ୍ଥଳକୁ ପଶି ଆସିଥିଲେ । ଏହାକୁ କିଛି ଲୋକ ଭିନ୍ନରୂପ ଦେବାକୁ ଚେଷ୍ଟା କରୁଛନ୍ତି ବୋଲି ମତ ରଖଛନ୍ତି ।

Report- Jagamohan Rout, Rasulpur

Related Posts

About The Author

Add Comment