ବାରିପଦା, ୧୮/୦୮/୨୦୨୧ (ସନ୍ଧାନ ନିଉଜ) : ପୋଖରୀ ଜମି ଜବରଦଖଲକୁ ନେଇ ଦୀର୍ଘ ଦିନର ବିବାଦ ଏଵେ ଉଗ୍ରରୂପ ନେଇଛି। ଜମି ଜବରଦଖଲକାରୀ ପରିବାର ନିଜ ଜିଦ୍ରେ ଅଟଳ ଥିବା ବେଳେ ଏହାକୁ ଗ୍ରାମବାସୀମାନେ ବିରୋଧ କରିଛନ୍ତି। ଫଳରେ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ଜବରଦଖଲକାରୀ ପରିବାର। ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ପଣସଗଡି ଗ୍ରାମରେ। ସୂଚନାନୁଯାୟୀ, ଉଦଳା ଥାନା ପଣସଗଡି ଗ୍ରାମର ଗଦାଧର ବିଶ୍ଵାଳଙ୍କ ଘର ନିକଟରେ ଥିବା ପୋଖରୀ ହେଉଛି ଗ୍ରାମ ପୋଖରୀ। ହେଲେ ଗଦାଧରଙ୍କ ପରିବାର ଲୋକେ ଉକ୍ତ ପୋଖରୀ ଜମିକୁ ଜବରଦଖଲ କରି ଦୀର୍ଘ ଦିନରୁ ରଖି ଆସୁଛନ୍ତି । ଯାହାକୁ ନେଇ ଗ୍ରାମବାସୀମାନେ ଦୀର୍ଘ ଦିନ ଧରି ବିରୋଧ କରି ଆସୁଥିଲେ। ହେଲେ ଗଦାଧରଙ୍କ ପରିବାର ଜବରଦଖଲ ଜମି ନଛାଡିବାକୁ ଜିଦ୍ରେ ଅଟଳ ଥିଲେ। ଏହି ବିବାଦ ଏବେ ଉଗ୍ର ରୂପ ନେଇଛି। ଗତକାଲି ରାତିରେ ଗ୍ରାମବାସୀମାନେ ଉତ୍ତ୍ୟକ୍ତ ହୋଇ ଗଦାଧରଙ୍କ ଘର ବାଡ଼ ଭାଙ୍ଗିବା ସହିତ ତାଙ୍କ ପରିବାର ଉପରକୁ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଗଦାଧରଙ୍କ ପରିବାରର ଦୁଇ ଜଣ ଗୁରୁତର ହୋଇଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି । ପରେ ସେମାନଙ୍କୁ ଚିକିତ୍ସା ପାଇଁ ଉଦଳା ଡାକ୍ତରଖାନାରେ ଭର୍ତି କରାଯାଇଥିବା ବେଳେ ଗୁରୁତର ଦୁଇ ଜଣଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଛି । ଗଦାଧରଙ୍କ ସମେତ ତାଙ୍କ ପୁଅ, ବୋହୂ, ଏବଂ ଶ୍ଵଶୁରଙ୍କୁ ଠେଙ୍ଗା ବାଡିରେ ଗ୍ରାମବାସୀମାନେ ଆକ୍ରମଣ କରିଥିଲେ । ଏ ନେଇ ଉଦଳା ଥାନାରେ ଲିଖିତ ଅଭିଯୋଗ ହୋଇଥିବା ବେଳେ ଗଦାଧର ବିଶ୍ଵାଳ ଏବଂ ତାଙ୍କ ଶ୍ଵଶୁର ଶଶୀଧର ସାରାଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି ।
ପୋଖରୀ ଜମି ଜବରଦଖଲକୁ ନେଇ ତୁମୁଳକାଣ୍ଡ, ଜବରଦଖଲକାରୀ ପରିବାର ଉପରକୁ ଆକ୍ରମଣ କଲେ ଗ୍ରାମବାସୀ
|
August 18, 2021 |