ରାଉରକେଲା, ୫/୯ (ସନ୍ଧାନ ନିଉଜ) : ପେସା ଆଇନ ଯୋଗୁ ସୁନ୍ଦରଗଡ଼ ଜିଲ୍ଲାରେ ବହୁ ସରକାରୀ ପ୍ରକଳ୍ପ ବନ୍ଦରହିଛି ଅବା ଆଗକୁ ବଢି ପାରୁନାହିଁ । ପେସା ଆଇନକୁ ଆଳ କରି ଏହି ଆଇନର ସମର୍ଥକ ମାନେ ବାରମ୍ବାର ଆନେ୍ଦାଳନ କରିବା ଯୋଗୁ ବହୁ ଜନହିତକର ସରକାରୀ ପ୍ରକଳ୍ପ ଆଗକୁ ପାଦ ବଢାଇ ପାରୁନାହିଁ । ଏହାଦ୍ୱାରା ଜିଲ୍ଲାର ବିଭିନ୍ନ ଗ୍ରାମାଂଚଳରେ ସରକାରୀ ପ୍ରକଳ୍ପ କାର୍ଯ୍ୟକାରୀ ହୋଇ ପାରୁନଥିବା ବେଳେ, ପେଶା ଆଇନରେ ପେଶି ହେଉଛନ୍ତି ନୀରୀହ ଗ୍ରାମବାସୀ ପେଶା ଆଇନ ବଳରେ ବହୁ ସରକାରୀ ପ୍ରକଳ୍ପ ବନ୍ଦ ହୋଇ ପଡ଼ି ରହିବା ଦେଖିବାକୁ ମିଳୁଛି । ଅପରପକ୍ଷରେ ପେଶା ଆନେ୍ଦାଳନ ଯୋଗୁ ଅଟକି ରହିଥିବା ପ୍ରକଳ୍ପକୁ ତ୍ୱରିତ କରିବା ଲାଗି ଅଂଟା ଭିଡ଼ିଛନ୍ତି ସୁନ୍ଦରଗଡ଼ ଜିଲାପାଳ ନିଖିଳ ପବନ କଲ୍ୟାଣ । ରବିବାର ସରକାରୀ ଛୁଟି ଦିନରେ କୁତ୍ରା ବ୍ଲକର ଜ୍ଞାନପାଲୀରେ ପହଂଚି ଗ୍ରାମବାସୀ ମାନଙ୍କ ସହ ଭାବର ଆଦାନ ପ୍ରଦାନ କରିବା ସହ ବନ୍ଦ ସରକାରୀ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ଘଂଟାଧିକ କାଳ ଆଲୋଚନା କରିଛନ୍ତି । ଜଣେ ସାଧାରଣ ମଣିଷ ପରି ତଳେ ବସି ଲୋକଙ୍କ ସହ ଜିଲ୍ଲାପାଳ ଆଲୋଚନା କରିବା ସୁନ୍ଦରଗଡ଼ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରକାଶ ଥାଉକି, ପେସା ଆଇନକୁ ଆଧାର କରି କୁତ୍ରା ବ୍ଲକରେ ପେସା ଆନେ୍ଦାଳନ ହୋଇ ଆସୁଛି । ଯାହା ଫଳରେ ଏକାଧିକ ବଡ଼ ସରକାରୀ ପ୍ରକଳ୍ପ ବନ୍ଦ ଅବା ଅଧାପନ୍ତରିଆ ଭାବେ ପଡ଼ି ରହିଛି । ବନ୍ଦ ସରକାରୀ ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ରହିଛି ଭେଲୁଆ ଡିହିରେ ୪୫ କୋଟି ଟଙ୍କାର ମେଗା ଜଳସେଚନ ପ୍ରକଳ୍ପ,ଜ୍ଞାନପାଲୀରେ ୫ କୋଟି ଟଙ୍କାର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ୫ ଲକ୍ଷ ଟଙ୍କାର ମାର୍କେଟ କଂପ୍ଲେକ୍ସ ନିର୍ମାଣ । ଜିଲ୍ଲାପାଳ ପୂର୍ବରୁ ଏହି ସବୁ ଅଂଚଳ ପରିଦର୍ଶନ କରିବା ପରେ ସିଧାସଳଖ ଗ୍ରାମବାସୀଙ୍କ ସହ ଆଲୋଚନା କରି ସେମାନଙ୍କ ମତ ଜାଣିବା ଲାଗି ଚେଷ୍ଟା କରିଥିଲେ । ଏହି ଆଲୋଚନା ବେଳେ ମେଗା ଜଳସେଚନ ପ୍ରକଳ୍ପ ପାଇଁ ନଦୀରୁ ପାଣି ଦେବାକୁ ଅମଙ୍ଗ ହୋଇଥିଲେ । ମାତ୍ର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ଦୋକାନ ଗୃହ ନିର୍ମାଣ ଲାଗି ଗ୍ରାମବାସୀଙ୍କ କୌଣସି ଆପତି ନାହିଁ ବୋଲି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଳ ପବନ ପ୍ରତ୍ୟକ୍ଷ ଭାବେ ଜାଣିବାକୁ ପାଇଥିଲେ । ବନ୍ଦ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ଜିଲ୍ଲାପାଳଙ୍କ ପକ୍ଷରୁ ଏଭଳି ଉଦ୍ୟମକୁ ଗ୍ରାମବାସୀ ମାନେ ଭୁୟସୀ ପ୍ରଶଂସା କରିବା ସହ, ଜିଲ୍ଲାପାଳଙ୍କ ଏଭଳି କାର୍ଯ୍ୟକୁ ସମଗ୍ର ମହଲରୁ ସ୍ୱାଗତ କରାଯାଇଛି । ଗ୍ରାମାବାସୀଙ୍କ ସହ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଏହି ଆଲୋଚନାରେ କୁତ୍ରା ବିଡ଼ିଓ ମାନସ ରଂଜନ ରାୟ, କୁତ୍ରା ବ୍ଲକ ଚେୟାରମ୍ୟାନ ପରାଗଲତା ଲାକ୍ରା, ଭାଇସ ଚେୟାରମ୍ୟାନ କମଳା କୁଜୁର, ଜ୍ଞାନପାଲୀର ସରପଂଚ ଇନ୍ଦ୍ରା ଖାଲାକୋଙ୍କ ସମେତ ରାଜଗାଙ୍ଗପୁର ଥାନାଧିକାରୀ ଗୋକୁଳାନନ୍ଦ ସାହୁଙ୍କ ସମେତ ସ୍ଥାନୀୟ ଜନ ସାଧାରଣ ଉପସ୍ଥିତ ଥିଲେ ।
REPORT- S NAYAK