ଧର୍ମଶାଳା,୨୧ା୬ (ସନ୍ଧାନ ନିୟୁଜ) ଧର୍ମଶାଳା ତହସିଲ ଅଞ୍ଚଳରେ ଶହଶହ କଳାପଥର ଖାଦାନ ରହିଥିବା ବେଳେ ଏହି ଅଞ୍ଚଳରେ ଶହଶହ କ୍ରସର ସ୍ଥାପନ କରାଯାଇଛି । କିଛି କଳାପଥର ଖାଦାନ ଲିଜ ଆକାରରେ ଦିଆଯାଇଥିବା ବେଳେ କିଛିଖାଦାନ ବେଆଇଭାବେ ଚାଲୁଛି । ତେବେ ଧର୍ମଶାଳା ଅଞ୍ଚଳକୁ ଜିଲ୍ଲା ଓ ଜିଲ୍ଲା ବାହାରୁ ଅନେକ ଶ୍ରମିକ ନିଜର ଜୀବିକା ନିର୍ବାହ କରିବା ପାଇଁ ମୁଲମଜୁରୀ ଲାଗିବାକୁ ଆସନ୍ତି । ଏପରିକି ସୁନ୍ଦରଗଡ, ମୟୁରଭଞ୍ଜ ଓ କେନ୍ଦ୍ରଝର ଅଞ୍ଚଳରୁ ବହୁ ଶ୍ରମିକ ଏଠାରେ ରହି କାର୍ଯ୍ୟକରନ୍ତି । ଖଣିଖାଦାନରେ କାମ କରି ଦିନକୁ ଦୁଇତିନି ଶହ ଟଙ୍କା ରୋଜଗାରକରି ନିଜର ପରିବାର ପ୍ରତିପୋଷଣ କରୁଥିବା ଏହି ଶ୍ରମିକ ମାନଙ୍କୁ କାର୍ଯ୍ୟ ସମୟରେ କୌଣସି ସୁରକ୍ଷା ସାମଗ୍ରି ଯୋଗାଇ ଦିଆଯାଏ ନାହିଁ । ଏପରିକି ସ୍ଥାନୀୟ ଅଞ୍ଚଳର ଶ୍ରମିକମାନେ ମଧ୍ୟ ଅଣଦେଖା କରାଯାଏ । ପେଟ ପାଇଁ ଦୂରଦୂରାନ୍ତରୁ ଆସି ଏଠାରେ କାମ କରୁଥିବା ଶ୍ରମିକମାନଙ୍କୁ କିଛି ଦଲାଲ୍ ଏଠାକୁ ଆଣି ମଝିରେ ମଧ୍ୟସ୍ଥି ସାଜି ବେଶ ଦୁଇପଇସା ଦଲାଲି କରନ୍ତି । ଏପରିକି ବିଭିନ୍ନ ସମୟରେ ଶ୍ରମିକମାନେ କାମକରି ଦଲାଲ୍ ଓ ମାଲିକମାନଙ୍କ ନାଲିଆଖି ଦେଖି ପିଇସା ନମାଗି ନିଜ ଗାଁକୁ ଫେରି ଯାଆନ୍ତି । ଏସବୁ ବାଦ୍ ଜୀବନର ବାଜିବି କିଛି କମ୍ ନୁହେଁ । ଶହଶହ ଫୁଟ୍ ଉଚ୍ଚ ଖାଦାନରେ ବିଷ୍ଫୋରଣ ପାଇଁ ଗର୍ତ କରିବା, ପଥର ଗୁଣ୍ଡ ସଫାକରିବା, ଢିଲାପଥର ଖଣ୍ଡକୁ ଖୋଲିବା ଇତ୍ୟାଦି କାର୍ଯ୍ୟ କୌଣସି ସୁରକ୍ଷା ବିନା କରିବାକୁ ବାଧ୍ୟ ହୁଅନ୍ତି । ହେଲେ ଏହି ଶ୍ରମିକମାନଙ୍କୁ ସୁରକ୍ଷା ପାଇଁ ଆବଶ୍ୟକ ଥିବା ସେପ୍ଟିବେଲ୍ଟ୍ , ଜୋତା, ହେଲମେଣ୍ଟ, କିମ୍ବା ସୁରକ୍ଷା ଦଉଡି ଯୋଗାଇ ଦିଆଯାଏ ନାହିଁ । ଯାହା ଦ୍ୱାରା ମୃତୁ୍ୟର ଖଣ୍ଡା ଶ୍ରମିକ ମାନଙ୍କ ମୁଣ୍ଡ ଉପରେ ଅହରହ ଝୁଲୁଥାଏ । ଶ୍ରମିକଙ୍କ ଜୀବନ ଯିବାଭଳି ଘଟଣା ପୂର୍ବରୁ ଧର୍ମଶାଳା ତହସିଲ ଅଞ୍ଚଳର ଜାବରା, ବିଛାଖଣ୍ଡି, ବାଘୁଆ, ମୋଉଳାଭଞ୍ଜ, କୁସୁନପୁର ଇତ୍ୟାଦି ପାହାଡରେ ଅନେକଥର ଘଟିସାରିଛି । ତେବେ ଏବେ ଆସିବା ଶିଶୁ ଶ୍ରମିକଙ୍କ ପାଖକୁ । ପଥର ଖଣ୍ଡକୁ ହାମରେ ପିଟି ଗ୍ରେଡ୍ ୱାନ କରିବା , ବିଭିନ୍ନ ମାପର ମେଟାଲ କରିବା, ଖାଦାନରୁ ମାଟି ସଫାକରିବା ଓ ବାବୁଭାୟାଙ୍କ ଗାଡି ଧୋଇବାରେ ଶିଶୁ ଶ୍ରମିକମାନଙ୍କୁ ନିୟୋଜିତ କରାଯାଏ । ରାଜପଥ କଡରେ ଏସବୁ କାର୍ଯ୍ୟ ଚାଲୁଥିବା ବେଳେ କାହାର ଦୃଷ୍ଟି ଏଥିପ୍ରତି କିପରି ଯେ ପଡେନି ତାହା ଏକ ବିରାଟ ପ୍ରଶ୍ନବାଚୀ । ତେବେ ଏସବୁ ବାଦ ଦୁଃଖତ ସେତେବେ ବଳିଯାଏ ଯେବେ ଆସେ ବର୍ଷାଦିନ । ଖଣିଖାଦାନରେ ପାଣି ହୋଇଯିବା ଯୋଗୁ କିଛି ପଇସା ଭାତିଆ(ସ୍ଥାନୀୟ ଅଞ୍ଚଳର ଭାଷା ଯାହା ଋଣକୁ ବୁଝାଏ) ଠିକାଦାର ମାନଙ୍କ ଠାରୁ ନେଇ ସେମାନଙ୍କ ପାଖରେ ବର୍ଷକ କାମ କରିବା ପାଇଁ ମୁଣ୍ଡ ବିକ୍ରି କରିଦିଅନ୍ତି ଶ୍ରମିକ । ନେଇଥିବା ଟଙ୍କା ସୁଝିବା ପାଇଁ ଠିକାଦାର ମାନଙ୍କ ନାଲି ଆଖି ଆଗରେ ମୁଣ୍ଡନୁଆଇଁ ଦିଅନ୍ତି । ତେବେ ବିଭିନ୍ନ ସମୟରେ ପଥର ଖଣ୍ଡତଳେ ଚାପିହୋଇ, ଖାଦାନ ଉପରୁ ପଥର ଖସି କିମ୍ବା ଖାଦାନରୁ ଖସିପଡି କିଛି ଶ୍ରମିକ ଜୀବନ ହରାଉଥିବା ବେଳେ କିଛି ଶ୍ରମିକ ହାତଗୋଡ ଓ ଆଖି ହରାଇ ପଙ୍ଗୁହୋଇ ଘରେ ପଡିରହୁଛନ୍ତି । ତେବେ ଏମାନଙ୍କ ପରିବାରର ଅବସ୍ଥା ଆହୁରି ର୍ଦୁଦିନ ଭିତରକୁ ଚାଲିଯାଉଛି । ଏପରିକି ଏଠାରେ ଆଇନତ ଓ ବେଆଇନ ଭାବେ ସ୍ଥାପନ କରାଯାଇଥିବା କ୍ରଶର ଗୁଡିକ ଶ୍ରମିକ ମାନଙ୍କୁ କୌଣସି ସୁରକ୍ଷା ସାମଗ୍ରୀ ଦେଉନାହିଁ । କ୍ରସରରେ କାର୍ଯ୍ୟରତ ଶ୍ରମିକ ମାନେ ଧୂଳିଧୂଆଁରେ ଲସର ପସର ହେଉଥିବା ବେଳେ ଟଙ୍କାରୁ ଦୁଇଟଙ୍କା ପଡୁଥିବା ନୋଜ୍ ମାକ୍ସ୍ କିମ୍ବା ଆଖିକୁ ସୁରକ୍ଷା ଦେବା ପାଇଁ ଚଷମାଟିଏ ମଧ୍ୟ ଯୋଗାଇ ଦିଆଯାଉନାହିଁ । ତେଣୁ ସେମାନେ ଯଖ୍ମା, ଟିଭି ଓ ଆଖି ରୋଗରେ ପିଡିତ ହେଉଛନ୍ତି । ତେବେ ଏଥିପ୍ରତିି କାହାର ଦୃଷ୍ଟି ପଡୁନଥିବା ବେଳେ ଶ୍ରମ ବିଭାଗର ନିଦ ନଭାଙ୍ଗିବା ଆଶ୍ଚର୍ଯ୍ୟ ଚକିତ କରୁଛି ।
ପେଟ ପାଇଁ ବାଜିରେ ଲାଗୁଛି ଜୀବନ, ବିପଦପୂର୍ଣ୍ଣ ଅବସ୍ଥାରେ କଳାପଥର ଖାଦାନରେ ହଜାର ହଜାର ଶ୍ରମିକ କାମକରୁଛନ୍ତି
|
June 21, 2019 |
![](https://sandhannews.com/wp-content/uploads/2019/06/IMG-20190620-WA0014.jpg)