ରାଉରକେଲା, ୦୬/୦୮/୨୦ (ସନ୍ଧାନ ନିଉଜ/ସୁବୋଧ ନାୟକ) : ମୋବାଇଲ ଫୋନ ଆଜିର ଯୁଗରେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଏକ ଜରୁରୀ ଆବଶ୍ୟକତା ହୋଇପଡ଼ିଛି । ୭ରୁ ୭୦,ପ୍ରାୟ ସମସ୍ତଙ୍କ ହାତରେ ଦିଶୁଛି ମୋବାଇଲ ଫୋନ । ସୁରକ୍ଷା ଦୃଷ୍ଟିରୁ ମୋବାଇଲ ବ୍ୟବହାର ଉପରେ କେତେକ ସ୍ଥାନରେ କଟକଣା ଜାରି କରାଯାଇଛି । ନିୟମ ରହିଛି ହେଲେ ନିୟମକୁ ପାଳନ କରିବା ପାଇଁ ଗୁରୁତ୍ୱ ଦିଆଯାଉନାହିଁ । ଅପରପକ୍ଷରେ ସରକାରୀ କଟକଣାରେ କୋହଳ ନୀତି ଅବଲମ୍ବନ ଓ ଉପଯୁକ୍ତ ଜନସଚେତନତା ଅଭାବରୁ ଲୋକେ ନିସିଦ୍ଧାଚଂଳରେ ମଧ୍ୟ ମୋବାଇଲ ବ୍ୟବହାର କରିବା ଦ୍ୱାରା ଏହା ସେମାନଙ୍କ ଧନଜୀବନ ପ୍ରତି ବିପଦକୁ ପରୋକ୍ଷରେ ଆମନ୍ତ୍ରଣ ଦେଉଛି । ଗତ ୨୦୦୦ ମସିହାରୁ ପେଟ୍ରୋଲ ପମ୍ପ ଗୁଡ଼ିକରେ ମୋବାଇଲ ଫୋନ ଉପରେ ସରକାରୀ କଟକଣା ଲାଗୁ କରାଯାଇଥିଲ।। ଗତ ୧୯୯୯ ମସିହାରେ ଇଣ୍ଡୋନେସିଆରେ ଏକ ପେଟ୍ରୋଲ ପମ୍ପରେ ଭୟାବହ ଅଗ୍ନିକାଣ୍ଡ ଘଟଣାପରେ ପେଟ୍ରୋଲ ପମ୍ପରେ ମୋବାଇଲ ବ୍ୟବହାର ଉପରେ କଟକଣା ସରକାରଙ୍କ ପକ୍ଷରୁ କରାଯାଇଛି । ମାତ୍ର ବର୍ତମାନ ପେଟ୍ରୋଲ ପମ୍ପ ଗୁଡ଼ିକରେ କ୍ୟାସଲେସ ବ୍ୟବସ୍ଥା ଲାଗୁ ହେବା କାରଣରୁ ସରକାର ଏହି କଟକଣାରେ କିଛି ମାତ୍ରାରେ ସଂଶୋଧନ କରି ପେଟ୍ରୋଲ ପମ୍ପରେ ନିଦ୍ଦିଷ୍ଟ ଦୂରରୁ ମୋବାଇଲ ବ୍ୟବହାର କରାଯାଇ ପାରିବ ବୋଲି ଗାଇଡ଼ଲାଇନ ଜାରି କରିଛନ୍ତି । ସାଧାରଣତଃ ମୋବାଇଲରୁ ସ୍ପାର୍କରିଂ ଦ୍ୱାରା ନିଆଁ ବାହାରି ଅଗ୍ନିକାଣ୍ଡ ଘଟିବା ସମ୍ଭାବନା ପ୍ରକାଶ ପାଇଥାଏ । ସ୍ପାର୍କିଂର ପରିମାଣ ୦.୨ମିଲିଜୁଲ ହେଲେ ଏହା ପେଟ୍ରୋଲ ସଂସ୍ପର୍ଶରେ ଆସି ଜଳିଥାଏ । ପୁରାଭାବରେ ଚାର୍ଜ ହୋଇଥିବା ମୋବାଇଲ ଗୁଡ଼ିକରେ ବହୁତ ବିକିରଣ ଶକ୍ତି ଥିବାରୁ ଏଗୁଡ଼ିକ ପେଟ୍ରୋଲ ପମ୍ପରେ ବ୍ୟବହାର କରିବା ଆଦୈ ନିରାପଦ ନୁହେଁ । ସେହିପରି ମୋବାଇଲର ବ୍ୟାଟେରୀ ପୁରୁଣା ହୋଇଥିେଲେ ଏହା ବିସ୍ପୋରଣ ହେବା ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇ ନପାରେ । ଆଜିକାଲି ଯୁବପିଢି ସାଧାରଣତଃ ବିଭିନ୍ନ ପ୍ରକାର ନାମିଦାମୀ କମ୍ପାନୀର ମୋବାଇଲ ସହ ବାଇକ ବ୍ୟବହାର କରିଥାନ୍ତି । ପେଟ୍ରୋଲ ପମ୍ପରେ ତେଲ ପକାଇବା ବେଳେ ଅନେକ ଯୁବବର୍ଗଙ୍କୁ ମୋବାଇଲରେ ବାର୍ତାଳାପ କରିବା ଦେଖିବାକୁ ମିଳେ । ଏହି କାର୍ଯ୍ୟକଳାପରୁ ସେମାନେ ଯେପରି ନିବୃତ ରହିବେ ଏଥିନେଇ ଉପଯୁକ୍ତ ଜନସଚେତନତା ସହ ଏମାନଙ୍କୁ ପେଟ୍ରୋଲ ପମ୍ପ କର୍ମଚାରୀମାନେ ପେଟ୍ରୋଲ ପମ୍ପରେ ମୋବାଇଲ ବ୍ୟବହାର ନକରିବାକୁ ବାରଣ କରିବା ଆବଶ୍ୟକ ବୋଲି ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି । ବିଭିନ୍ନ ମୋଟ୍ରୋ ସିଟି ଯେପରି ଦିଲ୍ଲୀ,ମୁମ୍ବାଇ,କଲକତା,ଚେନ୍ନାଇ ଓ ବେଙ୍ଗୁଲୁରୁରେ ପେଟ୍ରୋଲ ପମ୍ପରେ ମୋବାଇଲ ବ୍ୟବହାର ଉପରେ କଡ଼ାକଡ଼ି ନିୟମ କରାଯାଇଛି । ଯଦି କୈଣସି ପେଟ୍ରୋଲ ପମ୍ପରେ ତେଲ ପକାଇବାବେଳେ ମୋବାଇଲରେ କଥା ହେଉଥିବାବେଳେ ପୁଲିସ ହାତରେ ଧରାପଡ଼ନ୍ତି,ତେବେ ତାଙ୍କୁ ଉପଯୁକ୍ତ ଜରିମାନା ଦେବାକୁ ପଡ଼ିଥାଏ ବୋଲି ରାଉରକେଲାର ଜଣେ ଅବସରପ୍ରାପ୍ତ ପୁଲିସ ଅଧିକାରୀ ପ୍ରକାଶ କରିଛନ୍ତି । ଅପରପକ୍ଷରେ ରାଉରକେଲା ସମେତ ଦକ୍ଷିଣ ରାଉରକେଲାରେ ଥିବା ୧୦ରୁ ଉର୍ଦ୍ଧ୍ୱ ପେଟ୍ରୋଲ ପମ୍ପ ଗୁଡ଼ିକରେ ମୋବାଇଲ ବ୍ୟବହାର ଉପରେ କଟକଣା ଜାରି କରାଯାଇ ମୋବାଇଲ ବ୍ୟବହାର ପେଟ୍ରୋଲ ପମ୍ପରେ କରାଯିବ ନାହିଁ ବୋଲି ବିଭିନ୍ନ ବୋର୍ଡ଼ରେ ସ୍ୱଷ୍ଟ ଦେଖିବାକୁ ମିଳୁଛି । କଟକଣା ଦିଗକୁ ଧ୍ୟାନ ଦିଆଯାଉନଥିବା ଦିନକୁ ଦିନ ପେଟ୍ରୋଲ ପମ୍ପରେ ମୋବାଇଲ ବ୍ୟବହାରକାରୀଙ୍କ ସଂଖ୍ୟା ବୃଦ୍ଧି ପାଇବା ଯୋଗୁଁ ପେଟ୍ରୋଲ ପମ୍ପରେ ବଡ଼ ଧରଣର ଅଗ୍ନିକାଣ୍ଡ ସମ୍ଭାବନା ରହୁଛି । ଏହାଦ୍ୱାରା ପେଟ୍ରୋଲ ପମ୍ପରେ କାର୍ଯ୍ୟରତ ଓ ଉପସ୍ଥିତ ବ୍ୟକ୍ତି ମାନଙ୍କ ଜୀବନ ପ୍ରତି ବିପଦ ଘନଉଛି କହିଲେ ଅତ୍ୟୁକ୍ତି ହେବ ନାହିଁ ।
ପେଟ୍ରୋଲ ପମ୍ପରେ ମୋବାଇଲ କଟକଣା ଧର୍ମକୁ ଆଖିଠାର!
|
August 6, 2020 |