ଜେନେଭା, ୧୬/୧୦ (ସନ୍ଧାନ ନିଉଜ) : ପ୍ରତିବର୍ଷ ଅକ୍ଟୋବର ୧୬ ରେ ବିଶ୍ୱ ଖାଦ୍ୟ ଦିବସ ପାଳନ କରାଯାଇଥାଏ । ସମସ୍ତଙ୍କ ପାଖରେ ଖାଦ୍ୟ ପଂହଚାଇବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ। ଇତି ମଧ୍ୟରେ ୟୁନିସେଫ୍ର କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ ହେନରିଟା ଫୋରେଙ୍କଦ୍ୱାରା ‘ଷ୍ଟେଟ୍ ଅଫ୍ ଦି ୱାର୍ଲ୍ଡ ଚିଲଡ୍ରେନ୍ ‘ ଶୀର୍ଷକ ରିପୋର୍ଟ ପ୍ରକାଶ ପାଇଛି । ଏଥିରେ ଦର୍ଶାଯାଇଛି ପୃଥିବୀରେ ୮୦ କୋଟି ଲୋକ ଖାଦ୍ୟ ଅଭାବରୁ ପ୍ରତିଦିନ ଭୋକିଲା ରହିବାକୁ ବାଧ୍ୟ ହୋଉଛନ୍ତି । ସେମାନଙ୍କୁ ଦିନକୁ ଦୁଇବେଳା ଖାଦ୍ୟ ମିଳିବା କଷ୍ଟକର ହୋଇପଡୁଛି । ସେହିପରି ୫ ବର୍ଷରୁ କମ୍ ବୟସ୍କ ମୋଟ ୭୦ କୋଟି ଶିଶୁଙ୍କ ମଧ୍ୟରୁ ଏକ ତୃତୀୟାଂଶ’ କୁପୋଷଣ ଯୋଗୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାରେ ପଡୁଥିବା ରିପୋର୍ଟରେ ପ୍ରକାଶ ପାଇଛି । ୧୯୯୯ ରେ ପୃଥିବୀରେ ୫ ବର୍ଷରୁ କମ୍ ବୟସ୍କ ଶିଶୁଙ୍କ ମଧ୍ୟରୁ ପ୍ରାୟ ୫୦ ପ୍ରତିଶତ କୁପୋଷଣର ଶିକାର ହୋଇଥିବାବେଳେ ୨୦୧୫ ବେଳକୁ ସ୍ଥିତିରେ ସୁଧାର ହୋଇଥିବା ରିପୋର୍ଟରେ କୁହାଯାଇଛି । ସମ୍ପ୍ରତି ୧୪ କୋଟି ୯୦ ଲକ୍ଷ ୪ ବର୍ଷରୁ କମ୍ ବୟସ୍କ ଶିଶୁଙ୍କ ଶାରୀରିକ ବିକାଶ ବୟସ ଅନୁପାତରେ ଠିକ୍ ଭାବେ ହୋଇପାରି ନାହିଁ । ବିଭିନ୍ନ ଦେଶରେ ଲାଗି ରହିଥିବା ଗୃହଯୁଦ୍ଧ, ଆତଙ୍କ ବାଦୀଙ୍କ ଆକ୍ରମଣ, ସାମ୍ପ୍ରଦାୟିକ ହିଂସା ଯୋଗୁ ଲୋକେ ହନ୍ତସନ୍ତ ହେଉଥିବା ରିପୋର୍ଟରେ ପ୍ରକାଶ ପାଇଛି ।
ପୃଥିବୀରେ ୮୦ କୋଟି ଭୋକିଲା
|
October 16, 2019 |
