ପୂର୍ବ ଭାରତ ହେବ ଇସ୍ପାତ ହବ୍

Spread the love

ଭୁବନେଶ୍ବର, ୨୪/୯ (ସନ୍ଧାନ ନିଉଜ) : କେନ୍ଦୁଝରରେ ଏକ ଇସ୍ପାତ କମ୍ପ୍ଲେକ୍ସ ସ୍ଥାପନ କରିବା ଲାଗି ଓଡ଼ିଶା ସରକାର କେନ୍ଦ୍ର ନିକଟରେ ଦାବି କରିଛନ୍ତି। ନିକଟରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ହୋଇଥିବା ଏକ ଚିନ୍ତନ କର୍ମଶାଳାରେ ରାଜ୍ୟ ମୁଖ୍ୟ ସଚିବ ଅସିତ ତ୍ରିପାଠୀ ଏହି ଦାବି ଉପସ୍ଥାପନ କରିଥିଲେ। ଏହି ପ୍ରସ୍ତାବ ଦୀର୍ଘ ଦିନ ହେଲା ଝୁଲି ରହିଛି ବୋଲି ସେ କେନ୍ଦ୍ର ସରକାରଙ୍କୁ ମନେ ପକାଇ ଦେଇଛନ୍ତି। ୨୦୩୦ ସୁଦ୍ଧା ୩୦୦ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ କରିବା ଲାଗି କେନ୍ଦ୍ର ସରକାର ଯେଉଁ ଲକ୍ଷ୍ୟ ରଖିଛନ୍ତି ସେଥିରେ ରାଜ୍ୟ ସରକାର ପୂର୍ଣ୍ଣ ସହଯୋଗ କରିବେ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।

ଯାଜପୁରର କଳିଙ୍ଗନଗରରେ କେନ୍ଦ୍ର ସରକାର ଦେଶର ପ୍ରଥମ ଇସ୍ପାତ କ୍ଲଷ୍ଟର ନିର୍ମାଣ କରିବାକୁ ଯାଉଛନ୍ତି। ଏହା ଦ୍ବାରା ଇସ୍ପାତ କ୍ଷେତ୍ରରେ ଆନୁଷଙ୍ଗିକ ଶିଳ୍ପର ବିକାଶ ହୋଇପାରିବ। ବ୍ରାହ୍ମଣୀ ଓ ବୈତରଣୀ ନଦୀପଥରେ କଞ୍ଚାମାଲ ପରିବହନ ବ୍ୟବସ୍ଥା କରାଗଲେ ତାହା ସଡ଼କ ପଥ ଅପେକ୍ଷା ଅଧିକ ଶସ୍ତା ଓ ସୁବିଧାଜନକ ହୋଇପାରିବ ବୋଲି ମୁଖ୍ୟ ସଚିବ କହିଛନ୍ତି। ଇସ୍ପାତ ପ୍ରକଳ୍ପ ଲାଗି ନିର୍ମାଣ ହେଉଥିବା ହରିଦାସପୁର-ପାରାଦୀପ ଏବଂ ଅନୁଗୁଳ-ସୁକିନ୍ଦା ରେଳପଥ ପ୍ରକଳ୍ପରେ ରାଜ୍ୟ ସରକାର ପୁଞ୍ଜିନିବେଶ କରିଛନ୍ତି। ସେଲ୍‌, ଏନ୍‌ଏମ୍‌ଡିସି ଓ ଓଏମ୍‌ସି ଠାରୁ ସେ କଞ୍ଚାମାଲ୍ ସୁରକ୍ଷା ଲୋଡ଼ିଛନ୍ତି। ଏହି ଅବସରରେ ଇସ୍ପାତ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଦେଶର ଅର୍ଥନୀତିକୁ ୫ ଲକ୍ଷ କୋଟି ଡଲାର ପର୍ଯ୍ୟନ୍ତ ପହଞ୍ଚାଇବାରେ ଇସ୍ପାତ କ୍ଷେତ୍ର ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ପୂର୍ବ ଭାରତକୁ ଦେଶର ଇସ୍ପାତ ହବ୍‌ରେ ପରିଣତ କରିବା ଦିଗରେ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି ବୋଲି ସେ କହିଛନ୍ତି। ଦେଶ ଭିତରେ ଇସ୍ପାତ ବ୍ୟବହାରକୁ ବଢ଼ାଇବା ଏବଂ ଏହି କ୍ଷେତ୍ରକୁ ଅଧିକ ସମୃଦ୍ଧ କରିବା ନିମନ୍ତେ ରୋଡ୍‌ମ୍ୟାପ୍ ପ୍ରସ୍ତୁତ କରିବା ଲାଗି ଏହି ଚିନ୍ତନ ବୈଠକ ଆୟୋଜନ କରାଯାଇଛି। ଏହି ଅବସରରେ ଅଭିଯାନର ପ୍ରସଙ୍ଗ ‘ଇସ୍ପାତ ଇରାଦା’ ଓ ଏହାର ଲୋଗୋକୁ ଉନ୍ମୋଚନ କରାଯାଇଛି।

Related Posts

About The Author

Add Comment