ପୂର୍ବତନ ସରପଞ୍ଚଙ୍କୁ ଗୁଳି କରି ହତ୍ୟା

Spread the love

ଭୁବନେଶ୍ୱର,୧୫/୪ (ସନ୍ଧାନ ନିୟୁଜ): ଦୂତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଜୋର ଧରିଥିବା ବେଳେ ରବିବାର ବିଳମ୍ବିତ ରାତିରେ ଖୋର୍ଧାରେ ଜଣେ ପୂର୍ବତନ ସରପଞ୍ଚଙ୍କୁ ଗୁଳି କରି ହତ୍ୟା କରାଯାଇଛି।ମୃତକ ଜଣଙ୍କ ହେଲେ ବଡ଼ପୋଖରିଆର ପୂର୍ବତନ ସରପଞ୍ଚ ମଙ୍ଗୁଳି ଜେନା।ସେ ବିଜେପିର ଖୋର୍ଦ୍ଧା ୯ ନମ୍ବର ଜୋନ ମଣ୍ଡଳ ସଭାପତି ଦାୟିତ୍ୱରେ ଥିଲେ।ଖୋର୍ଧା ଟାଉନ୍‌ ଥାନା ଅଧୀନ ନବୀନାବାଗ ଠାରେ ରବିବାର ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଛି।

ରାତି ପ୍ରାୟ ୧୨ଟା‌‌‌ରେ ମଙ୍ଗୁଳି ଖୋର୍ଧା ବିଜେପି ବିଧାୟକ ପ୍ରାର୍ଥୀ କାଳୁ ଚରଣ ଖଣ୍ଡାୟତରାୟଙ୍କ ଘରୁ ଫେରି ବୋଲେରୋରେ ବସି ବାହାରୁଥିବା ବେଳେ କେହି ଦୁର୍ବୃତ୍ତ ଏକ ସ୍କୁଟିରେ ଆସି ତାଙ୍କ ଉପରକୁ ୨ ରା‌ଉଣ୍ଡ ଗୁଳି ଚଳାଇ ଫେରାର୍‌ ହୋଇଯାଇଥିଲେ।କାଳୁ ମଧ୍ୟ ସେଠାରେ ଉପସ୍ଥିତ ଥିଲେ।ସେତବେଳକୁ ସେମାନେ ଏବଂ ଆଉ କିଛି ସମର୍ଥକ ଏକ ଭୋଜି ଖାଇବାକୁ ବାହାରିଥିଲେ।ସେଠାରେ ଉପସ୍ଥିତ ଥିବା ଅନ୍ୟମାନେ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ମଙ୍ଗୁଳିଙ୍କୁ ଉଦ୍ଧାର କରି ଖୋର୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ।କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହି ଘଟଣା ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖାଦେଇଛି। ପୁଲିସ ତଦନ୍ତ ଆରମ୍ଭ କରିଛି।ହତ୍ୟାକାଣ୍ଡ ପଛରେ କିଏ ଏବଂ କାରଣ କ’ଣ ତାହା ସ୍ପଷ୍ଟ ଜଣାପଡ଼ିନାହିଁ।ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ଖୋର୍ଧା ସହରକୁ ସିଲ୍ କରିଥିବା ବେଳେ ବିଭିନ୍ନ ସ୍ଥାନରେ ଚଢ଼ଉ ଚଳାଇଥିବା ଜଣାପଡ଼ିଛି।ବିଜେପି ଏ’ ନେଇ ଆଜି ଖୋର୍ଦ୍ଧା ବନ୍ଦ ଡାକରା ଦେଇଛି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘଟଣାକୁ ନିନ୍ଦା କରିବା ସହ ବ୍ୟାଲେଟର ଜବାବ ବୁଲେଟ ନୁହେଁ ବୋଲି କହିଛନ୍ତି।ଏ ନେଇ ଧର୍ମେନ୍ଦ୍ର ଦୁଇଟି ଟ୍ୱିଟ କରି ଲେଖିଛନ୍ତି, “ଖୋର୍ଦ୍ଧାରେ ବିଜେପିର ଜଣେ କାର୍ଯ୍ୟକର୍ତ୍ତା ରାଜନୈତିକ ହିଂସାର ଗୁଳିକାଣ୍ଡରେ ମୃତ୍ୟୁବରଣ କରିଥିବା ଖବର ଶୁଣି ଆମେ ସମସ୍ତେ ବିଜେପି କାର୍ଯ୍ୟକର୍ତ୍ତା ମର୍ମାହତ।”“ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ।ଗଣତନ୍ତ୍ର ବାଲଟର ଲଢେଇ ବୁଲେଟରେ ନୁହେଁ।ଆମ କାର୍ଯ୍ୟକର୍ତ୍ତାଙ୍କ ହତ୍ୟା ସମୟରେ, ଆମର ସମସ୍ତ କାର୍ଯ୍ୟକର୍ତ୍ତା ଗଣତନ୍ତ୍ର ଉପରେ ଅତୁଟ ବିଶ୍ୱାସ ରଖି ଶାନ୍ତି ବଜାୟ ରଖିବା ପାଇଁ ବିନମ୍ର ନିବେଦନ।ଏହି ପ୍ରସଙ୍ଗରେ ଓଡ଼ିଶା ପୋଲିସ ମହାନିର୍ଦେଶକଙ୍କ ସହ କଥା ହୋଇ ଘଟଣା ସମ୍ପର୍କରେ ଅବଗତ କରାଇଲି।”ନିର୍ବାଚନୀ ଉଷ୍ମତା ଏବେ ଚରମରେ ଥିବା ବେଳେ ମଙ୍ଗୁଳି ଜେନାଙ୍କ ପରି ଜଣେ ଟାଣୁଆ ନେତାଙ୍କୁ ହତ୍ୟା ଖୋର୍ଦ୍ଧାକୁ ଅଶାନ୍ତ କରି ଦେଇଛି।ବଡ଼ପୋଖରିଆ ଗ୍ରାମରେ ଦୀର୍ଘ ଦିନ ହେଲା ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଛି।ଏବଂ ଏପରି ଗୋଷ୍ଠୀ ବିବାଦ ଯୋଗୁଁ ଅତୀତରେ ଅନେକ ଥର ହିଂସାକାଣ୍ଡ, ବୋମା ମାଡ଼ ଏବଂ ହତ୍ୟାକାଣ୍ଡ ମଧ୍ୟ ଘଟିଛି।ଗତ ବର୍ଷ ମାର୍ଚ୍ଚ ୩୧ରେ ବଡ଼ପୋଖରିଆ ଗ୍ରାମରେ ପୂର୍ବ ଶତୃତାକୁ ନେଇ ଉକ୍ତ ଗ୍ରାମର ସ୍ୱର୍ଗତ ଦୁଃଶାସନ ଜେନାଙ୍କ ପୁତ୍ର ଚିତ୍ରସେନ ଜେନାଙ୍କୁ ଜଙ୍କିଆ ଥାନା ଅଞ୍ଚଳ ପୁରୁଣାଗଡ଼ ପୋଖରୀ ନିକଟରେ ହତ୍ୟା କରାଯାଇଥିଲା। ତେଣୁ ଏବେ ଆଜିର ଏହି ହତ୍ୟାକାଣ୍ଡ ପଛର କାରଣ ରାଜନୈତିକ ହିଂସା ନାଁ ଗ୍ରାମରେ ଲାଗି ରହିଥିବା ଦୀର୍ଘ ଦିନର ଶତୃତାର ପରିଣାମ, ତାହା ସ୍ପଷ୍ଟ ହୋଇନାହିଁ।

Report- Bikash

Related Posts

About The Author

Add Comment