ପୁରୀ, ୧୦/୯ (ସନ୍ଧାନ ନିୟୁଜ) ପୁଣି ପୁରୀରେ ଡବଲ୍ ଏନକାଉଣ୍ଟର । ଗତକାଲି ରାତିରେ ୨ଟି ଭିନ୍ନ ଭିନ୍ନ ସ୍ଥାନରେ ଏନକାଉଣ୍ଟର ହୋଇଥିବା ବେଳେ ଏଥିରେ ୨ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି । ଆହତ ୨ଜଣ ହେଲେ ବିଶୁ ଓରଫ୍ ବିଶ୍ୱରଞ୍ଜନ ସାହୁ ଏବଂ ବାଲି ମାଫିଆ ଟିକି ମିଆଁ ଓରଫ୍ ସିୟାମତ୍ ଖାନ୍ । ଏମାନେ ଦୁହେଁ ବ୍ରାଉନସୁଗାର ଓ କୋରେକ୍ସ ବ୍ୟବସାୟୀ ବୋଲି ଜଣାପଡିଛି । ଗତକାଲି ରାତିରେ ଦୁର୍ଦ୍ଦାନ୍ତ ଅପରାଧୀ ବିଶ୍ୱରଞ୍ଜନ ସାହୁ ତାଳବଣିଆ ଥାନା ଅଞ୍ଚଳରେ ଥିବା ନେଇ କୁମ୍ଭାରପଡା ପୋଲିସକୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା । ଏହାପରେ ପୋଲିସ ତା’କୁ ତୁରନ୍ତ ଗିରଫ କରିବାକୁ ଉଦ୍ୟମ ଆରମ୍ଭ କରିଥିଲା । ଏହି ସମୟରେ ପୋଲିସ ଓ ବିଶ୍ୱ ମଧ୍ୟରେ ଗୁଳି ବିନିମୟ ହୋଇଥିବା ବେଳେ ପୋଲିସ ବିଶ୍ୱକୁ ଏନକାଉଣ୍ଟର କରିଛି । ବିଶ୍ୱଠାରୁ ଗୋଟିଏ ବନ୍ଧୁକ, ଗୁଳି ସହ ଏକ ବାଇକ୍ ଜବତ କରିଛି ପୋଲିସ । ବିଶ୍ୱ ଦୀର୍ଘଦିନ ଧରି କୋରେକ୍ସ ଓ ବ୍ରାଉନସୁଗାର କାରବାର କରୁଥିଲା । ସେହିପରି ବାଲି ମାଫିଆ ଟିକି ଖାଁକୁ ମଧ୍ୟ ବାସେଳି ଥାନା ପୋଲିସ ଏନକାଉଣ୍ଟର କରିଛି । ଗତ କିଛିଦିନ ହେବ ସିପସରୁବାଲି ଅଞ୍ଚଳରୁ ଟିକି ବାରମ୍ବାର ବେଆଇନ ଭାବେ ବାଲି ଉଠାଇ ବିକ୍ରି କରୁଥିବା ଖବରପାଇ ପୋଲିସ ତାକୁ ଗିରଫ କରିବାକୁ ଜାଲ ବିଛାଇଥିବା ବେଳେ କାଲି ସଫଳତା ମିଳିଛି । ତେବେ ଗତକାଲି ରାତିରେ ବାଲି ଚୋରା ଚାଲାଣ ହେଉଥିବା ସମୟରେ ପୋଲିସ ଚଢଉ କରିଥିଲା । ହେଲେ ଟିକି ଖାଁ ଓଲଟା ପୋଲିସ ଉପରକୁ ଗୁଳି ଚଳାଇଥିଲା । ପାଲଟା ଜବାବରେ ପୋଲିସର ଗୁଳିମାଡରେ ଟିକି ଖାଁ ଆହତ ହୋଇଥିବା ଜଣାପଡିଛି । ତା’କୁ ପ୍ରଥମେ ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ଅବସ୍ଥା ଗୁରୁତର ହେବାରୁ ତା’କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପୋଲିସ ତା’ ନିକଟରୁ ଗୋଟିଏ ବନ୍ଧୁକ ଓ ଜୀବନ୍ତ ଗୁଳି ମଧ୍ୟ ଜବତ କରିଛି । ଟିକି ନାଁରେ ବିଭିନ୍ନ ଥାନାରେ ୧୦ରୁ ଅଧିକ ମାମଲା ଥିବା ପୋଲିସ ସୂଚନା ଦେଇଛି ।

Report Lal Ananta Kumar singh



