ବାରିପଦା ୧୫/୦୭ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ମୟୂରଭଞ୍ଜ ଜିଲ୍ଲାରେ ଦିନକୁ ଦିନ କୋରନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ରବିବାର ପୁଣି ଗୋଟିଏ ଦିନରେ ଜିଲ୍ଲାରେ ନୂଆ ୧୪ କୋରନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଜଣେ ତେଲେଙ୍ଗାନା ଫେରନ୍ତା ପ୍ରବାସୀ ଓଡ଼ିଆ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୦ ଜଣ ସ୍ଥାନୀୟ ସଂକ୍ରମିତ ଏବଂ ପୁଣି ୩ଜଣ ନୂଆ କୋରାନା ଯୋଦ୍ଧା ପଜିଟିଭ ଚିହ୍ନଟ ହୋଇଛନ୍ତି । ସୂଚନା ମୁତାବକ କୁଳିଅଣା, ଖୁଣ୍ଟା ଏବଂ କୁସୁମୀ ବ୍ଲକରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ୪ସଂକ୍ରମିତ ତିରିଂ ବ୍ଲକରୁ ଏବଂ ୭ ସଂକ୍ରମିତ ରରୁଆଁ ବ୍ଲକରୁ ଚିହ୍ନଟ ହୋଇଛନ୍ତି । ୧୦ ସ୍ଥାନୀୟ ସଂକ୍ରମିତ ମଧ୍ୟରେ ୬ ଜଣ ସଂକ୍ରମିତ ରରୁଆଁ ବ୍ଲକରୁ ହୋଇଥିଲା ବେଳେ ୨ ଜଣ ସଂକ୍ରମିତ ତିରିଂ ବ୍ଲକରୁ ଏବଂ ଆଉ ଜଣେ ଖୁଣ୍ଟା ବ୍ଲକର ବୋଲି ଜଣାପଡିଛି । ସେପଟେ ଅନ୍ୟ ଜଣକ ଭୁବନେଶ୍ବରରୁ ଚିହ୍ନଟ ହୋଇଥିବା ବେଳେ ତାଙ୍କ ଘର କୁସୁମୀ ବ୍ଲକରେ । ସେହିପରି ୩ କୋରନା ଯୋଦ୍ଧାଙ୍କ ରରୁଆଁରୁ ଜଣେ ଆଶାକର୍ମୀ କୋରାନା ପଜିଟିଭ ହୋଇଥିବା ବେଳେ ତିରିଂର ଜଣେ ଆଶାକର୍ମୀ ଏବଂ ଅଙ୍ଗନବାଡ଼ି କର୍ମୀ ବୋଲି ଜଣାପଡିଛି । ସମସ୍ତ ସ୍ଥାନୀୟ ସଂକ୍ରମିତ ଓ କୋରନା ଯୋଦ୍ଧାଙ୍କ କଣ୍ଟାକୁ ଟ୍ରେସିଂ ଜାରି ରହିଛି । ଜିଲ୍ଲାରେ ରବିବାର ସୁଦ୍ଧା ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୪୦ ରେ ପହଞ୍ଚିଛି । ସେପଟେ ୨୬୦ ଜଣ ବର୍ତ୍ତମାନ ସୁଦ୍ଧା ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୮୦ ଜଣ କୋରାନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ରବିବାର କେବଳ ୩୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଜିଲ୍ଲାରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ଏବଂ ବିଶେଷ କରି କୋରନା ଯୋଦ୍ଧା ସଂକ୍ରମିତ ଘଟଣା ବୃଦ୍ଧି ପାଉଥିବାରୁ ଗୋଷ୍ଠୀ ସଂକ୍ରମଣର ଭୟ ଜିଲ୍ଲାବାସୀଙ୍କୁ ଆତଙ୍କିତ ଆତଙ୍କିତ କରୁଛି । ସେପଟେ ଜିଲ୍ଲାର ସ୍ଥିତି ଦିନକୁ ଦିନ ବିଗୁଡୁଥିବା ସତ୍ତ୍ୱେ ମଧ୍ୟ ଜିଲ୍ଲାବାସୀ କୋଭିଡ-୧୯ ନିୟମାବଳୀ ମାନୁନାହାନ୍ତି । ଯାହା ଫଳରେ ଦିନକୁ ଦିନ ଗୋଷ୍ଠୀ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ରରୁଆଁରେ ରବିବାର ସର୍ବାଧିକ ୭ ଜଣ କୋରନା ପଜିଟିଭ ବୋଲି ଜଣା ପଡ଼ିବା ପରେ ସୋମବାରରୁ ଶୁକ୍ରବାର ଯାଏଁ ୫ଦିନ ସଟଡାଉନ୍ ଘୋଷଣା କରାଯାଇଥିବା ବେଳେ ଶନିବାର ଓ ରବିବାର ଏମିତି ମଧ୍ୟ ସପ୍ତାହନ୍ତ ସଟଡାଉନ୍ ବ୍ୟବସ୍ଥା ରହିଛି । ସୁତରାଂ ଆସନ୍ତା ସୋମବାର ଯାଏଁ ରରୁଆଁ ସଟଡାଉନ୍ ରହିବ ବୋଲି ଜଣାପଡିଛି ।



