ପୁଣି ପ୍ରଚାର ମୈଦାନରୁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ୍

Spread the love
ଭୁବନେଶ୍ୱର, ୨୫/୪ (ସନ୍ଧାନ ନିୟୁଜ) : ପୁଣି ପ୍ରଚାର ମୈଦାନରୁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ୍ । ନବୀନ କହିଲେ, କୌଣସି ବି ଜାତୀୟ ଦଳ ପାଇବେନି ସଂଖ୍ୟାଗରିଷ୍ଠତା, କେନ୍ଦ୍ରରେ ସରକାର ଗଠନରେ ରହିବ ରାଜ୍ୟର ବଡ ଭୂମିକା
ମୁଖ୍ୟମନ୍ତ୍ରୀଙ୍କ ମିଶନ ଉତ୍ତର ଓଡିଶା । କ୍ରମାଗତ ଦି୍ୱତୀୟ ଦିନ ପାଇଁ ଉତ୍ତର ଓଡିଶା ଗସ୍ତରେ ରହି ପ୍ରଚାର ଅର୍ମ୍ କରିଛନ୍ତି ନବୀନ । ତେବେ ପ୍ରଚାର ମୈଦାନକୁ ଓହ୍ଲାଇବା ପୂର୍ବରୁ ମୁଖ୍ୟମନ୍ତ୍ରୀ ପ୍ରଥମେ ବାରିପଦାର ପ୍ରସିଦ୍ଧ ଜଗନ୍ନାଥ ମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନ କରି ଆଶୀର୍ବାଦ କାମନା କରିଥିଲେ । ଏହା ପରେ କପ୍ତିପଦାରେ ଦଳ ପକ୍ଷରୁ ଆୟୋଜିତ ଏକ ଜନସଭାରେ ସାମିଲ ହୋଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।
ତେବେ ଏହି ଅବସରରେ ନବୀନ ନିଜ ଅଭିଭାଷଣରେ କାଳିଆ ଯୋଜନାର ସଫଳତା ବଖାଣିବା ସହ କେନ୍ଦ୍ରକୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି ନବୀନ । କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହେଲେଣି କିନ୍ତୁ କେନ୍ଦ୍ରର ବିଜେପି ସରକାର ଏହାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି ବୋଲି ଅଭିଯୋଗ କରିଛନ୍ତି ନବୀନ । ମୁଁ ଥିବା ପର୍ଯ୍ୟନ୍ତ କାଳିଆକୁ କେହି ବନ୍ଦ କରିପାରିବେ ନାହିଁ ବୋଲି ଦମ୍ଭ ଦେଖାଇବା ସହ ବିଜୁ ଜନତା ଦଳ ପୁନର୍ବାର କ୍ଷମତାକୁ ଆସିଲେ ସରକାର ଗଠନର ପ୍ରଥମ ଦିନରେ ହିଁ କାଳିଆର ଦୁଇଟି କିସ୍ତିର ଟଙ୍କା ଚାଷୀଙ୍କୁ ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
କପ୍ତିପଦା ନିର୍ବାଚନୀ ସଭାରୁ ବି କେନ୍ଦ୍ରକୁ କଡା ଭାଷାରେ ସମାଲୋଚନା କରିଛନ୍ତି ନବୀନ । ସେ କହିଛନ୍ତି, ନିର୍ବାଚନ ସମୟରେ କେନ୍ଦ୍ରର ବଡ ବଡ ନେତା ଓଡିଶା ଧାଇଁ ଆସୁଛନ୍ତି ହେଲେ ବିପର୍ଯ୍ୟୟ ବେଳେ ସେମାନଙ୍କର କାହାର ବି ଦେଖାମିଳେନି । ଏପରିକି ଓଡିଶାର ଦୁଃଖ ସମୟରେ ପ୍ରଧାନମନ୍ତ୍ରୀ ଆସିଲେନି କିନ୍ତୁ ନିର୍ବାଚନ ବେଳେ ସବୁଦିନ ଓଡିଶା ଆସୁଛନ୍ତି ବୋଲି କ୍ଷୋଭ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥି ସହିତ କେନ୍ଦ୍ରରେ କୌଣସି ଜାତୀୟ ଦଳ ଏଥର ବହୁମତ ପାଇବେ ନାହିଁ ବୋଲି ଭବିଷ୍ୟବାଣୀ କରିବା ସହ କେନ୍ଦ୍ରରେ ସରକାର ଗଠନରେ ଓଡିଶା ଏବଂ ଓଡିଶା ବାସୀଙ୍କର ବିଶେଷ ଭୂମିକା ରହିବ ଏବଂ ଏହା ଓଡିଶାବାସୀ ପାଇଁ ସୁବର୍ଣ୍ଣ ସୁଯୋଗ ବୋଲି କହିଛନ୍ତି ନବୀନ ।
ମୁଖ୍ୟମନ୍ତ୍ରୀ ଆହୁରୀ ମଧ୍ୟ କହିଛନ୍ତି ଯେ, ମୟୂରଭଂଜ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ୮୦ ପ୍ରତିଶତ ଟଙ୍କା ଖର୍ଚ୍ଚ କରିଥିବା ବେଳେ କେନ୍ଦ୍ର ସରକାର ମାତ୍ର ୨୦ ପ୍ରତିଶତ ଟଙ୍କା ଦେଲେ । କେନ୍ଦ୍ର ମନ୍ତ୍ରୀ ମେଡିକାଲ କଲେଜ ପାଇଁ କିଛି କଲେନି । ରାଜ୍ୟ ସରକାରଙ୍କ ଉଦ୍ୟମରେ ମେଡିକାଲ କଲେଜ ସଫଳ ହେଲା ବୋଲି କହିବା ସହ ଏହା କେମିତିକା ହୀନ ରାଜନୀତି ବୋଲି ପ୍ରଶ୍ନ କରିଛନ୍ତି ନବୀନ । ଯାହାର ଜବାବ୍ ଓଡ଼ିଶାବାସୀ ଆଗାମି ଦିନରେ ନିଶ୍ଚିତ ଦେବେ ବୋଲି କହି ବିଜେପିକୁ ଟାର୍ଗେଟ କରିଛନ୍ତି ନବୀନ ।

Related Posts

About The Author

Add Comment