ପିଡିଏସ କିିରୋସିନି ଚୋରା ଚାଲାଣ ବିରୋଧରେ ଚଢ଼ାଉ ଦାବି

Spread the love

ଭଣ୍ଡାରିପୋଖରୀ, ୨୮/୧୧ (ସନ୍ଧାନ ନିଉଜ) : ଭଣ୍ଡାରିପୋଖରୀ ଅଞ୍ଚଳରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଓ ଦାରିଦ୍ର‌୍ୟ ସୀମା ରେଖା ତଳେ ଥିବା ଲୋକଙ୍କୁ ରେସନକାର୍ଡରେ ମିଳୁଥିବା କିରୋସିନିତେଲର ଚୋରା ଚାଲାଣ ବୃଦ୍ଧିପାଇଛି । ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳର ୨୨,୧୦୬ ରେସନ କାର୍ଡଧାରୀଙ୍କ ପାଇଁ ପ୍ରତିମାସ ସରକାର ୯୦ଜଣ ଡିଲରଙ୍କ ମାଧ୍ୟମରେ ୮୩,୧୬୩ ଲିଟର କିରୋସିନ ଯୋଗାଣ କରୁଛନ୍ତି । ଏଥିପାଇଁ ବ୍ଳକସ୍ତରରେ ହୋଲସେଲର ମଧ୍ୟ ଚରମ୍ପା ଅଞ୍ଚଳର ଜନୈକ ବ୍ୟକ୍ତିଙ୍କୁ ନିଯୁକ୍ତ କରାଯାଇଛି । ପ୍ରତ୍ୟେକ ରୋସନକାର୍ଡଧାରୀଙ୍କୁ ଦୁଇମାସରେ ଥରେ ତିନି ଲିଟର କିରୋସିନି ଇ ବିତରଣ ଯୋଗେ ଯୋଗାଇବାର ବ୍ୟବସ୍ଥା ରହିଛି । ସେଥିପାଇଁ ଛତାବରଠାରେ ହୋଲସେଲର ଡିପୋ ମଧ୍ୟ ବ୍ୟବସ୍ଥା କରିଛନ୍ତି । ହେଲେ ଡିଲରମାନେ ବାସ୍ତବରେ ଅଢ଼େଇ ଲିଟର କିରୋସିନି କାଡ ପିଛା ପ୍ରଦାନ କରିବା ମୁତାବକ କିରୋସିନି ଉଠାଣ କରି ହୋଲସେଲର ଠାରୁ ବାକି କିରୋସିନି ବାବଦକୁ ଅର୍ଥ ନେଇଯାଉଥିବା ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି । ହୋଲସେଲର ଛତାବର ଅଞ୍ଚଳରେ ଥିବା କେତେକ ବଙ୍ଗୀୟ କିରୋସିନି ଚୋରାବେପାରୀଙ୍କ ମାଧ୍ୟମରେ ଭୂତିଆ ଗ୍ରାମର କିରୋସିନି ଚୋରା ବେପାରୀଙ୍କୁ ବିକ୍ରୟ କରୁଥିବା ଜଣାଯାଇଛି । ଭୂତିଆରେ ଶହ ଶହ ଲିଟର ଚୋରା କିରୋସିିନିକୁ କଳିକତାରୁ କେମିକାଲ ପାଉଡର ଅଣାଯାଇ ଡିଜେଲରେ ପରିଣତ କରାଯାଉଛି । ଏହି ଭେଜାଲ ଡିଜେଲକୁ ସଂପୃକ୍ତ ବଙ୍ଗୀୟ କିରୋସିନି ଚୋରା ବେପାରୀ ଡାହାଲା ଅଞ୍ଚଳରେ ଥିବା ଆନ୍ତଃଜିଲ୍ଲା କିରୋସିନି ଓ ଡିଜେଲ ଚୋରା ବେପାରୀଙ୍କୁ ବିକ୍ରୟ କରି ବିପୁଳ ପରିମାଣର ମୁନାଫା ଉଠାଉଥିବା ଅଭିଯୋଗ ହୋଇଛି । ଏହି କାରବାର ଉପରେ ଭଣ୍ଡାରିପୋଖରୀ ଥାନାଳ ପକ୍ଷରୁ ଗତ ପାଞ୍ଚବର୍ଷ ପୂର୍ବେ ଚଢ଼ଉ କରିଚୋରା ବେପାରୀକୁ ଜେଲ ପଠାଇଥିଲା । ଏହାପରେ ଆଦୌ ଚଢ଼ାଉ ହୋଇନଥିବାରୁ ଚୋରା ବେପାରୀ ଖୋଲାଖୋଲି ଭାବେ କିରୋସିନିକୁ ଡିଜେଲରେ ରୂପାନ୍ତରିତ କରି ଚାଲିଛନ୍ତି । ଏ ସମ୍ପର୍କରେ ସ୍ଥାନୀୟ ଯୋଗାଣ ଅଧିକାରୀ ଅବଗତ ଥିବା ନେଇ ସୂଚନା ଦେଇଛନ୍ତି । ମାତ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପ୍ରଶ୍ନକୁ ଅଜଣା କାରଣ ପାଇଁ ଏଡାଇଯାଇଛନ୍ତି ।

Related Posts

About The Author

Add Comment