ପାରାଦ୍ୱୀପ,୨୪/୧୨/୨୦୧୮(ସନ୍ଧାନ ନିୟୁଜ): ପାରାଦୀପ ତୈଳ ବିଶୋଧନାଗାର ସମ୍ମୁଖରେ ବିଜେଡ଼ି ନେତାମାନେ ଗର୍ଜିଛନ୍ତି । ସ୍ଥାନୀୟ ଅଂଚଳର ବେକାର ଯୁବକଙ୍କୁ ଆଇଓସିଏଲ ପ୍ରକଳ୍ପରେ ନିଯୁକ୍ତିକୁ କର୍ତୃପକ୍ଷ ଅଣଦେଖା କରୁଛନ୍ତି ବୋଲି ରୋକଠୋକ ଅଭିଯୋଗ କରିଛନ୍ତି । ବୁଲେଇ ବଙ୍କେଇ କେନ୍ଦ୍ର ସରକାରଙ୍କୁ କଡା ଭାଷାରେ ଭର୍ତ୍ସନା କରିଛନ୍ତି ବିଜେଡ଼ି ନେତାମାନେ । ଶ୍ରମିକ ସମାବେଶ ଆଳରେ ବିଜେଡ଼ି ସରକାରର ତିନି ତିନିଜଣ ମନ୍ତ୍ରୀ ଓ ବିଧାୟକ ପାରାଦ୍ୱୀପରେ ଶକ୍ତ୍ରିଦର୍ଶନ ବି କରିଛନ୍ତି । ବିଜେଡି ନେତାମାନେ ଅଭିଯୋଗ କରିଛନ୍ତି ଯେ ବନ୍ଦର ନଗରୀ ଏବେ ଶିଳ୍ପ ନଗରୀରେ ପରିଣତ ହୋଇଛି । ୧୯୬୨ ମସିହରୁ ଆଜି ପର୍ଯ୍ୟନ୍ତ ଏଠାରେ ଗଢି ଉଠିଥିବା ବିଭିନ୍ନ ଶିଳ୍ପପାଇଁ ଜମିଦେବା ପରେ ସ୍ଥାନୀୟ ବାସିନ୍ଦା ମାନେ ନିଯୁକ୍ତ ପାଇବା ପାଇଁ ସଂଘର୍ଷ କରୁଛନ୍ତି । ପାରାଦ୍ୱୀରେ ପିିଏଲ, ଇଫକୋ, ଏସାର ଓ ଆଇଓସିଏଲ ଭଳି ୧୫ରୁ ଅଧିକ ଶିଳ୍ପସଂସ୍ଥା ଗଢି ଉଠିଛି । ଏହି ପ୍ରକଳ୍ପ ପାଇଁ ସ୍ଥାନୀୟ ଲୋକମାନେ ୨୩ହଜାର ଏକରରୁ ଅଧିକ ଜମି ଦେଇଥିଲେ ମଧ୍ୟ ନିଯୁକ୍ତି ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରୁଛନ୍ତି । ରାଜ୍ୟ ସରକାର ସ୍ଥାନୀୟ ବେକାର ଯୁବକ ଓ ଯୁବତୀଙ୍କୁ ଶିଳ୍ପସଂସ୍ଥାରେ ନିଯୁକ୍ତି ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି । ନବୀନ ବାବୁଙ୍କ ନେତୃତ୍ୱରେ ସ୍ଥାନୀୟ ଲୋକଙ୍କ ସମସ୍ୟା ଦୂର ହେବ ବୋଲି ମନ୍ତ୍ରୀ ପ୍ରତାପ ଜେନା, ମନ୍ତ୍ରୀ ଉଷାଦେବୀ, ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଓ ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଧାୟକ ପ୍ରଶାନ୍ତ ମୁଦୁଲି ପ୍ରମୁଖ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଜଗତସିଂହପୁର ସାଂସଦ ଡା.କୁଳମଣି ସାମଲ, କଟକ-ବାରବାଟି ବିଧାୟକ ଦେବାଶିଷ ସମାନ୍ତରାୟ, ବିଧାୟକ ଅତନୂ ସବ୍ୟସାଚ୍ଚୀ ନାୟକ, ବିଜୁ ଶ୍ରମିକ ସାମ୍ମୁଖ୍ୟର ରାଜ୍ୟ ସଭାପତି ସୁବାଷ ସିଂ, ଶ୍ରମିକ ନେତା ସନ୍ତୋଷ ପଟ୍ଟନାୟକ, ଗୋଲେଖ ନାୟକ, ଅମୃତ ଦାସ ପ୍ରମୁଖ ଯୋଗଦେଇ ଆଇଓସିଏଲ କର୍ତୃକ୍ଷ ଓ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ । ପାରାଦୀପରେ ଗଢିଉଠିଥିବା ଶିଳ୍ପଶିଳ୍ପାୟନରେ ବେକାର ଯୁବକ ଯୁବତୀଙ୍କଚ ଥଇଥାନ କରିବା ବିଜୁ ଶ୍ରମିକ ସାମ୍ମୁଖ୍ୟର ମୂଳ ଲକ୍ଷ୍ୟ । ଯଦି ନିଯୁକ୍ତି ପ୍ରକ୍ରିୟାରେ ବ୍ୟତିକ୍ରମ ହୁଏ ବିଏସ୍ଏସ୍ ଆନ୍ଦୋଳନ ମାଧ୍ୟମରେ ଜବାବ ଦେବ ବୋଲି ଦେବାଶିଷ କହିଥିଲେ । ଯେଉଁ ନେତୃତ୍ୱ ପାରାଦୀପରେ ଅଭାବ ଥିଲା ସେହି ନେତୃତ୍ୱ ଆଜି ଏଠାରେ ପହଁଚି ଯାଇଛି । ଆଗାମୀ ଦିନରେ ପାରାଦୀପରରେ ନୂତନ ମାନଚିତ୍ର ତିଆରୀ ହେବା ସହ ପ୍ରଗତୀ ଓ ବିକାଶର ଦୃଷ୍ଟିକୁ ସମ୍ପୁର୍ଣ୍ଣ ଭାବେ ପ୍ରାଧାନ୍ୟ ଦିଆଯିବ ବୋଲି ଦେବାଶିଷ ନିଜ ଅଭିଭାଷଣରେ କହିଥିଲେ । ବାହାର ରାଜ୍ୟରୁ ଆସି ବିଭିନ୍ନ ଶିଳ୍ପସଂସ୍ଥାଗୁଡ଼ିକ ଏଠାରେ ନିଜର କାୟା ବିସ୍ତାର କରିଚାଲିଛନ୍ତି । ଏଠାରେ ଥିବା ତୈଳ ବିଶୋଧନାଗାରରେ କେନ୍ଦ୍ର ସରକାର ସ୍ଥାନୀୟ ଲୋକଙ୍କୁ ଉପେକ୍ଷା କରି ବେଙ୍ଗଲ ଓ ବିହାର ଲୋକଙ୍କୁ ଗୁରୁତ୍ୱ ଦେଉଛନ୍ତି । ଫଳରେ ଆଇଓସିଏଲ ପାଇଁ ବିସ୍ଥାପିତ ହୋଇଥିବା ଓ ଜମି ହରାଇଥିବା ବିସ୍ଥାପିତ ଜମିହରା ପରିବାର ଆଜି ଚାକିରୀ ନ ପାଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି । ଅପରପକ୍ଷେ ଶ୍ରମିକ ସଂଗଠନ ଆଳରେ କିଛି ଦଲାଲ ରାତାରାତି କୋଟିପତି ହୋଇଛନ୍ତି ବୋଲି ରବିବାର ଆଇଓସିଏଲ ସମ୍ମୁଖରେ ବିଜୁ ଶ୍ରମିକ ସାମ୍ମୁଖ୍ୟର ମହାସମାବେଶରେ ଯୋଗ ଦେଇଥିବା ବକ୍ତାମାନେକହିଛନ୍ତି । ଏହି ସଭାରେ କଟକ-ବାରବାଟି ବିଧାୟକ ଦେବାଶିଷ ସାମନ୍ତରାୟ କହିଥିଲେ ଅଂଚଳବାସୀଙ୍କ ସ୍ୱାର୍ଥ ପାଇଁ ଆଗାମୀ ଦିନରେ ସମସ୍ତଙ୍କୁ ନେଇ ଏଠାରେ ଜୋରଦାର ଆନ୍ଦୋଳ ନ ହେବ । ପରୋକ୍ଷରେ ବିଜେଡ଼ିରୁ ବହିଷ୍କୃତ ନେତା ଡ଼ା. ଦାମୋଦର ରାଉତଙ୍କୁ ଆକ୍ଷେପ କରି ଦେବାଶିଷ କହିଥିଲେ ଅତୀତର ନେତୃତ୍ୱ ଆଜି ପାରାଦୀପ ଉପରେ ନିର୍ଭର କରୁଥିବା କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ ଓ ପୁରୀ ଜିଲାର ଲୋକଙ୍କ ଜୀବନ ଜୀବିକାକୁ ଅନ୍ଧାର ଭିତରକୁ ଠେଲି ଦେଇଛି । ନେତାମାନେ ଲୋକଙ୍କୁ ଅଣଦେଖା କରି କମ୍ପାନୀଗୁଡ଼ିକର ଦଲାଲି କରିବା କାରଣରୁ ଆଜି ଶିଳ୍ପସମୃଦ୍ଧ ପାରାଦୀପରେ ଲୋକେ ହାହତାଶ ଭିତରେ କାଳ କାଟୁଛନ୍ତି । ଆଗାମୀ ଦିନରେ ପାରାଦୀପର ବିକାଶ ତଥା ପ୍ରଗତିର ମାନଚିତ୍ର ବଦଳିବ ଏବଂ ଏହି ନେତୃତ୍ୱର ଆଗରେ ସେ ରହିବେ ବୋଲି ଏହି ଅବସରରେ ଦେବାଶିଷ କହିଥିଲେ । ଅନ୍ୟତମ ବିଶିଷ୍ଟ ଶ୍ରମିକ ନେତା ତଥା ପାରଦୀପରେ ଥିବା ୯ଟି ଶ୍ରମିକ ସଂଗଠନର ସଭାପତି ସନ୍ତୋଷ ପଟ୍ଟନାୟକ ତାଙ୍କ ସଂଗଠନ ବିଜୁ ଶ୍ରମିକ ସାମ୍ମୁଖ୍ୟ ସହିତ ସାମିଲ ହୋଇଥିବାରୁ ମଂଚାସୀନ ସମସ୍ତ ଅତିଥି ଓ ପାରାଦୀପର ବିଜେଡ଼ି ନେତୃବୃନ୍ଦଙ୍କୁ ସାଧୁବାଦ ଜଣାଇଥିଲେ । ଆଗାମୀ ଦିନରେ ପାରାଦୀପରେ ଥିବା ଆଇଓସିଏଲ ସମେତ ସମସ୍ତ ଶିଳ୍ପାନୁଷ୍ଠାନରେ ସ୍ଥାନୀୟ ବେକାର ଯୁବକ ଯୁବତୀଙ୍କୁ ଅଧିକ ସଂଖ୍ୟାରେ ଥଇଥାନ କରିବା ଦିଗରେ ସେ ବିଜୁ ଶ୍ରମିକ ସାମ୍ମୁଖ୍ୟ ସହିତ ମିଶି ହେବାକୁ ଥିବା ସମସ୍ତ କାର୍ଯ୍ୟକ୍ରମରେ ସକ୍ରୀୟ ଭାବେ ଅଂଶଗ୍ରହଣ କରିବେ ବୋଲି ଏହି ଅବସରରେ ସନ୍ତୋଷ କହିଥିଲେ । ଶ୍ରମିକ ନେତା ଶ୍ରୀ ପଟ୍ଟନାୟକଙ୍କ ନେତୃତ୍ୱରେ ୯ଟି ସଙ୍ଗଠନର ପ୍ରାୟ ୧୦ହଜାରରୁ ଅଧିକ ଶ୍ରମିକ ସମାବେଶରେ ସାମିଲ ହୋଇଥିଲେ । ସଭା ପୂର୍ବରୁ ଜିରୋପଏଂଟଠାରେ ଥିବା ପୂର୍ବଭାରତ ତୈଳ ବିଶୋଧନାଗାର ଶ୍ରମିକ ସଂଘଠାରୁ ଶୋଭାଯାତ୍ରା ବାହାରି ଆଇଓସିଏଲ ସମ୍ମୁଖ ସଭାସ୍ଥଳ ପର୍ଯ୍ୟନ୍ତ ଯାଇଥିଲା । ଏହି ଶ୍ରମିକ ସମାବେଶ ଆଳରେ ବିଜେଡ଼ି ନେତାମାନେ ଶକ୍ତି ପ୍ରଦର୍ଶନ କରିଥିଲେ । ତେବେ ସମାବେଶରେ ଜିଲା ବିଜେଡ଼ି ସଭାପତି ବିଷ୍ଣୁ ଦାସଙ୍କ ଅନୁପସ୍ଥିତି ଦେଖିବାକୁ ମିଳିଥିଲା । ଓଡ଼ିଶା ସମାଚାର
ପାରାଦୀପରେ ବିଜୁ ଶ୍ରମିକ ସାମ୍ମୁଖ୍ୟର ମହାସମାବେଶ ଅନୁଷ୍ଠିତ
|
December 24, 2018 |