ଅହମ୍ମଦାବାଦ, ୧୪/୯ (ସନ୍ଧାନ ନିଉଜ) : ଗୁଜୁରାଟର ନର୍ମଦା ସରୋବର ଡ୍ୟାମ୍ ଉପରେ ନିର୍ମିତ ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ୍ ୟୁନିଟିକୁ ଦେଖିବା ପାଇଁ ପ୍ରତିଦିନ ପର୍ଯ୍ୟଟକଙ୍କ ଭିଡ ଲାଗି ରହିଛି। ଅନ୍ୟପକ୍ଷରେ ବିଦେଶରେ ମଧ୍ୟ ଏହି ସର୍ଦ୍ଦାର ବଲ୍ଳଭ ଭାଇ ପଟେଲ୍ଙ୍କ ପ୍ରତିମୂର୍ତ୍ତିକୁ ନେଇ ଜୋରସୋର ଚର୍ଚ୍ଚା ବି ହୋଇଥିଲା।
ନର୍ମଦା ନଦୀ ଗର୍ଭରେ ଥିବା ଏକ ଟାପୁରେ ଷ୍ଟାଚ୍ୟୁ ଅଫ୍ ୟୁନିଟ ନିର୍ମିତ ହୋଇଛି। କିନ୍ତୁ ଆଜି ପର୍ଯ୍ୟନ୍ତ ଏଥିରେ ଏତେ ପରିମାଣର ପାଣି ଭରିବା କେବେ ଦେଖିବାକୁ ମିଳି ନଥିଲା। ପ୍ରବଳ ବର୍ଷା ହେତୁ ପ୍ରଥମ ଥର ପାଇଁ ଷ୍ଟାଚ୍ୟୁ ଅଫ୍ ୟୁନିଟିର ଚର୍ତୁଃପାର୍ଶ୍ୱରେ ପାଣି ଭରି ରହିଛି। ଯାହାର ଦୃଶ୍ୟ ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରିଛି। ହାଲକା ବର୍ଷା ସହିତ ଜଳବନ୍ଦୀ ମଧ୍ୟରେ ଥିବା ଷ୍ଟାଚ୍ୟୁ ଅଫ୍ ୟୁନିଟିକୁ ଦେଖିବା ପାଇଁ ପ୍ରତିିଦିନ ପର୍ଯ୍ୟଟକଙ୍କ ଭିଡ ଲାଗି ରହିଛି।
ଲଗାଣ ବର୍ଷା ହେତୁ ସରୋବର ଡ୍ୟାମ୍ର ଜଳସ୍ତର ପ୍ରଥମ ଥର ୧୩୭ ଫୁଟ ଉଚ୍ଚକୁ ପହଁଞ୍ଚି ଯାଇଛି। ବିଶାଳ ମୂର୍ତ୍ତିକୁ ପାଣି ଘେରରେ ଦେଖିବା ସହିତ ଏଠାକର ସୌନ୍ଦର୍ଯ୍ୟ ଏବଂ ଉକ୍ତ ଅଞ୍ଚଳର ପ୍ରାକୃତିକ ଶୋଭାରାଜି ଦେଖି ପର୍ଯ୍ୟଟକ ବେଶ୍ ବିମୋହିତ ବି ହେଉଛନ୍ତି।