ସୋପିଆନ୍/ ଶ୍ରୀନଗର, ୭/୮ (ସନ୍ଧାନ ନିଉଜ) : ଏକ ସଂପୂର୍ଣ୍ଣ ଅପ୍ରତ୍ୟାଶିତ ଘଟଣାକ୍ରମରେ ମୋଦି ସରକାର ଜମ୍ମୁ- କଶ୍ମୀରରୁ ଧାରା ୩୭୦କୁ ଉଚ୍ଛେଦ କରିଦେବା ପରେ ପଡ଼ୋଶୀ ପାକିସ୍ତାନ ସହ ଭାରତର ସଂପର୍କ ତିକ୍ତ ଓ ଉଗ୍ର ହୋଇପଡ଼ିଛି। ଏହି ପରିପ୍ରେକ୍ଷୀରେ ଦୁଇ ପାଦ ଆଗେଇ ଯାଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଗତକାଲି (ମଙ୍ଗଳବାର) ‘ଏପ୍ରକାର ନିଷ୍ପତ୍ତି ପାଇଁ ଭାରତକୁ ଭବିଷ୍ୟତରେ ଆହୁରି ବହୁ ପୁଲଓ୍ଵାମା ଆକ୍ରମଣର ସମ୍ମୁଖୀନ ହେବାକୁ ପଡ଼ିବ’ ବୋଲି କହି ଭାରତକୁ ପରୋକ୍ଷରେ ଚେତାବନୀ ଦେବା ପରେ ପରେ ପାକ୍ ସେନାମୁଖ୍ୟ ଜେନେରାଲ କମର୍ ଜାଭେଦ୍ ବାଜଓ୍ଵା କହିଥିଲେ, ‘ଏ ନିଷ୍ପତ୍ତି ବିରୋଧରେ ଆମେ କଶ୍ମୀର ବାସୀଙ୍କୁ ସମସ୍ତ ପ୍ରକାରର ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ଯେ କୌଣସି ସ୍ତରକୁ ଯିବାକୁ ପ୍ରସ୍ତୁତ ଅଛୁ।’
ତେବେ, ପାକ୍ ପ୍ରଧାନମନ୍ତ୍ରୀ ଓ ସେନାମୁଖ୍ୟଙ୍କ ଏ ବିବୃତି ଗଣମାଧ୍ୟମରେ ପ୍ରକାଶ ପାଇବାର ଘଣ୍ଟାକ ମଧ୍ୟରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ଗତକାଲି ସନ୍ଧ୍ୟାରୁ ଜମ୍ମୁ- କଶ୍ମୀର ଗସ୍ତରେ ଯାଇ ସେଠାରେ ଡେରା ପକାଇବା ଘଟଣା ପାକିସ୍ତାନ ଆଖିରୁ ନିଦକୁ ହଜାଇ ଦେବା ସହ ହୃଦସ୍ପନ୍ଦନକୁ ବଢ଼ାଇ ଦେଇଛି। ଖାଲି ଏତିକି ନୁହେଁ ଏବେ ସମଗ୍ର ବିଶ୍ୱର ନଜର ଏବେ ଡୋଭାଲଙ୍କ କଶ୍ମୀର ଗସ୍ତ ଉପରେ ହିଁ କେନ୍ଦ୍ରଭୂତ ହୋଇ ରହିଛି। କାରଣ, ପାକିସ୍ତାନ ବିରୋଧରେ ଭାରତ ପୂର୍ବରୁ କରିଥିବା ସର୍ଜିକାଲ ଷ୍ଟ୍ରାଇକ୍ର ମାଷ୍ଟର ମାଇଣ୍ଡ ଓ ସଫଳ ବିନ୍ଦାଣୀ ହେଉଛନ୍ତି ଅଜିତ୍ ଡୋଭାଲ୍। ଖାଲି ଏତିକି ନୁହେଁ ଭାରତୀୟ ଗୁଇନ୍ଦା ସଂସ୍ଥା ‘ର’ର ଗୁପ୍ତଚର ଭାବେ ପାକିସ୍ତାନରେ ଦୀର୍ଘ ୭ ବର୍ଷର ରହଣି କାଳରେ ସେ ପାକିସ୍ତାନ ସେନା ବାହିନୀରେ ମଧ୍ୟ ନିଜକୁ ସାମିଲ କରାଇବାରେ ସମର୍ଥ ହୋଇଥିଲେ। ତେଣୁ, ପାକ୍ ସେନାର ସମସ୍ତ ଚାଲ ବାବଦରେ ସେ ବେଶ ଭଲ ରୂପେ ପରିଚିତ।