ଭୁବନେଶ୍ୱର୧୮/୧/୨୦୨୦ (ସନ୍ଧାନ ନିଉଜ ବ୍ୟୁରୋ) : ରାଜସ୍ଥାନର ନଟୱାରା ପଞ୍ଚାୟତ ନିର୍ବାଚନ ଏବେ ଚର୍ଚ୍ଚାରେ । ପ୍ରଥମ ଥର ହେଲା ପାକିସ୍ତାନର ମୂଳ ବାସିନ୍ଦା ଜଣେ ପାକିସ୍ତାନୀ ହିନ୍ଦୁ ମହିଳା ଭାରତରେ ସରପଞ୍ଚ ହୋଇଛନ୍ତି । ପାକିସ୍ତାନ ସିନ୍ଧରୁ ଆସିଥିବା ନୀତା ସୋଧା (36 ବର୍ଷ) ରାଜସ୍ଥାନର ନଟୱାରାରେ ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି ।
ଶୁକ୍ରବାର ଦିନ ପ୍ରଥମ ଚରଣରେ ରାଜସ୍ଥାନର 2726 ଗାଁରେ ନିର୍ବାଚନ ହୋଇଥିଲା । 17,000 ଆଶାୟୀ ନିର୍ବାଚନୀ ମୈଦାନରେ ଫାଇଟ୍ କରୁଥିଲେ । କିନ୍ତୁ ସମସ୍ତଙ୍କ ନଜର ନୀତାଙ୍କ ଉପରେ ଥିଲା । ଟୋଙ୍କ ଜିଲ୍ଲା ନଟୱାରା ଗ୍ରାମପଞ୍ଚାୟତରେ ମୋଟ 2494 ଭୋଟରୁ 1,073 ଭୋଟ ସହ ବିଜୟ ହାସଲ କରିଛନ୍ତି ନୀତା । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦି ସୋନା ଦେବୀଙ୍କୁ 362 ଭୋଟରେ ହରାଇଛନ୍ତି । ନଟୱାରା ଗ୍ରାମପଞ୍ଚାୟତରେ ସରପଞ୍ଚ ପଦ ପାଇଁ ମୋଟ 7 ମହିଳା ନିର୍ବଚନ ଲଢ଼ୁଥିଲେ ।