ବଡଚଣା,୨୫/୦୬ (ସନ୍ଧାନ ନିଉଜ): ମହାମାରୀ କୋଭିଡ-୧୯ରେ ସମଗ୍ର ବିଶ୍ୱ କଳୁସିତ ହେଉଥିବା ବେଳେ ୧୬ ନମ୍ବର ଜାତୀୟ ରାଜପଥରେ ଲୁଟେରାଙ୍କ ପ୍ରାଦୁଭାବ ଲାଗିରହିଛି । କଥାରେ ଅଛି ‘ମୋତେ ଯେତେ ମାଠିବୁ ମାଠ ମୁଁ ସେହି ଦରପୋଡା କାଟ’ ନିତିରେ ଲୁଟେରା କେବେ ହେଲେ ତାଙ୍କ ଅଭ୍ୟାସ ଛାଡିବେ ନାହିଁ । ବଡଚଣା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଆରକେଡି କମ୍ପାନୀ ନିକଟରେ ଗତ କାଲି ରାତିରେ ବେଣାପୁର ଅଞ୍ଚଳର ଜଣେ ଯୁବକ କଟକ ବଡ ଡାକ୍ତରଖାନାରେ ନିଜ ସମ୍ପର୍କୀୟଙ୍କୁ ଭେଟି ଘରକୁ ଫେରିଥିଲେ । ରାତି ପ୍ରାୟ ୧୧.୩୦ ସମୟରେ ଏକୁଟିଆ ଆସିବା ସମୟରେ ୪ ଜଣ ଲୁଟେରା ହଠାତ୍ ଆସି ତାଙ୍କୁ ଅଟକାଇ ତାଙ୍କର ପଲସର ବାଇକକୁ ନେଇଯାଇଥିଲେ । ଯୁବକ ଜଣଙ୍କ ତାଙ୍କ ସହିତ ପାଟିତୁଣ୍ଡ କରିଥିଲେ ମଧ୍ୟ ସେମାନେ ପଲସର ସହିତ ତାର ମୋବାଇଲକୁ ନେଇଯାଇଥିଲେ । ଆଜି ସକାଳେ ଲୁଟର ଶିକାର ହୋଇଥିବା ଯୁବକ ବଡଚଣା ଥାନାରେ ଅଭିଯୋଗ କରିବା ପରେ ଥାନାଧିକାରୀ ମୋବାଇଲକୁ ଟ୍ରାକିଂ କରିବାରୁ ସେମାନେ ଚଣ୍ଡିଖୋଲ ଅଞ୍ଚଳରେ ଥିବା ଜାଣିବାକୁ ପାଇବା ପରେ ତତକ୍ଷଣାତ ଥାନାଧିକାରୀ ପ୍ରିୟବ୍ରତ ରାଉତ ସଦଳବଳେ ଯାଇ ଦୁଇ ଜଣ ଲୁଟେରାଙ୍କୁ କାବୁ କରିଥିଲେ । ତେତବେ ଏଥିରେ ସଂପୃକ୍ତ ଥିବା ଆଉ ଦୁଇ ଜଣଙ୍କୁ ଧରିବା ଲାଗି ପୁଲିସ ଉଦ୍ୟମ ଚଳାଇଛି । ତେବେ ଧରାପଡିଥିବା ଦୁଇଜଣଙ୍କୁ ଥାନାରେ ଅଟକ ରଖାଯାଇ ତଦନ୍ତ କରାଯାଉଛି ।
ପଲସର ଲୁଟିଥିବା ଦୁଇ ଲୁଟେରା ଅଟକ
|
June 25, 2020 |



