ଜେନାପୁର, ୧୦/୧୨ (ସନ୍ଧାନ ନିଉଜ୍/ ପ୍ରଶାନ୍ତ ସାମଲ ) ଧର୍ମଶାଳା ବ୍ଲକ ଅଧୀନ ଜେନାପୁର ଥାନା ଅନ୍ତର୍ଗତ ମର୍ଜିତାପୁର ଗ୍ରାମ ଦଳିତ ସାହିର ଜଳଧର(୫୫)ଙ୍କ ହତ୍ୟାକାଣ୍ଡର ରହସ୍ୟକୁ ଜେନାପୁର ପୋଲିସ ଦୁଇ ଦିନ ମଧ୍ୟରେ ପର୍ଦା ଫାସ କରିଛି । ସୂଚନା ଥାଉକି ଜଳଧର ସବୁଦିନ ଭଳି ଗତ ସୋମବାର ଦିନ ଗ୍ରାମ ନିକଟସ୍ଥ ଏକ ପଡିଆକୁ ଛେଳି ଚରାଇବାକୁ ଯାଇଥିଲେ । ତାଙ୍କୁ କେହି ସେଠାରେ ବାଡେଇ ବାଡେଇ ହତ୍ୟା କରି ଏକ କିଆ ବୁଦା ଭିତରେ ଫୋପାଡ଼ି ଦେଇଥିଲା । ଖବର ପାଇ ଜେନାପୁର ଆଇଆଇସି ସଦଳବଳେ ଘଟଣା ସ୍ଥାନରେ ପହଁଚି ଶବ ଜବତ କରି ଘଟଣାକୁ ଅତି ଗୁରୁତର ସହ ନେଇ ଏକ ହତ୍ୟା ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲେ । ଘଟଣାରୁ ପ୍ରକାଶଯେ ଜଳଧର ଉକ୍ତ ପଡ଼ିଆରେ ଛେଳି ଚରାଉଥିବା ବେଳେ ସେହିବାଟ ଦେଇ ଉକ୍ତ ପଞ୍ଚାୟତର ନୂଆସାହିର ସ୍ବର୍ଗତ କୃତିବାସ ଦାସଙ୍କ ପୁଅ ଭିକାରୀ ଦାସ(୪୯) ଯାଉଥିଲାବେଳେ ଜଳଧରଙ୍କୁ ଦେଖି ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଳଧରଙ୍କ ସହ ଭିକାରୀର ପୂର୍ବ ଘଟଣା କଥାକୁ ନେଇ ଯୁକ୍ତି ତର୍କ ହୋଇଥିଲା । ପରେ ଭିକାରୀ ଘଟଣା ସ୍ଥଳରେ ଜଳଧରଙ୍କୁ ଅଟକ ରଖି ତାର ପୁଅ ସନ୍ତୋଷକୁ ଫୋନ ଯୋଗେ ଖବର ଦେଇଥିଲା । ଘଟଣା ସ୍ଥଳରେ ଭିକାରୀର ପୁଅ ସନ୍ତୋଷ ପହଁଚିବା ପରେ ବାପ ପୁଅ ମିଶି ଜଳଧର ଧରିଥିବା ଠେଙ୍ଗାକୁ ଛଡାଇ ସେହି ଠେଙ୍ଗାରେ ଜଳଧରଙ୍କୁ ବାଡେଇ ବାଡେଇ ମରିଦେବା ପରେ ମୃତ ଦେହକୁ ଲୁଚାଇବାକୁ ଯାଇ ଏକ କିଆ ବୁଦା ଭିତରକୁ ଫୋପାଡ଼ି ଦେଇ ଚାଲିଯାଇଥିଲେ । ସେହି ଦିନ ଅଭିଯୁକ୍ତ ଭିକାରୀ ଓ ତା ପୁଅ ସନ୍ତୋଷ ଫେରାର ହୋଇଯାଇଥିଲେ । ଉକ୍ତ ଘଟଣାକୁ ଯାଜପୁର ଏସଡିପିଓ ଚିନ୍ମୟ କୁମାର ନାୟକ ଓ ଜେନାପୁର ଥାନା ଅଧିକାରୀ ଆଶିଷ କୁମାର ସାହୁ ତଦନ୍ତ କରି ଭିକାରୀ ଓ ତା ପୁଅର ମୋବାଇଲକୁ ଟ୍ରାକିଂ କରି କଟକ ବାଦାମ ବାଡ଼ି ବସ ଷ୍ଟାଣ୍ଡରୁ ଗିରଫ କରିବାସହ ବ୍ୟବହୃତ ଠେଙ୍ଗାକୁ ଜବତ କରାଯାଇଛି ବୋଲି ବୁଧବାର ଦିନ ଯାଜପୁର ରୋଡ଼ ସ୍ଥିତ ଏସଡ଼ିପିଓଙ୍କ କାର୍ଯ୍ୟାଳୟରେ ଏକ ପ୍ରେସ ମିଟ କରି ଏସଡିପିଓ ଚିନ୍ମୟ କୁମାର ନାୟକ ସୂଚନା ଦେଇଛନ୍ତି
ପର୍ଦାଫାସ ହେଲା ଛେଳିଚରାଳୀର ମୃତ୍ୟୁ : କଟକ ବାଦାମ ବାଡିରୁ ବାପ ପୁଅକୁ ବାନ୍ଧିଲା ଜେନାପୁର ପୋଲିସ
|
December 10, 2020 |
