ପରୀକ୍ଷା ଦିନ ସକାଳ ୬ଟାରୁ ୮ଟା ୩୦ ମଧ୍ୟରେ ପହଞ୍ଚିବ ପ୍ରଶ୍ନପତ୍ର । ପରୀକ୍ଷା କେନ୍ଦ୍ର ଅଞ୍ଚଳରେ ଲାଗୁ କରାଯିବ ୧୪୪ ଧାରା

Spread the love
କଟକ, ୧୯/୨(ସନ୍ଧାନ ନିଉଜ) ଫେବ୍ରୁଆରି ୨୨ରୁ ମାଟ୍ରିକ୍ ପରୀକ୍ଷା। ଏଥର ୨୯୫୩ଟି ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷ ୮୭ ହଜାର ୭୨୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ପ୍ରଶ୍ନପତ୍ରର ସୁରକ୍ଷା ଲାଗି ରାଜ୍ୟରେ ୩୦୪ଟି ନୋଡାଲ୍ ସେଣ୍ଟର କରାଯାଇଛି। ନୋଡାଲ ସେଣ୍ଟରରୁ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଇବା ଲାଗି ୭୦୧ଟି ଟିମ୍ ଗଠନ ହୋଇଛି। ପରୀକ୍ଷା ଦିନ ସକାଳ ୬ଟାରୁ ୮ଟା ୩୦ ମଧ୍ୟରେ ପ୍ରଶ୍ନପତ୍ରଗୁଡ଼ିକ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବ। ପ୍ରଶ୍ନପତ୍ରର ତ୍ରିସ୍ତରୀୟ କଭର ବ୍ୟବସ୍ଥା ରହିବ। ୨ୟ ସ୍ତର ସିଲ୍ ପରୀକ୍ଷା ହଲରେ ନିରୀକ୍ଷକ ଓ ପରୀକ୍ଷାର୍ଥୀମାନଙ୍କ ସମ୍ମୁଖରେ ଖୋଲାଯିବ। ପରେ ପରୀକ୍ଷାର୍ଥୀ ନିଜେ ତୃତୀୟସ୍ତର ସିଲ୍ ଖୋଲି ଉତ୍ତର ଲେଖିବେ।
ପରୀକ୍ଷାର ପ୍ରଥମ ଦିନ ସକାଳ ୯ଟାରେ ପରୀକ୍ଷାର୍ଥୀମାନେ କେନ୍ଦ୍ରକୁ ପ୍ରବେଶ କରିବେ। ଅନ୍ୟ ଦିନଗୁଡ଼ିକରେ ପୂର୍ବାହ୍ନ ୯ଟା ୧୫ରେ ପ୍ରବେଶ କରିବେ। କପି ରୋକିବା ପାଇଁ ଛାତ୍ର ଓ ଛାତ୍ରୀଙ୍କୁ ଅଲଗା ଅଲଗା ଯାଞ୍ଚ କରାଯିବ। ପରୀକ୍ଷା କେନ୍ଦ୍ର ଭିତରକୁ ମୋବାଇଲ୍ ଫୋନ୍ ନିଷିଦ୍ଧ କରାଯାଇଛି। ପରୀକ୍ଷା ନିରୀକ୍ଷକ ବା ପରୀକ୍ଷା ସହ ସମ୍ପୃକ୍ତ କୌଣସି କର୍ମଚାରୀ/ଅଧିକାରୀ କେନ୍ଦ୍ର ମଧ୍ୟକୁ ମୋବାଇଲ୍ ଫୋନ୍ ନେଇପାରିବେ ନାହିଁ। କପି ରୋକିବା ତଥା ପରୀକ୍ଷାର ସୁପରିଚାଳନା ପାଇଁ ଏବର୍ଷ ୫୮ଟି ଫ୍ଲାଇଂ ସ୍କ୍ବାଡ୍, ୪୪ଟି ସ୍ବତନ୍ତ୍ର ସ୍କ୍ବାଡ୍ ଓ ୬ଟି ଜୋନାଲ ସ୍କ୍ବାଡ୍ ଗଠନ କରାଯାଇଛି। ଆବଶ୍ୟକତା ଅନୁଯାୟୀ ପରୀକ୍ଷା କେନ୍ଦ୍ର ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ସଚିବାଳୟଠାରେ ଅନୁଷ୍ଠିତ ଜିଲ୍ଲାୱାରି ଭିଡିଓ କନ୍ଫେରେନ୍ସିଂ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ହୋଇଛି।
ପରୀକ୍ଷା ପରିଚାଳନା ପାଇଁ ୧୭ ପଏଣ୍ଟ ସମ୍ବଳିତ ଷ୍ଟାଣ୍ଡାର୍ଡ ପ୍ରୋଟକଲ ପ୍ରସ୍ତୁତ କରାଯାଇ ସମସ୍ତ କେନ୍ଦ୍ର ସୁପରିଟେଣ୍ଡେଣ୍ଟଙ୍କୁ ଦିଆଯାଇଛି। ଏନେଇ ତାଲିମ ମଧ୍ୟ ଦିଆଯାଇଛି। ସୋସିଆଲ ମିଡିଆରେ ପ୍ରଶ୍ନପତ୍ର ଲିକ୍ ତଥା ଭିଇରାଲ୍ ସମ୍ବନ୍ଧିତ ଗୁଜବକୁ ପ୍ରତିହତ କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଜାଗ ରହିବା ପାଇଁ ଉନ୍ନୟନ କମିସନର ଅସିତ୍ କୁମାର ତ୍ରିପାଠୀ ବୈଠକରେ ପରାମର୍ଶ ଦେଇଛନ୍ତି। ଏଥିପାଇଁ ସ୍ବତନ୍ତ୍ର ଅଧିକାରୀଙ୍କୁ ଦାୟିତ୍ବ ଦେବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି।

Related Posts

About The Author

Add Comment