ଲାଠିକଟା, (ସନ୍ଧାନ ନିଉଜ) କରୋନା ମହାମାରୀକୁ ଦୃଷ୍ଟିରେ ରଖି ପୂର୍ବରୁ ରାଉରକେଲାରେ ଲକ ଡାଉନ ଚାଲିଥିବା ବେଳେ, ବର୍ତମାନ ସପ୍ତାହର ଶନିବାର ଓ ରବିବାର ସପ୍ତାହନ୍ତ ସଟଡାଉନ ପ୍ରକିୟା ଜାରି ରହିଛି । ପୁଲିସ ପକ୍ଷରୁ ସାରନଗରୀର ପ୍ରମୁଖ ଛକ ଯେପରି ମା’ ମଙ୍ଗଳା ଛକ, ଆଇଡ଼ିଏଲ ଛକ, ପୂର୍ଣ୍ଣାନନ୍ଦ ମାର୍କେଟ ଛକ, ରଙ୍ଗୋଲି ଛକ ଓ ଅନ୍ୟ ଅଂଚଳରେ ଦିନରାତି ପାଟ୍ରୋଲିଂ କରାଯାଇ ଅମାନିଆ ମାନଙ୍କୁ ତାଗିଦ କରାଯାଉଛି । ସେହିପରି ସାରନଗରୀର ଗଳିକନ୍ଦିରେ ନାଲୀବତୀ ସହ ଘୁରି ବୁଲୁଛି ପିସିଆର ଭ୍ୟାନ । ଅପରପକ୍ଷରେ ପୁଲିସକୁ ଚକମା ଦେଇ ସାରନଗରୀରେ ଥିବା ଭଙ୍ଗା ପରିତ୍ୟକ୍ତ ଘର ଓ ଅ।।ବାସ ଅନୁପଯୁକ୍ତ ଘର ଗୁଡ଼ିକରେ ମଧ୍ୟାହ୍ନ ଠାରୁ ଆରମ୍ଭ କରି ସଂଧ୍ୟା ଯାଏ ଜୁଆଖେଳ ଚାଲୁଥିବା ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ଖାଲିଥିବା ପରିତ୍ୟକ୍ତ ଘର ଗୁଡ଼ିକରେ ଅନ୍ଧାରର ସୁଯୋଗ ନେଇ ଜୁଆଡି ମାନେ ଜୁଆ ଖେଳରେ ମାତି ରହୁଛନ୍ତି । ଜୁଆ ଖେଳ ସମୟରେ ନିଜ ନିଜ ଭିତରେ କଳିଝଗଡ଼ା କରୁଥିବାରୁ ଏହାକୁ ନେଇ ପାଖରେ ଥିବା ପଡୋଶୀ ମାନେ ଏକ ପ୍ରକାର ବୀତବ୍ୟସ୍ତ ହୋଇ ପଡୁଛନ୍ତି । ପୁଲିସ ଭୟରେ ଏଭଳି କିଛି ପରିତ୍ୟକ୍ତ ଘରକୁ ସୁରକ୍ଷାର କବଚ ଭାବେ ଗ୍ରହଣ କରି ଜୁଆଡି ମାନେ ବାଛି ନେଇଥିବା ଅଂଚଳବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ଜୁଆଖେଳ ସମାଜ ଉପରେ କୁପ୍ରଭାବ ପକାଇବା ସହ ଏହା ଦ୍ୱାରା ଯୁବ ସମାଜ ପଥଭ୍ରଷ୍ଟ ହେଉଛି ବୋଲି ରାଉରକେଲା ବାର ଆସୋସିଏସନର ଆଇନଜିବୀ ସୁବୋଧ ନାୟକ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ସାରନଗରୀର ପରିତ୍ୟକ୍ତ ଘର ଓ ଅନ୍ୟ ଜାଗାରେ ଅବାଧରେ ଚାଲୁଥିବା ଜୁଆଖେଳ ଉପରେ ପୁଲିସିଆ ଲଗାମ ଲଗାଇବାକୁ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଦାବି ହୋଇଛି ।
ପରିତ୍ୟକ୍ତ ଘର ପାଲଟିଛି ଅସାମାଜିକଙ୍କ ଅଭୟାରଣ୍ୟ!
|
August 28, 2020 |