ପବିତ୍ର କାର୍ତ୍ତିକ ବ୍ରତ ଆରମ୍ଭ : ପୁରୀରେ ୩ହଜାର ହବିଷ୍ୟାଳୀଙ୍କ ପାଇଁ ପ୍ରଶାସନର ଆନୁସଙ୍ଗିକ ବ୍ୟବସ୍ଥା

Spread the love

ପୁରୀ, ୧୫/୧୦ (ସନ୍ଧାନ ନିୟୁଜ) ପବିତ୍ର କାର୍ତ୍ତିକ ବ୍ରତ ଆରମ୍ଭ ହେବାକୁ ଯାଉଛି । ଓଡ଼ିଶାର ଗାଁରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ କାର୍ତ୍ତିକ ବ୍ରତ ପାଇଁ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ । ବିଶେଷକରି ଏହି ହବିଷମାସ ପାଳନ ପାଇଁ ହବିଷ୍ୟାଳୀମାନେ ଶଙ୍ଖକ୍ଷେତ୍ର ପୁରୀକୁ ଅଧିକ ଗୁରୁତ୍ୱ ଦେଇଥାଆନ୍ତି । ସେଥିପାଇଁ ଏଠାରେ ଗତ କିଛିବର୍ଷ ହେବ ଜିଲ୍ଲା ପ୍ରଶାସନ ପକ୍ଷରୁ ହବିଷ୍ୟାଳୀଙ୍କ ପାଇଁ ମାଗଣାରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଆସୁଛି । ଏଥର କାର୍ତ୍ତିକ ବ୍ରତ ଅବସରରେ ଶ୍ରୀକ୍ଷେତ୍ର ପୁରୀରେ ୩ହଜାର ହବିଷ୍ୟାଳୀଙ୍କ ପାଇଁ ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି । ଏ ସଙ୍କ୍ରାନ୍ତରେ ଜିଲ୍ଲାପାଳ ବଲୱନ୍ତ ସିଂ ଆଜି ଟାଉନହଲଠାରେ ଏକ ସମୀକ୍ଷା ବୈଠକ କରିଥିଲେ । ୩ହଜାର ହବିଷ୍ୟାଳୀଙ୍କ ମଧ୍ୟରୁ ରେଳବାଇ ପର୍ଯ୍ୟଟନ କେନ୍ଦ୍ର ପରିସରରେ ୯ଶହ, ପୌରସଂସ୍ଥା କଲ୍ୟାଣ ମଣ୍ଡପରେ ୬ଶହ ଏବଂ ନରେନ୍ଦ୍ରକୋଣସ୍ଥିତ ହବିଷ୍ୟାଳୀ କେନ୍ଦ୍ରରେ ପ୍ରାୟ ୧୫ଶହ ଶ୍ରଦ୍ଧାଳୁଙ୍କୁ ରଖିବା ପାଇଁ ବ୍ୟବସ୍ଥା କରାଯାଇଛି । ସୂଚନା ମୁତାବକ ଏଯାବତ୍ ୧୭୨୭ଜଣ ହବିଷ୍ୟାଳୀ ନିଜର ନାଁ ପଞ୍ଜୀକରଣ କରିସାରିଥିବା ବେଳେ ଅନ୍ୟ ଜିଲ୍ଲାରୁ ହବିଷ୍ୟାଳୀଙ୍କ ନାଁ ଆସିବାକୁ ବାକି ଅଛି । ରେଳବାଇ ପରିସରରେ ୯ଶହ ଓ କଲ୍ୟାଣ ମଣ୍ଡପରେ ୫୫୦ଜଣ ହବିଷ୍ୟାଳୀଙ୍କୁ ପ୍ରାଥମିକତା ଭିତ୍ତିରେ ରହିବା ନେଇ ତାଲିକାଭୁକ୍ତ କରାଯିବା ସହ ଏ ସମ୍ପର୍କରେ ସେମାନଙ୍କୁ ଅବଗତ କରାଯାଇଛି । ଏଥିପାଇଁ ୩ଜଣ ସୁପରଭାଇଜିଂ ଅଧିକାରୀ, ୪ଜଣ କୋ-ଅର୍ଡିନେଟିଂ ଅଧିକାରୀଙ୍କ ସମେତ ୧୨ଜଣ ନୋଡାଲ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି । ଏଥିସହ ସେମାନଙ୍କୁ ସହାୟତା କରିବା ପାଇଁ ପ୍ରାୟ ୪୦ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ଦାୟୀତ୍ୱ ଦିଆଯାଇଛି । ହବିଷ୍ୟାଳୀମାନଙ୍କ ପୂଜାର୍ଚ୍ଚନା, ରହିବା, ମହାପ୍ରସାଦ ସେବନ, ପାନୀୟ ଜଳ, ଗରମ ପାଣି, ପୂଜାପିଣ୍ଡି, ଆକାଶ ଦୀପ, ସିସିଟିଭି, ଆଶୁ ଚିକିତ୍ସା କେନ୍ଦ୍ର, ସୁରକ୍ଷା ଆଦି ବ୍ୟବସ୍ଥା ଗ୍ରହଣ କରାଯାଇଛି । ମନ୍ଦିରକୁ ଯାଅଆସ କରିବା ପାଇଁ ରେଳବାଇ ପରିସରରେ ୨ଟି ବସର ବ୍ୟବସ୍ଥା କରାଯାଇଛି । ସେହିପରି ସ୍ନାନ ପାଇଁ ନରେନ୍ଦ୍ର ପୋଖରୀରେ ତୁଠ ବ୍ୟବସ୍ଥା ସହ ଅଗ୍ନିଶମ ଏବଂ ସୁରକ୍ଷା କର୍ମଚାରୀଙ୍କୁ ମୁତୟନ କରାଯିବ ବୋଲି ଜିଲ୍ଲାପାଳ ଆଜି ସମୀକ୍ଷା ବୈଠକରେ ସୂଚନା ଦେଇଛନ୍ତି । ସେହିପରି ମନ୍ଦିର ଭିତରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ କରାଇବା ପାଇଁ ସ୍ୱେଚ୍ଛାସେବୀମାନେ ସହଯୋଗ କରିବେ । ପ୍ରତି ହବିଷ୍ୟାଳୀ କେନ୍ଦ୍ରରେ ବିଭିନ୍ନ ପର୍ଯ୍ୟାୟରେ ଆଶକର୍ମୀ, ଅଙ୍ଗନବାଡି କର୍ମୀ, ଶିକ୍ଷକ-ଶିକ୍ଷୟିତ୍ରୀ, Red Cross ର ସଭ୍ୟ, ଦମକଳ ବାହିନୀ, ମଧ୍ୟ ଉପସ୍ଥିତ ରହିବେ । ମହାପ୍ରସାଦ ସେବନ ସମୟରେ ସ୍ୱୟଂ ସହାୟକ ଗୋଷ୍ଠୀ ସହଯୋଗ କରିବେ ବୋଲି ଜଣାପଡିଛି । ପ୍ରତ୍ୟେକ ହବିଷ୍ୟାଳୀଙ୍କ ପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ ସୁଚରୁ ରୂପେ କରିବା ପାଇଁ ଜିଲ୍ଲାପାଳ ବଲୱନ୍ତ ସିଂ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ।

ପୁରୀ ଜିଲ୍ଲା ପ୍ରତିନିଧି ଲାଲା ଅନନ୍ତ କୁମାର ସିଂହଙ୍କ ରିପୋର୍ଟ l

Related Posts

About The Author

Add Comment