ପଢନ୍ତୁ କମଳାକାନ୍ତ ଦାସଙ୍କ କବିତା ‘ଆଜିର ଜନତା’
ଦରକାର ନାହିଁ ଦେଶର ପ୍ରଗତି
ନିଜ କଥା ଭାବୁ ଥାଏ,
ମିଳିଯାଏ ଯଦି ଦି ବକତ ରୁଟି
ଶାନ୍ତିରେ ଖଟରେ ଶୁଏ।
ଦରକାର ନାହିଁ ଦେଶର ସୁରକ୍ଷା
ଦେଶ ଯାଉ ବିକ୍ରି ହୋଇ,
ଦେଶଦ୍ରୋହୀଙ୍କର ଜୟ ଜୟ କରି
ବୋତଳରେ ଭାସୁଥାଇ।
ଦରକାର ନାହିଁ ଛୁଆଙ୍କ ଭବିଷ୍ୟ
ଆଗେ ନିଜେ ଯାଏ ବଞ୍ଚି,
କି ମିଳିବ ଆଉ ଏଲ.ଆଇ.ସି କରି
କି ପାଇବି ଧନ ସଞ୍ଚି।
ଦରକାର ନାହିଁ ଖଟିବାକୁ ମୋର
ମିଳେ ପାଞ୍ଚ ଟଙ୍କା ଅନ୍ନ,
ତାଶ୍ ଖେଳି ଖେଳି କାଟିଦିଏ ରାତି
ଦାରୁ ପିଇ କାଟେ ଦିନ।
ଦରକାର ନାହିଁ ଗାଁକୁ ସଡକ
ବିଜୁଳି ନଥିଲେ ନାହିଁ,
ପୂର୍ଣ୍ଣମୀ ଜହ୍ନରେ ଆଲୋକ ମିଳୁଛି
ନହେଲେ ତାରାକୁ ଚାହିଁ।
ଦରକାର ନାହିଁ ଗର୍ବରେ ବଞ୍ଚିବା
ଗୋଲାମୀରେ ଆମେ ଖୁସି,
ଚାଟୁକାର ହେଲେ ଅଇଁଠା ପତରୁ
ମିଳୁଛି ଆମକୁ ବେସି।
ଦରକାର ନାହିଁ ହେବା ସ୍ୱାଭିମାନି
ଅନେଇ ରହୁ ପରକୁ,
ପର ବୁଦ୍ଧିରେ ତ ରାଜା ହେଇଯିବୁ
ନଖଟେଇ ନିଜ ବୁଦ୍ଧିକୁ।
ଦରକାର ନାହିଁ ସୁଝିବା କରଜ
ଋଣ ସୁଝେ ସରକାର,
କି ପାଇବି ଜାଣି ମାଲାମାଲ୍ କିଏ
ଫାଇଦା କେଉଁ ଦଳର।
ଦରକାର ନାହିଁ ଫସଲ କରିବା
ମିଳେ ଦି ଟଙ୍କା ଚାଉଳ,
ଚାଷୀ ସମସ୍ୟାରେ କାହିଁ ଛିଡାହେବି
ବହେଇବି ନିଜ ଝାଳ।
କମଳାକାନ୍ତଦାସ
ହାଟସାହି, ଶୁକଳ, ବରୀ, ଯାଜପୁର
Related Posts
About The Author