ଭୁବନେଶ୍ୱର, ୨୩/୦୧/୨୦୨୨ (ସନ୍ଧାନ ନିଉଜ) ପ୍ରକାଶ ପାଇଛି ପଞ୍ଚାୟତ ନିର୍ବାଚନ ପାଇଁ ଯୋଗ୍ୟ ପ୍ରାର୍ଥୀମାନଙ୍କର ତାଲିକା । ମୋଟ ୨ ଲକ୍ଷ ୨୦ ହଜାର ୪୧୪ ଜଣ ପ୍ରାର୍ଥୀ ନିର୍ବାଚନରେ ଲଢିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସେଥୁରୁ ୱାର୍ଡମେମ୍ବର ପାଇଁ ୧ ଲକ୍ଷ ୫୬ ହଜାର ୭୫୩, ସରପଞ୍ଚ ପାଇଁ ୩୨ ହଜାର ୮୬୦, ସମିତି ସଭ୍ୟ ପାଇଁ ୨୭ ହଜାର ୩୪ ଓ ଜିଲ୍ଲା ପରିଷଦ ସଭ୍ୟ ପାଇଁ ୩ ହଜାର ୭୬୭ ଜଣ ପ୍ରାର୍ଥୀ ଯୋଗ୍ୟ ବିବେଚିତ ହୋଇଛନ୍ତି ।
ସେହିପରି ତେବେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ୮୬୪୮ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ୍ ହୋଇଛି । ଏଥିରେ ୱାର୍ଡ ମେମ୍ବର ପାଇଁ ୫୫୪୪ ଜଣ, ସରପଞ୍ଚ ପାଇଁ ୧୭୫୩, ପଞ୍ଚାୟତ ସମିତି ପାଇଁ ୧୧୧୯ ଓ ଜିଲ୍ଲା ପରିଷଦ ସଭ୍ୟ ପାଇଁ ୨୩୨ ଜଣ ରହିଛନ୍ତି । ଏନେଇ ରାଜ୍ୟ ନିର୍ବାଚନ କମିସନରଙ୍କ ସଚିବ ସୂଚନା ଦେଇଛନ୍ତି ।
ସୂଚନା ଅନୁସାରେ, ପଞ୍ଚାୟତ ନିର୍ବାଚନ ପାଇଁ ଗତ ୨୧ ତାରିଖରେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଥିଲା । ସେହିପରି ଫେବ୍ରୁଆରୀ ୧୬, ୧୮, ୨୦, ୨୨ ଓ ୨୪ ତାରିଖରେ ବିଭିନ୍ନ ମତଦାନ କେନ୍ଦ୍ରରେ ଭୋଟିଂ ହେବ । ଏହାସହିତ ଫେବ୍ରୁଆରୀ ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୋଟ ଗଣତି ସହ ଫଳାଫଳ ଘୋଷଣା ହେବ ।