ନ୍ୟୁଜିଲାଣ୍ଡ୍‌ ସହ ଦ୍ଵିତୀୟ ଦିନିକିଆରେ ୯୦ ରନରେ ଭାରତ ବିଜୟୀ; ୨-୦ରେ ଆଗୁଆ

Spread the love

ମାଉଣ୍ଟ୍‌ ମେଙ୍ଗନୁଇ (ନ୍ୟୁଜିଲାଣ୍ଡ୍‌), ୨୬/୧ (ସନ୍ଧାନ ନିୟୁଜ) : ମାଉଣ୍ଟ୍‌ ମେଙ୍ଗନୁଇର ବେ ଓଭାଲଠାରେ ଚାଲିଥିବା ଭାରତ-ନ୍ୟୁଜିଲାଣ୍ଡ୍‌  ଦ୍ଵିତୀୟ ଦିନିକିଆରେ ୯୦ ରନରେ ଭାରତ ବିଜୟୀ ହୋଇଛି।  ୩୨୫ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରୁଥିବା  ନ୍ୟୁଜିଲ୍ୟାଣ୍ଡ ଟିମ୍‌ ୪୦.୨ ଓଭରରେ ୨୩୪ ରନ୍ କରି ଅଲ୍‌ ଆଉଟ୍ ହୋଇଯାଇଛି। ଏହି ବିଜୟ ସହିତ ଭାରତୀୟ ଦଳ ସିରିଜ୍‌ରେ ୨-୦ରେ ଆଗୁଆ ହୋଇଛି।

ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଅଧିନାୟକ କୋହଲିଙ୍କ ନିଷ୍ପତ୍ତିକୁ ଠିକ୍‌ ପ୍ରମାଣିତ୍‌ କରି ଭାରତର ଦୁଇ ଓପନିଂ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଓ ଶିଖର ଧାଓ୍ଵନ ଅର୍ଦ୍ଧଶତକ ହାସଲ କରିଥିଲେ। ତେବେ ଶିଖର ଧାଓ୍ଵନ ୬୭ଟି ବଲ ଖେଳି ୯ଟି ଚୌକା ସହାୟତାରେ ୬୬ରନ୍‌ ଓ ରୋହିତ ଶର୍ମା ୮୭ରନ୍‌ରେ ଆଉଟ ହୋଇ ପାଭିଲିୟନକୁ ଫେରବା ପରେ ଭାରତର ରନ୍‌ ସଂଗ୍ରହର ଗତି ଆଶନୁରୂପ ହୋଇ ନ ଥିଲା।। ବିରାଟ କୋହଲି (୪ରନ) ଓ ଅମ୍ବାତି ରାଇଡୁ (୪୭ରନ) ପରେ ଶେଷ ଓଭରରେ ମହେନ୍ଦ୍ର ସିଂହ ଧୋନୀ ଓ କେଦାର ଯାଦବଙ୍କ ବ୍ୟାଟିଂ ଯୋଗୁଁ ଭାରତର ନିର୍ଦ୍ଧାରିତ ୫୦ ଓଭରରେ ୪ ଓ୍ଵିକେଟ ହରାଇ ୩୨୪ ରନ୍‌ ସଂଗ୍ରହ କରିଥିଲା।

ଜବାବରେ ନ୍ୟୁଜିଲାଣ୍ଡ ବ୍ୟାଟିଂ କରି ନିୟମିତ ବ୍ୟବଧାନରେ ଓ୍ଵିକେଟ ହରାଇ ବିପଦରେ ପଡ଼ିଥିଲା । ଡଗ୍ ବ୍ରାସ୍‌ୱେଲ୍‌ଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ଖେଳାଳି କ୍ରିଜ୍‌ରେ ତିଷ୍ଠି ପାରି ନ ଥିଲେ। ଓପନର ମାର୍ଟିନ୍ ଗପ୍‌ଟିଲ୍‌ ୧୫ ରନ୍ କରିଥିବା ବେଳେ କୋଲିନ୍ ମୁନ୍‌ରୋ ୩୧, ଅଧିନାୟକ କେନ୍ ୱିଲିଆମ୍‌ସନ୍ ୨୦, ରସ୍ ଟେଲର ୨୨, ଟୋମ୍ ଲାଥମ ୩୪ ଓ ହେନ୍‌ରୀ ନିକୋଲ୍‌ସ ୨୮ ରନ୍ କରିଥିଲେ। ନ୍ୟୁଜିଲ୍ୟାଣ୍ଡ ଦଳ ୪୦.୨ ଓଭରରେ ୨୩୪ ରନ୍ କରି ଅଲ୍‌ ଆଉଟ୍ ହୋଇଯାଇଥିଲା।

ଭାରତ ପକ୍ଷରୁ କୁଲ୍‌ଦୀପ ଯାଦବଙ୍କୁ ମିଳିଛି ସର୍ବାଧିକ ସଫଳତା। ସେ ୪ଟି ୱିକେଟ୍ ନେଇଥିବା ବେଳେ ୟୁଜଭେନ୍ଦ୍ର ଚହଲ ୨ଟି, ଭୁବନେଶ୍ୱର କୁମାର ୨ଟି, ମହମ୍ମଦ ସାମି ଓ କେଦାର ଯାଦବ ଗୋଟିଏ ଲେଖାଏଁ ୱିକେଟ୍ ହାସଲ କରିଛନ୍ତି।

Related Posts

About The Author

Add Comment