ନ୍ୟାୟ ନପାଇ ଜଣେ ମହିଳା କିରାସିନି ଢାଳି ହୋଇ ଆତ୍ମାହୁତି ଉଦ୍ୟମ

Spread the love

ବାରିପଦା, ୦୩.୦୨.୨୦୨୧ (ସନ୍ଧାନ ନିଉଜ୍ ):- ପୁଲିସଠାରୁ ନ୍ୟାୟ ନପାଇ ଜଣେ ମହିଳା ଆଜି ପ୍ରତିବାଦ ସ୍ୱରୂପ ନିଜ ଦେହରେ କିରାସିନି ଢାଳି ହୋଇ ଆତ୍ମାହୁତି ଉଦ୍ୟମ କରିଛନ୍ତି । ଏ ଅଘଟଣ ଘଟିଛି ରାଜକନିକା ଥାନା ସାମ୍ନାରେ । ପୁଲିସର ପ୍ରିୟାପ୍ରୀତି ତୋଷଣ, ପକ୍ଷପାତ ବିଚାର ତଥା ରାଜନେତାଙ୍କ ହାତବାରିସି ସାଜିବା ଯୋଗୁଁ ସାଧାରଣ ଲୋକେ ନ୍ୟାୟ ପାଇବାରୁ ବଂଚିତ ହେଉଥିବା ଅଭିଯୋଗ ଆସିଥାଏ । ଯାହାର ଏକ ନିଚ୍ଛକ ଉଦାହରଣ ଆଜି ଥାନା ସମ୍ମୁଖରେ ଦେଖିବାକୁ ମିଳିଥିଲା । ରାଜକନିକା ଥାନା କଣ୍ଡିଆ ଫାଣ୍ଡି ଅଧୀନ ହାଟସାହି ଗାଁର ମାନିନୀ ସାହାଣୀ ଗତ ଜାନୁଆରୀ ୯ ତାରିଖ ଦିନ ରାତି ୧୨ ଟାରେ ନିଜ ଦିଅର ଅମରେନ୍ଦ୍ର ସାହାଣୀ ଓ ତାଙ୍କ ସାଥୀଙ୍କ ଦ୍ୱାରା ବଳାତ୍କାର ଉଦ୍ୟମର ଶିକାର ହୋଇଥିଲେ ବୋଲି ପରଦିନ ଅର୍ଥାତ୍‌ ଜାନୁଆରୀ ୧୦ ତାରିଖ ଦିନ କଣ୍ଡିଆ ଫାଣ୍ଡିରେ ଅଭିଯୋଗ କରିବାକୁ ଯାଇଥିଲେ । ମାତ୍ର ଫାଣ୍ଡି ଅଧିକାରୀ ଏତଲା ନ ରଖି ରାଜକନିକା ଥାନାକୁ ଯାଅ ବୋଲି କହିବାରୁ ମାନିନୀ ସେଠାକୁ ଯାଇ ଏତଲା ଦେଇଥିଲେ । ରାଜକନିକା ପୁଲିସ କିଛି ନ ବୁଝିବାରୁ ଅଭିଯୁକ୍ତମାନେ ପୁନଶ୍ଚ ତାଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ ବୋଲି ମାନିନୀ ଅଭିଯୋଗ କରିଥିଲେ । ଗତ ମାସ ୨୨ ତାରିଖ ଦିନ ମାନିନୀ ପୁଣି ଥାନାକୁ ଯିବା ସହ ୨୯ ତାରିଖ ଦିନ ଏସ୍‌ପିଙ୍କୁ ଲିଖିତ ଭାବେ ଜଣାଇଥିଲେ । ମାତ୍ର କେହି ତାଙ୍କୁ ନ୍ୟାୟ ନ ଦେବାରୁ ମାନିନୀ ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ରାଜକନିକା ଥାନା ସମ୍ମୁଖରେ ନିଜ ଦେହରେ କିରାସିନି ଢାଳି ହୋଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତେବେ ଉପସ୍ଥିତ ଥିବା ପୁଲିସ କର୍ମଚାରୀ ତାଙ୍କୁ ଅଟକାଇବା ସହ ତୁରନ୍ତ ନ୍ୟାୟ ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଅପରପକ୍ଷରେ, ମାନିନୀଙ୍କ ଅଭିଯୋଗ ମୁତାବକ ତାଙ୍କ ଦିଅରଙ୍କ ସହଯୋଗୀ ଅର୍ଥାତ୍‌ ହାଟସାହି ପଞ୍ଚାୟତର ନାଏବ ସରପଞ୍ଚ ଧନୁର୍ଜୟ ନାଏକ କଣ୍ଡିଆ ଫାଣ୍ଡି ଅଧିକାରୀଙ୍କ ସଂପର୍କୀୟ ହୋଇଥିବାରୁ ତାଙ୍କୁ ନିରାଶ କରାଯାଉଛି । ଜାନୁଆରୀ ୧୦ ତାରିଖ ଦିନ ସେ କଣ୍ଡିଆ ଫାଣ୍ଡିକୁ ଲିଖିତ ଅଭିଯୋଗ କରିବାକୁ ଯାଇଥିବା ବେଳେ ଫାଣ୍ଡି ଅଧିକାରୀଙ୍କ ସହ ଧନୁର୍ଜୟ ସେଠାରେ ବସି ଆଲୋଚନା କରୁଥିଲେ । ତେଣୁ ତାଙ୍କ ଠାରୁ ଫାଣ୍ଡି ଅଧିକାରୀ ଏତଲା ରଖିବା ପରିବର୍ତ୍ତେ ସେଠାରୁ ତାଙ୍କୁ ତଡ଼ି ଦେଇଥିଲେ । ଖାଲି ଫାଣ୍ଡି ଅଧିକାରୀ ନୁହନ୍ତି, ରାଜକନିକା ଥାନା ପୁଲିସ ତାଙ୍କ ଠାରୁ ସବୁ ଶୁଣିବା ପରେ ମଧ୍ୟ ଅଭିଯୁକ୍ତଙ୍କୁ ନ ଡାକି ତାଙ୍କୁ ୩ ଦିନ ଧରି ଥାନାକୁ ଡକାଇବା ସହ ରାତିରେ ଥାନାରେ ରହିବାକୁ କହିଥିଲେ ବୋଲି ମାନିନୀ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ସେ ଏସ୍‌ପିଙ୍କୁ ମଧ୍ୟ ଜଣାଇଥିବା କହିଛନ୍ତି । ଏ ସମ୍ପର୍କରେ ରାଜକନିକା ଥାନା ଅଧିକାରୀ ସଂଜୀବ ରଣଭୈସାଁଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ମୁଁ ଘଟଣା ସମ୍ପର୍କରେ ଜାଣି ନଥିଲି । ଆଜି ଏ ସମ୍ପର୍କରେ ସମ୍ପୂର୍ଣ୍ଣ ଅବଗତ ହେଲି । ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି । ସୂଚନାଯୋଗ୍ୟ, ଭତ୍ତାରୁ ବଂଚିତ ଜଣେ ମହିଳା ଗତ ମାସ ୫ ତାରିଖ ଦିନ ରାଜକନିକା ବ୍ଲକ୍‌ ବାରଣ୍ଡାରେ ନିଜ ଦେହରେ କିରାସିନି ଢାଳି ହୋଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

 

Related Posts

About The Author

Add Comment