ଯାଜପୁର, ୦୮/୧୦ (ସନ୍ଧାନ ନିୟୁଜ) ଜୟ ପରାଜୟ ପରାଜୟ ପରେ ବି ବଜୟ । ବିଜୟର ମହୋଲ, ସେଦିନ ଆଣିଦେଇଥିଲା ବିଜୟର ସୁଖଃ ଏବଂ ଆନନ୍ଦ । ନୋଧାଗଡକୁ ବିଜୟ ଲାଭ କରିଥିଲେ ଠିଆର ଷଣ୍ଢ ମହାପାତ୍ର ରାଜା । ଯଦିଓ ସେ ଥିଲେ ମହାରାଜଙ୍କ ଅଧିନସ୍ଥ ସାମନ୍ତ ରାଜା । କିନ୍ତୁ ତାଙ୍କ ନେତୃତ୍ୱରେ ବାଜି ଉଠୁଥିଲା ରଣଭେରୀ । ଆଉ ଏହି ରଣଭେରୀର ସହିତ ଯୁଦ୍ଧକ୍ଷେତ୍ରରେ ପ୍ରସ୍ତୁତ ହେଉଥିଲେ ଶହ ଶହ ସନ୍ୟ ସମାନ୍ତ । ଅତିତର ସେହି ରୋମାଂଚଭରା ସ୍ମୃୃତି ଆଜି ସିନା ନାହିଁ ହେଲେ ରହିଯାଇଛି ତାହାର ସ୍ମୃତି ଚିହ୍ନ । ନୋଧାଗଢଡର ବିଜୟ କରିବା ପରେ ଯେଉଁ ବସତି ସ୍ଥାପନ ହୋଇଥିଲା ତାହା ଆଜି ଧର୍ମଶାଳା ବ୍ଲକର ମୋହନପୁର ଗ୍ରାମ ନାମରେ ପରିଚିତ ହୋଇଛି । ଆଉ ସେଦିନର ସ୍ମୃତି ସ୍ୱରୁପ ଦଶହରା ଅବସରରେ ପ୍ରଚଳିତ ହୋଇଆସୁଛି ଏଠାରେ ବାସ କରୁଥିବା ୪ଶହ ଖଣ୍ଡାୟତଙ୍କ ଖଣ୍ଡାପୂଜା ।
ଦଶହରାର ଆରମ୍ଭରୁ ଗ୍ରାମର ଅଂଜନ କୁମାର ଠିଆରଷଣ୍ଢଙ୍କ ପରିସରରେ ଏକାଠି ଏହି ଗ୍ରାମ ସମେତ ପାଖ ପୋଡଶୀ ଗ୍ରାମର ବହୁ ଖଣ୍ଡାୟତଙ୍କର ଖଣ୍ଡା ଏବଂ ଅସ୍ତ୍ରଶସ୍ତ୍ର ପୂଜା କରାଯାଇଥାଏ । ହୋମଯଜ୍ଞ ସହିତ ଏହି ଖଣ୍ଡାକୁ ମାଦୃର୍ଗାଙ୍କ ଚରଣରେ ଅର୍ପଣ କରି ସବୁ କ୍ଷେତ୍ରରେ ବିଜୟ ଏବଂ ପରିବାରର ସୁଖଃ ଭିକ୍ଷା କରିଥାନ୍ତି ପରିବାରବର୍ଗ । ପ୍ରଥମ ଦିନରେ ମାଙ୍କୁ ଶୈଳପୁତ୍ରୀ ରୂପରେ, ୨ୟଦିବସରେ ବ୍ରହ୍ମ୍ମଚାରୀଣି, ୩ୟ ଦିବସରେ ଚନ୍ଦ୍ରଘଂଟା, ୪ର୍ଥ ଦବିସରେ କୁସୁମାଣ୍ଡ୍ମାତା, ୫ମ ଦିବସରେ ସ୍କନ୍ଧମାତା. ୬ଷ୍ଠଦିବସରେ କାତାୟନୀ, ସପ୍ତମ ଦିନରେ କାଳରାତ୍ରୀ, ଅଷ୍ଟମ ଦିବସରେ ମହାଗୌରୀ ଏବଂ ନବମ ଦିବସରେ ସିଦ୍ଧିଧାତ୍ରୀ ରୂପରେ ମାଦୃର୍ଗଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । ପରେ ସମସ୍ତ ଖଣ୍ଡାୟତ ମାନେ ନିଜର ଖଣ୍ଡାକୁ ମାଙ୍କ ନିକଟରୁ ଉଠାଇ ଏକ ଶୋଭାଯାତ୍ରାରେ ଗ୍ରାମପରିକ୍ରମା ପୂର୍ବକ କଳସକୁ ନଦୀରେ ବିସର୍ଜନ କରିଥାନ୍ତି । ପରେ ନିକଟସ୍ଥ ଲାଖବିନ୍ଧା ପଡିଆରେ ନିଜର ଯୁଦ୍ଧ କଳାର ଅଭ୍ୟାସ କରିଥାନ୍ତି । ଅତୀତରେ ଯୁଦ୍ଧକୁ ଯିବା ପୂର୍ବରୁ ଏହି ନିତିକାନ୍ତି ସମାପନ ପୂର୍ବକ ଦଶହରାରେ ମାଙ୍କ ପାଖରେ ପୂଜାସାରି ଯୁଦ୍ଧକ୍ଷେତ୍ରକୁ ଯିବାରେ ବିଜୟ ନିଶ୍ଚିତ ବୋଲି ପ୍ରଥା ଥିବାରୁ ଏହି ବିଧି ଦଶହରା ଦଶଦିନ ଧରି ପାଳନ କରାଯାଇଥାଏ । ମାତ୍ର ଏବେ ଆଉ ଯୁଦ୍ଧକ୍ଷେତ୍ରକୁ ଯିବାକୁ ପଡୁନଥିବାରୁ ଲାଖବିନ୍ଧା ପଡିଆରୁ ଏହି ପର୍ବର ସମାପନ କରାଯାଇଥାଏ ।





