ନୂଆ ଘର ପାଇଁ ଜିଏସ୍‌ଟି ୫%କୁ ଖସିବ

Spread the love

ନୂଆଦିଲ୍ଲୀ, ୯/୨(ସନ୍ଧାନ ନିୟୁଜ) : ନିର୍ମାଣାଧୀନ ଘର ଉପରେ ୫% ହାରରେ ଜିଏସଟି ଲାଗୁ କରିବା ସପକ୍ଷରେ ଏକ ମନ୍ତ୍ରୀଗୋଷ୍ଠୀ ସୁପାରିସ୍ ପ୍ରଦାନ କରିଛି। ନୂଆ ଘର ଉପରେ ଜିଏସ୍‌ଟି ହାର କେତେ ରହିବା ଦରକାର ତାହା ଅନୁଧ୍ୟାନ କରିବା ପାଇଁ ଜିଏସ୍‌ଟି ପରିଷଦ ପକ୍ଷରୁ ଏକ ମନ୍ତ୍ରୀଗୋଷ୍ଠୀ (ଜିଓଏମ୍) ଗଠନ କରାଯାଇଥିଲା। ଏବେ ନୂଆ ଘରଗୁଡ଼ିକରୁ ୧୨% ହାରରେ ଜିଏସ୍‌ଟି ଆଦାୟ କରାଯାଉଛି। ତାହାକୁ ୫%କୁ ଖସାଇବା ସପକ୍ଷରେ ମନ୍ତ୍ରୀଗୋ‌ଷ୍ଠୀ ମତ ଦେଇଛି। ଯଦି ‌ସେହି ସୁପାରିସକୁ ଲାଗୁ କରାଯିବ ତେବେ ରିଅଲ ଇଷ୍ଟେଟ୍‌ ଶିଳ୍ପକୁ ତାହା ବଡ଼ ପ୍ରୋତ୍ସାହନ ପ୍ରଦାନ କରିବ। ସୁଲଭ ବାସଗୃହ ଉପରେ ଜିଏସ୍‌ଟି ହାରକୁ ୩% ଭିତରେ ସୀମିତ ରଖିବାକୁ ମନ୍ତ୍ରୀଗୋଷ୍ଠୀ ସୁପାରିସ କରିଛି। ଗୁଜରାଟର ଉପ ମୁଖ୍ୟମନ୍ତ୍ରୀ ନୀତୀନ ପଟେଲ୍‌ଙ୍କ ଅଧ୍ୟକ୍ଷତାରେ ଗଠିତ ମନ୍ତ୍ରୀଗୋଷ୍ଠୀ ପକ୍ଷରୁ ରିଅଲ ଇଷ୍ଟେଟ୍‌ ଶିଳ୍ପର ସମସ୍ୟା ଓ ଆହ୍ବାନଗୁଡ଼ିକୁ ଅନୁଧ୍ୟାନ କରାଯିବା ପରେ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଏହି ମନ୍ତ୍ରୀଗୋଷ୍ଠୀରେ ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ପଞ୍ଜାବ ଓ ଉତ୍ତର ପ୍ରଦେଶର ଅର୍ଥମନ୍ତ୍ରୀ ଏବଂ ଗୋଆର ପଞ୍ଚାୟତିରାଜ ମନ୍ତ୍ରୀ ମଧ୍ୟ ସଦସ୍ୟ ଅଛନ୍ତି। ଆସନ୍ତା ଏକ ସପ୍ତାହ ଭିତରେ ମନ୍ତ୍ରୀଗୋଷ୍ଠୀ ଏହାର ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ କରିବ। ଜିଏସ୍‌ଟି ପରିଷଦର ଆଗାମୀ ବୈଠକରେ ତାହାକୁ ଉପସ୍ଥାପନ କରାଯିବ। ବର୍ତ୍ତମାନ ନିର୍ମାଣାଧୀନ ଘର ଓ ଯେଉଁ ଫ୍ଲାଟ୍‌ଗୁଡ଼ିକର ନିର୍ମାଣ କାମ ଶେଷ ହୋଇଥିବାର ପ୍ରମାଣପତ୍ର ମିଳିନାହିଁ, ସେଗୁଡ଼ିକ ଉପରେ ୧୨% ଜିଏସ୍‌ଟି ଲାଗୁ କରାଯାଉଛି। ଜିଏସ୍‌ଟି ଲାଗୁ ହେବା ପୂର୍ବରୁ ଏଭଳି ଘରଗୁଡ଼ିକ ଉପରେ ୧୫-୧୮% ହାରରେ ଟିକସ ଆଦାୟ କରାଯାଉଥିଲା।

Related Posts

About The Author

Add Comment