ନୀଳଗିରି ବିଧାୟକଙ୍କ ଅଡିଓ ଭାଇରାଲକୁ ନେଇ ଚର୍ଚ୍ଚା

Spread the love

ବାରିପଦା,ନୀଳଗିରି, ୯/୯ (ସନ୍ଧାନ ନ୍ୟୁଜ୍,/ଲିଙ୍ଗରାଜ ପଣ୍ଡା): ‘ମୋ କଥା ତ କିଛି ଶୁଣିଲନି, ଏଥର କୀଳା ନେବାକୁ ରେଡ଼ି ହୋଇଯାଅ । ତୁମ ନାଁରେ ଭିଜିଲାନ୍ସ କେସ୍ ଦୁଇଟା କରୁଛି ରେଡ଼ି ହେଇକି ଥାଅ । କାଲି ପଡୁଛି ପିଟିସନ, ନୋଟିସ ଦେଇକି କରୁଛି । ତୁମେ ଏମଏଲଏକୁ କିସ – ବୋଲି ଭାବିଛି । ବୁଝିଲନା, ରିପ୍ଲେସି କରି ବି ମୋ କଥା କିଛି ଶୁଣିଲନି, ମୁଁ ଦେଖୁବି ତୁମର କେତେ ଦମ୍ ଅଛି, କିଏ ସମ୍ଭାଳିବ । କେଉଁ ଅଫିସର ସମ୍ଭାଳିବେ ମୁଁ ଦେଖୁବି । ମୁଁ ଯେଉଁ ରିକ୍ୟୁଏଷ୍ଟ କଲି, କେଉଁ କଥା ରଖୁଲ ? ଏମଏଲଏ କହୁଛି ୨ଟା ଜେଇଙ୍କୁ ଧରିକି‌ ଆସ .ଆମ ରାଧାକିଶୋରପୁର ପଞ୍ଚାୟତ ଜେଇ‌ ଫୁଟାଣିଆ ସମରେନ୍ଦ୍ର ଜେନା ଆଉ ତେଲିପାଳ ପଞ୍ଚାୟତ ଜେଇକୁ ଧରିକି ଆସ। ଦେଖୁବା ଭିଜିଲାନ୍ସ କେସ୍ କେମିତି ଷ୍ଟାଣ୍ଡ କରିବନି । ଦେଖିବା, ମୁଁ ବି ତ ଜଣେ ଇଞ୍ଜିନିୟର । ଦେଖୁବା, ଏମଏଲଏ ରିକ୍ୟୁଏଷ୍ଟ କରିବ କଥା ରଖୁବନି ନା, ଧରିକି ଆସ ଜେଇଙ୍କୁ । କେତେବେଳେ ଆସିବ କୁହ ? ମୁଁ ଅଛି ନୀଳଗିରିରେ, ଧରିକି ଆସ । ବହୁତ ନୀତିନିୟମ ଦେଖେଇ ହୁଏ ସେ ଜେନା ଜେଇ, ତା’ ନୀତି ନିୟମ ଛଡ଼ାଉଛି, ଆଉ ଆପଣ ବି ପଡ଼ିବେ । ୟୁ ଆର ଦି ଚେକ୍ ମେଜରମେଣ୍ଟ ଅଥୋରିଟି । ମୋ ବାଣ ସାଙ୍ଘାତିକ ବାଣ । ମୁଁ ମୁହଁରେ କହିଲି, ତୁଟେଇ ଦେଇପାରିବ କି ମୋକଥା ଯଦି ରଖୁପାରିବ ତାହେଲେ ମୁଁ କାହାରି ସହ ଲାଗିବିନି । ଆସ ଧରିକି ଆସ..’ | ଏହାଥିଲା ନୀଳଗିରି ବ୍ଲକ ସହକାରୀ ନିର୍ବାହୀ‌ ଯନ୍ତ୍ରୀ ଅନିଲ ପଣ୍ଡାଙ୍କୁ ବାଲେଶ୍ୱର ଜିଲାର ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କ ଭାଷା । ବିଧାୟକଙ୍କ ଏହି ଅଡ଼ିଓ ଭାଇରାଲ ହେବା ପରେ ସମ୍ପ୍ରତି ନୀଳଗିରିରେ ଏହି କଥାକୁ ନେଇ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । ବିଧାୟକଙ୍କ ଦ୍ବାରା ଉକ୍ତ ଧମକପୂର୍ଣ୍ଣ ଭାଷା ପ୍ରୟୋଗ ସମୟରେ ସମ୍ପୃକ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଉତ୍ତରଥିଲା; ଯେଉଁଟା ସମ୍ଭବ ଭଳି ହବା କଥା କହିଲେ ହବନି କାହିଁକି? ତେବେ ଏହି ଅଡ଼ିଓରେ ବିଧାୟକ ତାଙ୍କର କିଛି କର୍ମୀଙ୍କ ପାଇଁ ଚାପ ପ୍ରୟୋଗ କରୁଥିଲେ କି ନା ପିସି ପାଇଁ ଏଭଳି ଭାଷା ପ୍ରୟୋଗ କରୁଥିଲେ ସେନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି ।‌ ଏ ସମ୍ପର୍କରେ ସମ୍ପୃକ୍ତ ଯନ୍ତ୍ରୀ ଶ୍ରୀ ପଣ୍ଡାଙ୍କୁ ପଚରାଯିବାରୁ ସେ କହିଛନ୍ତି ଯେ, ଆମେ ସରକାରୀ ଚାକିରି କରିଛୁ ବୋଲି କଣ ଟିକେ ସମ୍ମାନ ସହ ବଞ୍ଚିବାକୁ ଚାହିଁବୁନି? ବିଧାୟକ ଶ୍ରୀ ନାୟକ ପୂର୍ବରୁ କେବେବି ଏଭଳି ଭାଷା ମତେ ପ୍ରୟୋଗ କରିନଥିଲେ ବହୁତ ଅକୁହା କଥା ଅଛି ଯେଉଁଟା ଫୋନରେ କହିବା ସମ୍ଭବ ନୁହେଁ,‌ ଦେଖାହେଲେ ନିଶ୍ଚିତ କହିବି ବୋଲି ଜଣାଇଛନ୍ତି । ଏବାବଦରେ ସେ ଜିଲା ଇଞ୍ଜିନିୟର ସଂଘକୁ ଲିଖିତ ଅବଗତ କରିବା ସହ ନୀଳଗିରି ବିଡିଓଙ୍କୁ ମଧ୍ୟ ଅବଗତ କରାଇ ନ୍ୟାୟ ଭିକ୍ଷା କରିଛନ୍ତି । ସେପଟେ ବିଧାୟକ ଶ୍ରୀ ନାୟକ କହିଛନ୍ତି ଯେ, ମୁଁ ନୀଳଗିରିର ଜନପ୍ରତିନିଧ, ଯେଉଁ ଯନ୍ତ୍ରୀ କିମ୍ବା ଅଧିକାରୀ ସଠିକ କାମ କରୁନାହାଁନ୍ତି ସେମାନଙ୍କୁ ସଠିକ ମାର୍ଗକୁ ନେବା ମୋର ପ୍ରଥମ କର୍ତ୍ତବ୍ୟ । ମୁଁ ସବୁବେଳେ ଅଞ୍ଚଳର ଉନ୍ନତି ଚାହେଁ । କେତେକ ଯନ୍ତ୍ରୀ ଅଞ୍ଚଳ ଉନ୍ନତିର ବାଧକ ସାଜୁଛନ୍ତି, ଫୋନରେ ମୁଁ ସେମାନଙ୍କୁ ଚେତାଉଥିଲି। କୌଣସି ପିସି ମାଗିବା ବା ସେମାନଙ୍କୁ ଧମକ ଦେବା ମୋର ଉଦେଶ୍ୟ ନାହିଁ ବୋଲି କହିଛନ୍ତି।

Related Posts

About The Author

Add Comment