ନୀରବି ଗଲେ ‘ରୂପା ଶଗଡ଼ିରେ ସୁନା କନିଆ..’ର ଗାୟକ ମହମ୍ମଦ ଅଜିଜ୍‌; ୬୪ ବର୍ଷରେ ମୁମ୍ବାଇରେ ପରଲୋକ

Spread the love

ମୁମ୍ବାଇ, ୨୭/୧୧ (ସନ୍ଧାନ ନିୟୁଜ)  : ଭାରତୀୟ ସଂଗୀତ ଦୁନିଆ ମଙ୍ଗଳବାର ଦକ୍ଷ କଣ୍ଠଶିଳ୍ପୀ ମହମ୍ମଦ ଅଜିଜ୍‌ଙ୍କୁ ହରାଇଛି। ୬୪ ବର୍ଷିଅ ଏହି ବଲିଉଡ୍‌ ଗାୟକ ଜଣକ ମୁମ୍ବାଇଠାରେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସୋମବାର ମହମ୍ମଦ କୋଲକାତାରୁ ମୁମ୍ବାଇ ଆସିଥିଲେ। ମଙ୍ଗଳବାର ଅପରାହ୍ନ ୩ଟାରେ ମହମ୍ମଦଙ୍କ ଶରୀର ହଠାତ ବିଗିଡ଼ି ଯିବା ପରେ ତାଙ୍କୁ ନାନାବତୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଛନ୍ତି।

ତାଙ୍କର ଜନ୍ମ ୧୯୫୪ ମସିହା ପଶ୍ଚିମବଙ୍ଗର ଆଶୋକନଗରଠାରେ ହୋଇଥିଲା। ସେ ହିନ୍ଦୀ ଚଳଚ୍ଚିତ୍ର ବ୍ୟତୀତ ବଙ୍ଗଳା, ଓଡ଼ିଆ ଓ ଅନ୍ୟ ବହୁ ଆଞ୍ଚଳିକ ଭାଷାରେ ମଧ୍ୟ ଗୀତ ଗାଇ ସୁନାମ ଅର୍ଜନ କରିଛନ୍ତି। ସେ ପ୍ରଥମେ ଅମିତାଭ ବଚ୍ଚନଙ୍କ ଚଳଚ୍ଚିତ୍ର ‘ମର୍ଦ’ରୁ ହିନ୍ଦୀ ସିନେମାରେ ଗୀତ ଗାଇବା ଆରମ୍ଭ କରିଥିଲେ। କଣ୍ଠଶିଳ୍ପୀ ମହମ୍ମଦ ରଫିଙ୍କର ସେ ଜଣେ ବଡ଼ ପ୍ରଶଂସକ ଥିଲେ। ହିନ୍ଦୀ ଚଳଚ୍ଚିତ୍ରରେ ପ୍ରଥମେ ଗୀତ ଗାଇବାର ସୁଯୋଗ ତାଙ୍କୁ ଅନୁ ମଲ୍ଲିକ ଦେବା ପରେ ସେ ପରବର୍ତ୍ତୀ କାଳରେ ସଂଗୀତ ଦୁନିଆର ଏକ ଚିହ୍ନା ଚେହେରା ପାଲଟି ଯାଇଥିଲେ।

ଓଡ଼ିଅା ଚଳଚ୍ଚିତ୍ର ଜଗତକୁ ବହୁ ମନଛୁଅାଁ ଗୀତ ଉପହାର ଦେଇଛନ୍ତି। ସିନେମା ବ୍ୟତୀତ ମହମ୍ମଦ ଅଜିଜ୍‌ ବହୁ ଓଡ଼ିଆ ଭଜନ ଓ ଅାଲବମ୍‌ ଗୀତର କଣ୍ଠଦାନ କରିଛନ୍ତି। ପ୍ରଥମେ ସେ ୧୯୮୫ ମସିହାରେ ଅକ୍ଷୟ ମହାନ୍ତିଙ୍କ ନିର୍ଦ୍ଦେଶନାରେ ‘ଜଗା ହାତରେ ପଘା’ ଚଳଚ୍ଚିତ୍ରର  ‘ରୂପା ଶଗଡ଼ିରେ ସୁନା କନିଆ..’ ଗୀତ ଜରିଆରେ ଓଲିଉଡ୍‌ରେ ପ୍ରବେଶ କରିଥିଲେ। ଏହା ପରେ ସେ ଶତାଧିକ ଓଡ଼ିଆ ଗୀତ ଗାଇ ଓଡ଼ିଆ ଗୀତ ପ୍ରେମୀଙ୍କ ପ୍ରିୟ ହୋଇ ପାରିଥିଲେ। ସେ ଗାଇଥିବା ଅନେକ ଗୀତ ସୁପର୍‌ହିଟ୍‌ ହୋଇଛି ମଧ୍ୟ।

Related Posts

About The Author

Add Comment