କରଞ୍ଜିଆଁ, ୦୬/୧୦/୨୦ (ସନ୍ଧାନ ନିଉଜ) : ଉତ୍ତରପ୍ରଦେଶ ହାଥରସ ଗଣଦୁଷ୍କର୍ମ ଘଟଣାରେ ପୀଡିତାଙ୍କ ପରିବାରବର୍ଗଙ୍କୁ ଭେଟିବାକୁ ଯାଇଥିବା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ କର୍ମୀଙ୍କୁ ପୁଲିସର ଅମାନୁଷିକ ଅତ୍ୟାଚାର ଓ ଦେଶରେ ନାରୀ ନିର୍ଯାତନା ବୃଦ୍ଧିକୁ ବିରୋଧ କରି ଭାରତୀୟ ଜାତୀୟ କଂଗ୍ରେସ କମିଟି କରଞ୍ଜିଆ ଶାଖା ପକ୍ଷରୁ ସୋମବାର ବିକ୍ଷୋଭ ଶୋଭାଯାତ୍ରା ଓ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ କଂଗ୍ରେସର ବରିଷ୍ଠ ନେତା ତଥା ପ୍ରଦେଶ କଂଗ୍ରେସ କମିଟି ସଭ୍ୟ ଭୁବନ ବିହାରୀ ସାହୁଙ୍କ ଆହ୍ବାନ କ୍ରମେ ଯୁବକଂଗ୍ରେସ ଓ ମହିଳା କଂଗ୍ରେସ କର୍ମୀଗଣ ସ୍ଥାନୀୟ ମିଲନପଡ଼ିଆ ଠାରୁ ଏକ ଶୋଭାଯାତ୍ରାରେ ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରକୁ ଆସିଥିଲେ । ସେଠାରେ ଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ତଳେ ଏକତ୍ରିତ ହେବାପରେ ଭୁବନ ସାହୁ ମୋଦି ସରକାରଙ୍କ ଉପରେ ବର୍ଷିଥିଲେ । ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଦେଶରେ ସବୁଜ ବିପ୍ଳବ ସୃଷ୍ଟି କରିବା ଏବଂ କୃଷକ ଓ ଯବାନଙ୍କ ମନୋବଳକୁ ବୃଦ୍ଧି କରାଇବା ଉଦ୍ଦେଶ୍ୟରେ ଜୟ ଯବାନ ଜୟ କିଷାନ ସ୍ଲୋଗାନ ଦେଇଥିବା ସ୍ଥଳେ ଏବର ମୋଦି ସରକାର ଦେଶର କୃଷକଙ୍କ ହିତକୁ ଜଳାଞ୍ଜଳି ଦେଇ ସେମାନଙ୍କୁ ପୁଞ୍ଜିପତିଙ୍କ ପାଖରେ ବନ୍ଦୀ ବନାଇବା ପାଇଁ ୩ ଗୋଟି କଳା ଆଇନ ଲାଗୁ କରିଛନ୍ତି । ସେଗୁଡିକ ମଧ୍ୟରେ ଚାଷୀ ଉତ୍ପାଦର ବାଣିଜ୍ୟ କାରବାର (ପ୍ରୋତ୍ସାହନ ଓ ସୁଗମୀକରଣ) ଆଇନ, କୃଷକ (ସଶକ୍ତିକରଣ ଓ ସୁରକ୍ଷା) ଦର ପ୍ରତିଶୃତି ରାଜିନାମା ଓ କୃଷିସେବା ଆଇନ, ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ଆଇନ । ଏହି ୩ ଗୋଟି ଆଇନ ପ୍ରଣୟନ କରି ମୋଦି ସରକାର ଦେଶରେ କୃଷି ଓ କୃଷକ ବିରୋଧରେ ଭୟଙ୍କର ଷଡ଼ଯନ୍ତ୍ର କରି ସବୁଜ ବିପ୍ଳବକୁ, ଧ୍ବଂସ କରିବାକୁ ଚାହିଁଛନ୍ତି ବୋଲି ଶ୍ରୀ ସାହୁ ଅଭିଯୋଗ କରିଛନ୍ତି । ଦେଶରେ ନାରୀ ସୁରକ୍ଷାର ଡିଣ୍ଡିମ ପିଟୁଥିବା ଏବଂ ବିଭିନ୍ନ ଆଇନ ଆଣୁଥିବା କେନ୍ଦ୍ରର ବିଜେପି ସରକାର ସମୟରେ ନାରୀମାନଙ୍କ ଉପରେ ବିଜେପିର ଗୁଣ୍ଡାଙ୍କ ପ୍ରବଳ ଅତ୍ୟାଚାର ବିରୋଧରେ କଂଗ୍ରେସ ସ୍ୱର ଉତ୍ତୋଳନ କରିବା ବେଳେ ପୁଲିସ ଲଗାଇ କଂଗ୍ରେସ କର୍ମୀଙ୍କୁ ଅତ୍ୟାଚାର କରିବାକୁ ସେ ଦୃଢ଼ ନିନ୍ଦା କରିଛନ୍ତି । ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଗଣଧାରଣାରେ ଥିବା ଘନଶ୍ୟାମ ମହାନ୍ତ, ଅଶୋକ ଶର୍ମା, ପ୍ରଫୁଲ ବେହେରା, ଟୁଟୁ ଦାସ, ଧରଣୀଧର ମହାନ୍ତ, କିରାଣୀ ନାଏକ, ଗୀତା ଆଗୁଆନ, ଗୀତାଞ୍ଜଳି ମହାନ୍ତ ପ୍ରମୁଖଙ୍କ ସହ ଶ୍ରୀ ସାହୁ ୩ଦଫା ଦାବିପ ଉପଜିଲ୍ଲାପାଳଙ୍କୁ ଦେଇଥିଲେ।
ନାରୀ ନିର୍ଯାତନା ବୃଦ୍ଧି ଓ ରାହୁଲଗାନ୍ଧୀଙ୍କ ଉପରେ ପୁଲିସର ଅତ୍ୟାଚାର ବିରୋଧରେ କଂଗ୍ରେସର ଗଣଧାରଣା, ଶୋଭାଯାତ୍ରା
|
October 6, 2020 |
