ଭୁବନେଶ୍ବର, ୦୮/୧୦/୨୦ (ସନ୍ଧାନ ନିଉଜ) : ଚାଲିଛି ନାମଲେଖା ଋତୁ । ତେବେ ବର୍ତ୍ତମାନ ସମୟରେ ନାମ ଲେଖିବା ପୂର୍ବରୁ ଛାତ୍ରଛାତ୍ରୀମାନେ ସତର୍କତା ଅବଲମ୍ବନ କରିବା ଆବଶ୍ୟକ । ବିଶେଷ କରି ବିଶ୍ୱବିଦ୍ୟାଳୟଗୁଡିକରେ ନାମ ଲେଖିବା ପୂର୍ବରୁ ତାହା ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ( ୟୁଜିସି)ର ଅନୁମତି ପାଇଛି କିମ୍ବା ନାହିଁ ତାହା ଯାଞ୍ଚ କରିବା ଉଚିତ୍ । ଏପରିକି ଛାତ୍ରଛାତ୍ରୀମାନେ ଜାଣିବା ପାଇଁ ୟୁଜିସି ସଚିବ ପ୍ରଫେସର ରଜନୀଶ ଜୈନ ୨୪ଟି ଜାଲ୍ ବିଶ୍ୱବିଦ୍ୟାଳୟ(ଫେକ୍ ୟୁନିଭର୍ସିଟି) ତାଲିକା ଜାରି କରିଛନ୍ତି । ଏଥିରେ ଓଡ଼ିଶାର ଦୁଇଟି ଜାଲ ବିଶ୍ୱବିଦ୍ୟାଳୟ ରହିଛି ବୋଲି ପ୍ରଫେସର ଜୈନ ସୂଚନା ଦେଇଛନ୍ତି । ଉତ୍ତର ପ୍ରଦେଶରେ ସର୍ବାଧିକ ୮ଟି ଏବଂ ଦିଲ୍ଲୀରେ ୭ଟି ଜାଲ୍ ବିଶ୍ୱବିଦ୍ୟାଳୟ ରହିଛି । । ଓଡ଼ିଶାର ରାଉରକେଲା ଶକ୍ତିନଗର ପାଣି ଟାଙ୍କି ରୋଡରେ ଥିବା ନବଭାରତ ଶିକ୍ଷା ପରିଷଦ ଏକ ଜାଲ ବିଶ୍ଵବିଦ୍ୟାଳୟ ବୋଲି ସେ କହିଛନ୍ତି । ସେହିପରି ମୟୂରଭଞ୍ଜ ଜିଲ୍ଲା ବାରିପଦାସ୍ଥିତ ନର୍ଥ ଓଡ଼ିଶା ୟୁନିଭର୍ସିଟି ଅଫ୍ ଏଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜି ମଧ୍ୟ ଜାଲ୍ ବିଶ୍ୱବିଦ୍ୟାଳୟ ବୋଲି ୟୁଜିସି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ପୁଡୁଚେରୀ ଓ ଆନ୍ଧ୍ରପ୍ରଦେଶରେ ଗୋଟିଏ ଲେଖାଏଁ ଜାଲ୍ ବିଶ୍ୱବିଦ୍ୟାଳୟ ଥିବା ବେଳେ ପଶ୍ଚିମବଙ୍ଗରେ ୨ଟି ଜାଲ୍ ବିଶ୍ୱବିଦ୍ୟାଳୟ ରହିଛି । ତେବେ ଏହି ବିଶ୍ୱବିଦ୍ୟାଳୟଗୁଡିକରେ ନାମ ଲେଖିବାକୁ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ବାରଣ କରାଯାଇଛି । ଉଲ୍ଲେଖଯୋଗ୍ୟ ୟୁଜିସିର ୧୯୫୬ ମସିହା ଆଇର ଧାରା ୨୨(୧)ଅନୁସାରେ କେବଳ ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରତିଷ୍ଠା ହୋଇଥିବା ବିଶ୍ୱବିଦ୍ୟାଳୟ ଡିଗ୍ରୀ ପ୍ରଦାନ କରିପାରିବ। ନଚେତ ୟୁଜିସି ଆଇନର ଧାରା ୩ ଅନୁସାରେ କୌଣସି ଡିମଡ୍ ଟୁ ବି ୟୁନିଭସିଟି ମଧ୍ୟ ଡିଗ୍ରୀ ପ୍ରଦାନ କରିପାରିବ। ସେହିପରି ସଂସଦର ଆଇନ ଅନୁସାରେ ସ୍ୱତନ୍ତ୍ର କ୍ଷମତାପ୍ରାପ୍ତ ବିଶ୍ୱବିଦ୍ୟାଳୟ – ମଧ୍ୟ ଡିଗ୍ରୀ ପ୍ରଦାନ କରିପାରିବ। ତେବେ ୟୁଜିସି ଆଇନର ଧାରା ୨୩ ଅନୁସାରେ ଉପରୋକ୍ତ ନିୟମଗୁଡିକୁ ବାଦ୍ ଦେଲେ ଅନ୍ୟ କୌଣସି ଶିକ୍ଷାନୁଷ୍ଠାନ ବିଶ୍ୱବିଦ୍ୟାଳୟ ଶବ୍ଦ ବ୍ୟବହାର କରିପାରିବେ ନାହିଁ ବୋଲି ୟୁଜିସି ସଚିବ ପ୍ରଫେସର ଜୈନ କହିଛନ୍ତି।
ନାମ ଲେଖିବାକୁ ଆଶାୟୀ ଛାତ୍ରଛାତ୍ରୀ ‘ସାବଧାନ’ ଦେଶରେ ୨୪ ଜାଲ୍ ବିଶ୍ୱବିଦ୍ୟାଳୟ
|
October 8, 2020 |



