ନାବାଳିକା ଦୁଷ୍କର୍ମକାରୀକୁ ୧୦ବର୍ଷ ଜେଲ୍‌

Spread the love

କେନ୍ଦୁଝରଗଡ, ୨୬/୧୦ (ସନ୍ଧାନ ନିଉଜ) : କେନ୍ଦୁଝର ସଦର ଥାନା ଅଧୀନ ସେଣ୍ଡକାପ ଗ୍ରାମର ଜଣେ ୧୫ବର୍ଷ ନାବାଳିକା ଦୁଷ୍କର୍ମକାରୀକୁ ସ୍ୱତନ୍ତ୍ର ଅଦାଲତ ଶୁକ୍ରବାର ଦୋଷୀ ସାବ୍ୟସ୍ତ କରି ୧୦ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ସେଣ୍ଡକାପ ଗ୍ରାମର ସୁନୀଲ ନାଏକ (୨୨) ଜଣେ ପଡୋଶୀ ଗୋବର୍ଦ୍ଧନ ଗ୍ରାମର ଜଣେ ୧୫ବର୍ଷ ନାବାଳିକାକୁ ବିବାହ ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିବା ସହ ୭ମାସର ଅନ୍ତଃସତ୍ତ୍ୱା କରିବା ପରେ ଫେରାର ହୋଇ ଯାଇଥିଲା। ଏ ସମ୍ପର୍କରେ ପୀଡିତା ଜଣକ ଅଭିଯୁକ୍ତ ସୁନୀଲ ଓ ତା’ର ପାଳିତ ପିତା ଗଣେଶ୍ୱର ନାଏକଙ୍କ ନାମରେ ୫ ଜୁଲାଇ ୨୦୧୭ରେ ସଦର ଥାନାରେ ଅଭିଯୋଗ କରିବା ପରେ ଉଭୟ ଅଭିଯୁକ୍ତକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ସମୁଦାୟ ୧୦ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଅତିରିକ୍ତ ଜିଲା ଓ ଦୌରାଜଜ୍‍ ତଥା ସ୍ୱତନ୍ତ୍ର ବିଚାରପତି କେନ୍ଦୁଝର ଲୋକନାଥ ସାହୁ ଶୁକ୍ରବାର ମାମଲାର ଚୂଡାନ୍ତ ଶୁଣାଣୀ କରି ଅଭିଯୁକ୍ତ ସୁନୀଲକୁ ଦୋଷୀ ସାବ୍ୟସ୍ତ କରି ୧୦ବର୍ଷ ଜେଲ ଦଣ୍ଡ ସହ ୫୦ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ଅଧିକ ୧ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିବା ବେଳେ ଅନ୍ୟତମ ଅଭିଯୁକ୍ତ ଗଣେଶ୍ୱରକୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଏତଦ୍‍ବ୍ୟତୀତ ପୀଡିତାଙ୍କୁ ୪ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ନିମନ୍ତେ ରାୟରେ ଉଲ୍ଲେଖ କରିଛନ୍ତି। ସ୍ପେଶାଲ ପବ୍ଲିକ୍‍ ପ୍ରୋସିକ୍ୟୁଟର ଗଣେଶ ପ୍ରସାଦ ମହାପାତ୍ର ପୀଡିତାଙ୍କ ପକ୍ଷରୁ ମକଦ୍ଦମା ପରିଚାଳନା କରୁଥିଲେ।

Related Posts

About The Author

Add Comment