ରାଉରକେଲା, ୨୪/୧୦ (ସନ୍ଧାନ ନିଉଜ): ଆଜିିର ହାଇଟେକ ଯୁଗରେ ମଧ୍ୟ ଶ୍ରମିକ ଅବହେଳିତ ଓ ଶୋଷିତ! ଅନେକ ହିତାଧିକାରୀ ଯୋଜନା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରମିକ ମାନଙ୍କ ପାଇଁ କରାଯାଉଥିଲେ ସୁଦ୍ଧା, ଶ୍ରମିକ ମାନଙ୍କ ପକ୍ଷରେ ଅପହଂଚ ଅନେକ ଯୋଜନା । ଶ୍ରମିକ ମାନଙ୍କ ହିତସାଧନ ଲାଗି ରହିଛି ଅନେକ ଆଇନ । ମାତ୍ର ଏହି ଶ୍ରମ ଆଇନ କେବଳ ଧର୍ମକୁ ଆଖିଠାର କହିଲେ ଭୁଲ ହେବ ନାହିଁ ।
ସୁନ୍ଦରଗଡ଼ ଜିଲାରେ ଅନେକ ଇଟାଭାଟି, ଖଣିଖନନ, ରାସ୍ତାଘାଟ, କୋଠାବାଡ଼ି ନିର୍ମାଣ କାର୍ଯ୍ୟରେ ଉଭୟ ମହିଳା ଓ ପୁରୁଷ ଶ୍ରମିକ କାର୍ଯ୍ୟରେ ବର୍ଷତମାମ ନିୟୋଜିତ ହୋଇଥାନ୍ତି । ମାତ୍ର ସେମାନଙ୍କୁ ଉଚିତ ମୂଲ୍ୟ ପ୍ରଦାନ ନକରି କାର୍ଯ୍ୟରେ ଲଗାଯାଉଥିବା ଅଭିଯୋଗ ହେଉଛି । କଳକାରଖାନାରେ କାର୍ଯ୍ୟରତ ଶ୍ରମିକ ମାନେ ନିର୍ଦ୍ଧାରିତ ସମୟ(୮ଘଂଟା)ରୁ ଅଧିକ କାର୍ଯ୍ୟ କଲେ ମଧ୍ୟ ଅନେକ ସମୟରେ ଅତିରିକ୍ତ କାର୍ଯ୍ୟର ପାଉଣା ନମିଳିବା ଅଭିଯୋଗ ହେବା ପୂର୍ବରୁ ନଜିର ରହିଛି । ସେହିଭଳି କିଛି ଜାଗାରେ କାର୍ଯ୍ୟରତ ଶ୍ରମିକ ମାନଙ୍କୁ ଇଏସଆଇ ଓ ପିଏଫର ସୁବିଧା ପ୍ରଦାନ କରାଯାଉନାହିଁ । ଫଳସ୍ୱରୁପ ଯଦି ଜଣେ ଶ୍ରମିକଙ୍କ ପରିବାରରେ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦିଏ, ତେବେ ଉକ୍ତ ଶ୍ରମିକଙ୍କୁ ଅଯଥାରେ ଖର୍ଚ୍ଚାନ୍ତ ହେବାକୁ ପଡ଼ିଥାଏ । ସେହିପରି କଳାକାରଖାନା, ବେସରକାରୀ କମ୍ପାନୀରେ କାର୍ଯ୍ୟରତ ମହିଳା ଶ୍ରମିକଙ୍କ ଜୀବନ ଅସୁରକ୍ଷିତ ଭାବେ କଟିବା କିଛି ନୂଆକଥା ନୁହେଁ, ଶ୍ରମ ଆଇନ ଅନୁଯାୟୀ ରାତିରେ ମହିଳା ଶ୍ରମିକ ମାନଙ୍କୁ କାର୍ଯ୍ୟରେ ନିୟୋଜିତ କରିବା ବେନିୟମ ହୋଇଥିଳେ ସୁଦ୍ଧା ଅନେକ ଜାଗାରେ ରାତିରେ ମହିଳା ଶ୍ରମିକ ମାନଙ୍କୁ ନିୟୋଜିତ କରାଯାଇଥାଏ । ବେସରକାରୀ ଉଦ୍ୟୋଗରେ ମହିଳା ଶ୍ରମିକ ମାନଙ୍କୁ ଯୌନ ଶୋଷଣ କରାଯାଉଥିଲେ ସୁଦ୍ଧା, ବହୁ ମହିଳା ଶ୍ରମିକ ଲୋକଲଜ୍ଜା ଭୟରେ ଘଟଣା ପ୍ରକାଶ କରିବାକୁ କୁଣ୍ଠାବୋଧ କରିଥାନ୍ତି ।
ଆଜି ବି ଗୁମୁରି କାନ୍ଦୁଛି ଶିଶୁ ଶ୍ରମିକ । ୧୪ ବର୍ଷରୁ କମ ବୟସର ନାବାଳକ ଓ ନାବଳିକା ମାନଙ୍କୁ କାର୍ଯ୍ୟରେ ଲଗାଇବା ବେଆଇନ ବୋଲି ଶ୍ରମ ଆଇନରେ ସ୍ପଷ୍ଟ ଭାବେ ଉଲ୍ଲେଖ ଥିଲେ ସୁଦ୍ଧା, ୧୦ରୁ ୧୨ ବର୍ଷର ବୟସର ନାବଳଳ ଓ ନାବାଳିକା ମାନେ ବିଭିନ୍ନ ହୋଟେଲ, ସାଇକେଲ ଦୋକାନ, ଗ୍ୟାରେଜ ଆଦିରେ ପେଟପାଟଣା ପାଇଁ କାମ କରିବା ଦେଖିବାକୁ ମିଳେ । ଅନେକ ସମୟରେ ଏହି କୋମଳମତି ଶିଶୁ ଶ୍ରମିକ ମାନଙ୍କୁ ମାଲିକଙ୍କ ନିର୍ଯ୍ୟାତନା ମଧ୍ୟ ସହ୍ୟ କରିବାକୁ ପଡ଼ିଥାଏ । ହେଲେ ଏହି ଶିଶୁ ଶ୍ରମିକ ମାନଙ୍କ ପରିବାର ଶ୍ରମ ଆଇନ ସମ୍ପର୍କରେ ଅଜ୍ଞ ଥିବା କାରଣରୁ ଶିଶୁ ଶ୍ରମିକ ମାନେ ଦଲାଲ ମାନଙ୍କ କବଳରୁ ମୁକ୍ତ ହୋଇନପାରିବା ଦେଖିବାକୁ ମିଳେ । ସେହିପରି ଶ୍ରମିକ ଚାଲାଣ ସମସ୍ୟା ପାଲଟିଛି ଏକ ପ୍ରମୁଖ ସମସ୍ୟା । ସୁନ୍ଦରଗଡ଼ ଜିଲାର ବିଭିନ୍ନ ଉପାନ୍ତ ଗ୍ରାମରୁ ବିଭିନ୍ନ ପଡୋଶୀ ରାଜ୍ୟ ଯେପରି ଛତିଶଗଡ଼, ପଶ୍ଚିମବଙ୍ଗ, ଝାଡଖଣ୍ଡ ଓ ଦିଲ୍ଲୀ ଓ ମୁମ୍ବାଇ ଭଳି ମହାନଗରକୁ ଦଲାଲ ସହାୟତାରେ ଶ୍ରମିକ ଚାଲାଣ ହେଉଛନ୍ତି । ଏନେଇ ଶ୍ରମ ବିଭାଗ ପାଖରେ ଅଭିଯୋଗ ହେଲେ କେବେ କିଛି ଶ୍ରମିକଙ୍କୁ ଉଦ୍ଧାର କରାଯାଇ ଶ୍ରମିକ ଜଣଙ୍କୁ ନ୍ୟାୟ ମିଳେ ତ, ପୁଣି କେବେ ଶ୍ରମିକ ଜଣଙ୍କ ଦାଦନ ଶ୍ରମିକ ଭାବେ ସାରା ଜୀବନ ଅତିବାହିତ କରେ । ଏପରି ସ୍ଥଳେ ଶ୍ରମିକ ମାନଙ୍କ ସମସ୍ୟା ପ୍ରତି ପ୍ରଶାସନ ଦୃଷ୍ଟି ଦେଇ ଏହାର ସ୍ଥାୟୀ ପ୍ରତିକାର କରିବାକୁ ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି ।
ନାଁକୁ ସ୍ମାର୍ଟ ସିଟି ରାଉରକେଲା, ଯେଉଁଠି ଶ୍ରମ ଆଇନ ଧର୍ମକୁ ଆଖିଠାର!
|
October 24, 2020 |