ଭୁବନେଶ୍ୱର,୩୧/୩ (ସନ୍ଧାନ ନିୟୁଜ) ଶନିବାର ନବୀନ ନିବାସ ଆଗରେ ଟିକେଟ ଆଶାୟୀ ଓ ସମର୍ଥକଙ୍କ ପ୍ରବଳ ଭିଡ଼ ଲାଗିଥିବାବେଳେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ଜଣେ ମହିଳା କାନ୍ଦିକାନ୍ଦି ବାରମ୍ବାର ନବୀନ ନିବାସ ଭିତରକୁ ପ୍ରବେଶ ଉଦ୍ୟମ କରୁଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଟିକେ ଭେଟିବାକୁ ସୁଯୋଗ ଦିଅ ବୋଲି ନେହୁରା ମଧ୍ୟ ହେଉଥିଲେ। ମହିଳା ଜଣକ ମାନସିକ ଭାବେ ଆଘାତ ପାଇଥିବା ଭଳି ଲାଗୁଥିଲେ। ଜଣେ ବିଧାୟକଙ୍କ ନାଁ ନେବା ସହ ସେ ତାଙ୍କୁ ମାରିଦେବେ ବୋଲି କହୁଥିଲେ। ହେଲେ ସୁରକ୍ଷା କର୍ମୀମାନେ ତାଙ୍କୁ ଭିତରକୁ ଛାଡ଼ିବାକୁ ଦେଇ ନ ଥିଲେ। ଫଳରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ନ ଦେଲେ ଆତ୍ମହତ୍ୟା କରିବେ ବୋଲି କହିବାରୁ ସୁରକ୍ଷାକର୍ମୀ ଓ ପୋଲିସ ତାଙ୍କୁ କାବୁ କରି ନେଇଥିଲେ। ଶେଷରେ ଏୟାରପୋର୍ଟ ଥାନା ପୋଲିସ ଉକ୍ତ ମହିଳାଙ୍କୁ ଥାନାକୁ ନେଇଯାଇଥିଲା। ପଚରାଉଚରା ପରେ ତାଙ୍କ ଘର ମୟୂରଭଞ୍ଜ ଜିଲା ଉଦଳା କୁକୁଡ଼ାଡିଆଁ ଅଞ୍ଚଳର ବୋଲି ଜଣାପଡିଥିଲା।
ମହିଳାଙ୍କ ଅଭିଯୋଗ ଅନୁଯାୟୀ, ଉଦଳା ଆର୍ଏମ୍ସି ଅଫିସରେ ପିଅନ ଚାକିରି କରାଇ ଦେବାକୁ କହି ଜଣେ ବିଧାୟକ ତାଙ୍କଠାରୁ ଦେଢଲକ୍ଷ ଟଙ୍କା ନେଇଥିଲେ। ସେ ଜଣକ ନିଜ ଜମି ବିକ୍ରି କରି ଉକ୍ତ ଟଙ୍କା ଦେଇଥିଲେ ମଧ୍ୟ ତାଙ୍କୁ ଚାକିରି ଦେଇ ନ ଥିଲେ। ଏପରିକି ୨୦୧୪ରେ ବିଧାୟକ ଓ ତାଙ୍କ ସେକ୍ରେଟେରି ମହିଳାଙ୍କୁ ଘରକୁ ଡାକି ବଳାତ୍କାର କରିଥିଲେ। ଏନେଇ ସେ ଏସ୍ପିଙ୍କୁ ଅଭିଯୋଗ କରିବା ପରେ ସ୍ଥାନୀୟ ପୋଲିସ ମାମଲା ରୁଜୁ କରି ବିଧାୟକଙ୍କ ସେକ୍ରେଟେରୀଙ୍କୁ ଗିରଫ କରିଥିଲା। ସେ ଦେଢ ମାସ ଜେଲରେ ରହିବା ପରେ ଜାମିନରେ ମୁକୁଳିଥିଲେ। ଏହି ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଥିବାବେଳେ ବିଧାୟକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ସେହିପରି ମହିଳା ଜଣକ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କୁ କୌଣସି ନ୍ୟାୟ ମିଳିନାହିଁ। ତେଣୁ ସେ ବାଧ୍ୟହୋଇ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କୁ ଦେଖାକରିବା ପାଇଁ ଚାହୁଁଥିଲେ।
ଏନେଇ ଏୟାରପୋର୍ଟ ଥାନା ଅଧିକାରୀ ଉମାକାନ୍ତ ପ୍ରଧାନ କହିଛନ୍ତି, ଜଣେ ବିଧାୟକଙ୍କ ନାମରେ ଥିବା ଏକ ପୁରୁଣା ମାମଲାରେ ମହିଳା ଜଣକ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ଆଣିଥିଲେ। ହେଲେ ବହୁଦିନ ହୋଇଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଦେଖାକରିବାକୁ ଆସିଥିଲେ। ହେଲେ ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ଛଡା ଯାଇ ନ ଥିଲା। ସେ ଜବରଦସ୍ତ ଭିତରକୁ ପଶିବାକୁ ଉଦ୍ୟମ କରିବା ସମୟରେ ତାଙ୍କୁ ଧରି ଥାନାକୁ ନିଆଯାଇ ପରେ ଛାଡ଼ି ଦିଆଯାଇଥିଲା