ଧାନ ମଣ୍ଡିରେ ଅନ ଲାଇନ ଟୋକନ ବ୍ୟବସ୍ଥା ପ୍ରତ୍ୟାହାର ପାଇଁ କ୍ଷେତ ମଜଦୁର ସଂଘର ଦାବୀ

Spread the love

ପାଟଣା, ୭/୧/୨୦ (ସନ୍ଧାନ ନିଉଜ) : ଟୋକନ ବ୍ୟବସ୍ଥା ପ୍ରତ୍ୟାହାର କରି ଚାଷୀଙ୍କୁ ନଗଦ ଟଙ୍କା ଦେଇ ଧାନ ଖରିଦ କରାଯିବା କ୍ୟୁଣ୍ଟାଲ ପ୍ରତି ୫କିଲୋ ଧାନ କାଟିବା ବନ୍ଦ କରିବା , କ୍ୟୁଣ୍ଟାଲ ପ୍ରତି ଦୁଇଟି ବସ‌୍ତାର ଦାମ୍ ୫୦ଟଙ୍କା ଚାଷୀ ମାନଙ୍କୁ ଦେବା , ଭାଗଚାଷୀଙ୍କୁ ମଣ୍ଡିରେ ଧାନ ବିକ୍ରି କରିବାର ସୁଯୋଗ ଦେବା , ବର୍ଷ ତମାମ ସରକାରୀ ଧାନ ମଣ୍ଡି ଖୋଲାଯାଇ ପ୍ରତ୍ୟେକ ପଞ୍ଚାୟତରେ ଧାନ କ୍ରୟ ର ବ୍ୟବସ୍ଥା କରାଯିବା ଦାବିରେ ଅଲ୍ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଗଠନ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଶାଖା ପକ୍ଷରୁ ଗତକାଲି ପାଟଣା ବ୍ଲକ ବିଡିଓ ଇଶ୍ଵର ଚନ୍ଦ୍ର ନାଏକଙ୍କୁ ଏକ ଦାବିପତ୍ର ଦିଆଯାଇଥିବା ଜଣାପଡିଛି ।

ଖବରରୁ ପ୍ରକାଶଯେ ସରକାର ଚାଷୀଙ୍କ ଠାରୁ ଧାନ କ୍ରୟ କରିବା ନିମନ୍ତେ ଧାନ ମଣ୍ଡିର ବ୍ୟବସ୍ଥା କରିଥିବା ବେଳେ ଅନ୍ ଲାଇନ ବ୍ୟବସ୍ଥା ଲାଗୁ କରା ଯାଇଥିବାରୁ ଚାଷୀ ମାନେ ମଣ୍ଡି ରେ ଧାନ ବିକ୍ରି କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଧାନର ସହାୟକ ମୂଲ୍ୟ ସାମାନ୍ୟ ବୃଦ୍ଧି କରି ୧୮୧୫ ଓ ୧୮୫୦ଟଙ୍କା ରଖା ଯାଇଥିବା ବେଳେ ଚାଷୀ ଏହାର ଲାଭ ନେବାରେ ବହୁ ସମସ୍ୟା ହେଉଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି । ଗତବର୍ଷ ଚାଷୀ ମଣ୍ଡିରେ ଧାନ ବିକ୍ରି କରିବାକୁ ଅପେକ୍ଷା କରି ଶେଷରେ ମଣ୍ଡି ବନ୍ଦହୋଇ ଯାଇଥିଲା । ଫଳରେ ଧାନ ର ଅଭାବୀ ବିକ୍ରି ଦେଖା ଦେଇଥିଲା । ଚଳିତ ବର୍ଷ ଅନ ଲାଇନ ବ୍ୟବସ୍ଥା କାରଣରୁ ଚାଷୀ ଧାନ ବିକ୍ରି କରିପାରିନଥିବା ଅଭିଯୋଗ କରିଛନ୍ତି ଚାଷୀ ମାନେ । ଆଗକୁ ମକର ପର୍ବ ଆସୁଥିବା ବେଳେ ଟଙ୍କା ଆବଶ୍ୟକ ଥିବାରୁ ଚାଷୀ ମାନେ ଧାନ ବିକିବାକୁ ବ୍ୟାକୁଳ ହେଉଛନ୍ତି ।

ଯେଉଁ ଚାଷୀ ମଣ୍ଡିରେ ଧାନ ବିକ୍ରି କରୁଛନ୍ତି ସେମାନଙ୍କ ପାଖରୁ କୁଇଣ୍ଟାଲ ପିଛା ୫ କିଲୋ ଧାନ କାଟି ନେବା ସହିତ ଦୁଇଟି ବସ୍ତା ବାବଦକୁ ୫୦ ଟଙ୍କା କଟା ଯାଉଥିବା ଅଲ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଗଠନ ପକ୍ଷରୁ ଅଭିଯୋଗ କରିଛନ୍ତି । ଏହାର ପ୍ରତିବାଦରେ ଆଜି ସଙ୍ଗଠନ ପକ୍ଷରୁ ପାଞ୍ଚଦଫା ସମ୍ବଳିତ ଏକ ଦାବି ପତ୍ର ପାଟଣା ବିଡ଼ିଓ ଙ୍କୁ ପ୍ରଦାନ କରିଛନ୍ତି । ଟୋକନ ବ୍ୟବସ୍ଥା ପ୍ରତ୍ୟାହାର କରି ଚାଷୀ ଙ୍କୁ ନଗଦ ଟଙ୍କା ଦେଇ ଧାନ ଖରିଦ୍ କରାଯାଉ , କୁଇଣ୍ଟାଲ ପ୍ରତି ୫ କିଲୋ ଧାନ କାଟିବା ତୁରନ୍ତ ବନ୍ଦ କରା ଯାଉ , କୁଇଣ୍ଟାଲ ପ୍ରତି ୨ଟି ବସ୍ତା ର ଦାମ ୫୦ ଟଙ୍କା ଚାଷୀ ମାନଙ୍କୁ ଦିଆଯାଉ , ଭାଗ ଚାଷୀ ମାନଙ୍କୁ ମଣ୍ଡିରେ ଧାନ ଦେବାର ବ୍ୟବସ୍ଥା କରାଯିବା ଆଦି ଦାବି ଏହି ପତ୍ରରେ ଉଲ୍ଲେଖ ରହିଛି । ଅଲ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଗଠନ ର ସର୍ବ ଭାରତୀୟ ସଭ୍ୟ ପ୍ରକାଶ ମଲିକ , ସଂଗଠନର କେନ୍ଦୁଝର ଜିଲ୍ଲା ସଭାପତି ଘନଶ୍ୟାମ ମହାନ୍ତ , ପାଟଣା ବ୍ଲକ ସଭାପତି ଛତିଶ ଚନ୍ଦ୍ର ମହାନ୍ତ , ଗୌର ଚନ୍ଦ୍ର ମହାନ୍ତ , ପ୍ରେମାନନ୍ଦ ମହାନ୍ତ ପ୍ରମୁଖଙ୍କ ସହ ଏକ ପ୍ରତିନିଧି ପାଟଣା ବିଡ଼ିଓ ଈଶ୍ୱର ଚନ୍ଦ୍ର ନାୟକ ଙ୍କୁ ଏହି ଦାବି ପତ୍ର ପ୍ରଦାନ କରିଛନ୍ତି । ତୁରନ୍ତ ସମସ୍ୟା ର ସମାଧାନ କରା ନଗଲେ ଚାଷୀ ଆନ୍ଦୋଳନ କରିବେ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ।

Related Posts

About The Author

Add Comment