ଧାନର ଏମ୍‌ଏସ୍‌ପି ବୃଦ୍ଧିରେ ଚାଷୀ ହତାଶ

Spread the love

ଭଦ୍ରକ, ୦୩/୦୬/୨୦ (ସନ୍ଧାନ ନିଉଜ) : କରୋନା ବିପତ୍ତି ସମୟରେ କେନ୍ଦ୍ର ସରକାର ୧୪ଟି କୃଷିଜାତ ଉତ୍ପାଦର ସହାୟକ ଦର ୫୦ ରୁ ୮୩ ପ୍ରତିଶତ ବୃଦ୍ଧି କରିଛନ୍ତି । ଗତବର୍ଷ ଧାନର ସହାୟକ ଦର କ୍ୱିଣ୍ଟାଲ ପିଛା ୧୮୧୫ ଟଙ୍କା ରହିଥିବାବେଳେ ଚଳିତବର୍ଷ ତାହାକୁ ୧୮୬୮ ଟଙ୍କାକୁ ବୃଦ୍ଧି କରିଛନ୍ତି । ଏବେ ଧାନର ଉତ୍ପାଦନ ଖର୍ଚ୍ଚ ୨ ହଜାରକୁ ଟପି ଯାଇଥିବାବେଳେ କେନ୍ଦ୍ର ସରକାର ଧାନର ସହାୟକ ଦର ମାତ୍ର ୫୩ ଟଙ୍କା ବୃଦ୍ଧି କରିବା ଘଟଣା ରାଜ୍ୟର ଲକ୍ଷ ଲକ୍ଷ ଚାଷୀଙ୍କୁ ହତାଶ କରିଛି । ଜିଲାରେ ବାର୍ଷିକ ପ୍ରାୟ ୭୦ ରୁ ୮୦ ଲକ୍ଷ କ୍ୱିଣ୍ଟାଲ ଧାନ ଉତ୍ପାଦନ ହେଉଥିବା ବେଳେ ବାର୍ଷିକ ପ୍ରାୟ ୫୦ ଲକ୍ଷ କ୍ୱିଣ୍ଟାଲ ଧାନର କିଣାବିକା ହୋଇଥାଏ । ହେଲେ ଧାନର ଏମ୍‌ଏସ୍‌ପି ଅନୁରୂପ ଭାବେ ବୃଦ୍ଧି କରାଯାଉନଥିବା ହେତୁ ଚାଷୀମାନେ ବାଧ୍ୟ ହୋଇ ଶାଗମାଛ ଦରରେ ଦଲାଲମାନଙ୍କୁ ବିକ୍ରି କରିଦେଉଛନ୍ତି । ଚଳିତବର୍ଷ ଜିଲାରେ ୫୧ ହଜାର ୨୦୩ ଚାଷୀ ଧାନ ବିକ୍ରି କରିବାକୁ ଅନଲାଇନ୍ ପଂଜିକରଣ କରିଥିଲେ । ଯୋଗାଣ ନିଗମ ଚଳିତବର୍ଷ ଜିଲାରେ ୩୯ ହଜାରରୁ ଅଧିକ ଚାଷୀ ଧାନ ବିକ୍ରି କରିଥିବା ଦାବୀ କରୁଥିଲେ ମଧ୍ୟ ଟୋକନ୍ ଅବ୍ୟବସ୍ଥା ଯୋଗୁଁ ୩୯ ହଜାର ଚାଷୀଙ୍କ ମଧ୍ୟରୁ ପ୍ରାୟ ୫୦ ଭାଗ ଚାଷୀ ପୁରା ଧାନ ବିକ୍ରି କରିପାରିନାହାଁନ୍ତି । ଚଳିତବର୍ଷ ସରକାର ଜିଲାରୁ ୨୧ ଲକ୍ଷ ୯୫୪ କ୍ୱିଣ୍ଟାଲ ଧାନ ସଂଗ୍ରହ କରିଛନ୍ତି । ହେଲେ ଧାନ ଉତ୍ପାଦନକୁ ହିସାବକୁ ନେଲେ ସରକାର ଚାଷୀଙ୍କ ବଳକା ଧାନର ୫୦ ପ୍ରତିଶତ ମଧ୍ୟ ସଂଗ୍ରହ କରିବାକୁ ସମର୍ଥ ହୋଇନାହାଁନ୍ତି । ଦରଦାମ ବୃଦ୍ଧିକୁ ଦୃଷ୍ଟିରେ ରଖି ସ୍ୱାମିନାଥନ କମିଟି ଧାନର ସହାୟକ ଦର ପ୍ରଚଳିତ ଦରର ଦେଢଗୁଣ କରିବାକୁ ସୁପାରିଶ କରିଥିବାବେଳେ ବିଭିନ୍ନ କୃଷକ ସଂଗଠନ ଏହାକୁ କ୍ୱିଣ୍ଟାଲ ପିଛା ସର୍ବନିମ୍ନ ୩ ହଜାର ଟଙ୍କାକୁ ବୃଦ୍ଧି କରିବାକୁ ଦାବୀ କରିଆସୁଛନ୍ତି । ହେଲେ କେନ୍ଦ୍ର ସରକାର ଏଥିପ୍ରତି ଆଖିବୁଜି ଦେଇ ଧାନର ସହାୟକ ଦର ମାତ୍ର ୫୩ ଟଙ୍କାକୁ ବୃଦ୍ଧି କରିବା ଘଟଣା ରାଜ୍ୟର ଲକ୍ଷ ଲକ୍ଷ ଚାଷୀଙ୍କ ପାଇଁ ଉପହାସ ବୋଲି ଓଡ଼ିଶା କୃଷକ ସଭା ଭଦ୍ରକ ଜିଲା କମିଟି ସଭାପତି ଚନ୍ଦ୍ରଶେଖର ନାୟକ ଅଭିଯୋଗ କରିଛନ୍ତି । ସରକାର ତାଙ୍କ ନିଷ୍ପତ୍ତିର ପୁନର୍ବିଚାର କରିବା ସହିତ ଧାନର ଏମ୍‌ଏସ୍‌ପି ୩ ହଜାର ଟଙ୍କାକୁ ବୃଦ୍ଧି କରିବାକୁ ସେ ଦାବୀ କରିଛନ୍ତି ।

Related Posts

About The Author

Add Comment