ଧାନମଣ୍ଡି ଉପରେ କଡ଼ା ନଜର ରଖିବେ ମନ୍ତ୍ରୀ; ଦୁର୍ନୀତି ରୋକିବାକୁ କଡ଼ା କାର୍ଯ୍ୟନୁଷ୍ଠାନ

Spread the love

ଭୁବନେଶ୍ବର (ସନ୍ଧାନ ନ୍ୟୁଜ): ରାଜ୍ୟରେ ଖରିଫ ଋତୁ ପାଇଁ ଧାନ ସଂଗ୍ରହ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ବ୍ୟବସ୍ଥିତ କରିବାକୁ ରାଜ୍ୟ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଣିକି ଧାନମଣ୍ଡି ଉପରେ କଡ଼ା ନଜର ରଖିବା ପାଇଁ ଖୋଦ୍ ମନ୍ତ୍ରୀମାନେ ଦାୟିତ୍ୱ ନେବେ। ମୁଖ୍ୟମନ୍ତ୍ରୀ ବିଭିନ୍ନ ମନ୍ତ୍ରୀଙ୍କୁ ଜିଲାୱାରି ଦାୟିତ୍ୱ ବଣ୍ଟନ କରିଛନ୍ତି। ପ୍ରତ୍ୟେକ ଜିଲ୍ଲା ପାଇଁ ଜଣେ ଜଣେ ମନ୍ତ୍ରୀଙ୍କୁ ମଣ୍ଡି ଦାୟିତ୍ଵ ଦିଆଯାଇଛି। ମନ୍ତ୍ରୀମାନେ ବିଭିନ୍ନ ମଣ୍ଡି ବୁଲି ସ୍ଥିତି ଅନୁଧ୍ୟାନ କରିବେ। ଧାନ ସଂଗ୍ରହ ସମୟରେ ସମନ୍ବୟ ପାଇଁ ମନ୍ତ୍ରୀସ୍ତରୀୟ କମିଟି ଗଠନ ହୋଇଛି ବୋଲି ଆଜି ଗୃହରେ ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

ଜିଲ୍ଲାପାଳ ପ୍ରତ୍ୟେକ ମଣ୍ଡିରେ ଜଣେ ଜଣେ ଅଫିସରଙ୍କୁ ଦାୟିତ୍ବ ଦେବେ। ଅଫିସରମାନେ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିବେ। ସମବାୟ, ପଞ୍ଚାୟତିରାଜ, ଖାଦ୍ୟ ଯୋଗାଣ ଭଳି ବିଭାଗ ସମନ୍ବୟ ରଖି କାର୍ଯ୍ୟ କରିବେ। ମଣ୍ଡିରେ ଯେପରି କୌଣସି ଅନିୟମିତତା ନହୁଏ ଏବଂ ପଡୋଶୀ ରାଜ୍ୟରୁ ବେଆଇନ ଭାବେ ଧାନ ଓଡ଼ିଶା ମଣ୍ଡିକୁ ପ୍ରବେଶ ନକରେ, ସେଥିପାଇଁ ସୀମାନ୍ତରେ ସିସିଟିଭି କ୍ୟାମେରା ଲଗାଯିବା ସହ କଡ଼ା ପ୍ରହରା ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ମଣ୍ଡିରେ ସିସିଟିଭି ଏବଂ କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା ହୋଇଛି। ଯଦି କୌଣସି ସରକାରୀ ଅଧିକାରୀ ଦୁର୍ନୀତିରେ ସମ୍ପୃକ୍ତ ଥିବା ପ୍ରମାଣ ମିଳେ, ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

Related Posts

About The Author

Add Comment