ଧର୍ମଶାଳାରେ ମରୁଡି ଓ ଧୋଇରେ ସର୍ବସ୍ୱାନ୍ତ ଚାଷୀଙ୍କ ପାଇଁ ସ୍ୱର ଉଠାଇଲେ ବି.ଜେ.ଡି ନେତା

Spread the love

ଯାଜପୁର, ୨୫/୦୮/୨୦ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲାର ଧର୍ମଶାଳାରେ ପ୍ରତିବର୍ଷ ଖରାଦିନେ ମରୁଡି ଏବଂ ବର୍ଷାଦିନେ ଲଗାଣ ବର୍ଷାରେ ଧୋଇରେ ଚାଷୀକୂଳ ସର୍ବସ୍ୱାନ୍ତ ହୋଇ ପଡିଛନ୍ତି । ଗୋଟିଏ ପଟରେ ଜଳକର ଦେଇ ଜମିକୁ ଜଳ ପାଉ ନଥିବାରୁ ମରୁଡିରେ ଫସଲ ନଷ୍ଟ ହେଉଥିବା ବେଳେ ବର୍ଷାରେ ଜଳ ନିଷ୍କାସନ ବ୍ୟବସ୍ଥା ନଥିବାରୁ ବର୍ଷା ବଦଳ ପାଣିରେ ଧୋଇରେ ଫସଲ ନଷ୍ଟ ହେଉଛି । ଏଥିନେଇ ଗୋଟିଏ ପ୍ରତିନିଧି ଦଳର ନେତୃତ୍ୱ ନେଇ ଧର୍ମଶାଳାର ବିଭିନ୍ନ ପଂଚାୟତ ଗ୍ରସ୍ତ କରି ବି.ଜେ.ଡି ନେତା ସତୀଶ ବିଶ୍ୱାଳ ଉଦବେଗ ପ୍ରକାଶ କରିଛନ୍ତି । ଖରାଦିନେ ଜମିକୁ ଜଳ ଯୋଗାଇବା ସହ ବର୍ଷା ଦିନେ ଜମିରୁ ଜଳ ନିଷ୍କାସନ ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବା ବୋଲି ମତ ପ୍ରକାଶ କରିଛନ୍ତି ।
ଧର୍ମଶାଳାର ପଟୁଣିଆ, ଆରୁହା , ମହିସରା , ସଂପାରୁ, ଜେନାପୁର, ବୃନ୍ଦାଦେଇପୁର, ରେଖିଦେଇପୁର, ପଟୁଣିଆ ଆଦି ପ୍ରାୟ ୧୦ ଟି ପଂଚାୟତର ଥିବା ଖାଲୁଆ ଅଂଚଳକୁ ଗ୍ରସ୍ତ କରି ଚାଷୀଙ୍କ ସହ ବୁଡି ରହିଥିବା ଫସଲ କ୍ଷେତକୁ ଯାଇ ସତୀଶ ଅନୁଧ୍ୟାନ କରିଥିଲେ । ପଟୁଣିଆରେ ଶହ ଶହ ଏକର ଧାନ ଜମି ଉପରେ ବର୍ଷାଜଳ ଲହଡି ଖେଳୁଥିବା ବେଳେ ଏହା ଏକ କୁତ୍ରିମ ନଦୀ ଭଳି ଦୃଶ୍ୟ ହେଉଛି । ଏହି ଅଞ୍ଚଳର ଲୋକେ ମୁଖ୍ୟତ ଚାଷ ଉପରେ ନିର୍ଭର କରୁଥିବା ବେଳେ ବର୍ଷା ଜଳରେ ଚଳିତ ବର୍ଷର ଧାନ ଫସଲ ସଂପୂର୍ଣ୍ଣ ପଚି ନଷ୍ଟ ହୋଇ ଯାଇଛି । ସମାଜସେବୀ ଗୁରୁଚରଣ ସାମଲଙ୍କ ନେତୃତ୍ୱରେ ଦଇତାରୀ ରାଉତ, କାଳନ୍ଦୀ ଚରଣ ବାରିକ, ହରିହର ରାଉତ, ନୀରଞ୍ଜନ ଗନ୍ତାୟତ, ଅଭୟ ରାଉତ ପ୍ରମୁଖ ଶତାଧିକ ଚାଷୀ ଏକାଠି ହୋଇ ସତୀଶଙ୍କୁ ପଟୁଣିଆ ପାଟ ବୁଲାଇ ଦେଖାଇବା ସହ ହାମଜାପୁର ଠାରୁ ବୁଦ୍ଧଲିଙ୍ଗ ପର୍ଯ୍ୟନ୍ତ ଘେରିବନ୍ଧ କରାଯିବାକୁ ଦାବି କରିଥିଲେ । ସେମାନଙ୍କ ଦାବି ଅନୁସାରେ ଏହି ଘେରି ବନ୍ଧ ହେଲେ ସେହି ବାଟ ଦେଇ ପାଣିକୁ ଅଟକା ଯିବା ସହ ଶଙ୍ଖ ଦେଇ ପାଣି ପୁନଶ୍ଚ ଶଗଡିଆ ନାଳ ଦେଇ ଚାଲି ଯାଇ ପାରନ୍ତା । ଏଠାରେ ଥିବା ଉଠା ଜଳସେଚନ ପ୍ରକଳ୍ପ ଗୁଡିକ ମଧ୍ୟରୁ ମାତ୍ର ଗୋଟିଏ କାର୍ଯ୍ୟକ୍ଷମ ଥିବା ବେଳେ ଅନ୍ୟ ଗୁଡିକ ଦୀର୍ଘବର୍ଷ ହେଲା ଅଚଳ ହୋଇ ପଡିଛି । ଏଥିପାଇଁ ଖରାଦିନେ ବି ଚାଷୀ ମରୁଡିରେ ସର୍ବସ୍ୱ ହରାଉଛନ୍ତି । ସେହିପରି ଜେନାପୁର ଅଂଚଳରେ ବ୍ରହ୍ମପୁର ପାଟରେ ନଦୀ ପରି ପାଣି ଜମି ରହିଛି । ଏଠାରେ ଘାସିବର ପାଖରେ ଥିବା ମତଗୁଞ୍ଜର ନାଳର କବାଟ ଠିକ କାମ କରୁ ନଥିବା ବେଳେ ପୋଲର ମୁହଁଟି ଅଣଓସାରିଆ ହୋଇ ରହିଛି । ଫଳରେ ଜଳ ନିଷ୍କାସନ ଠିକରେ ହୋଇ ନପାରି ବର୍ଷାପାଣି ବ୍ୟାପକ କ୍ଷତି କରୁଛି । ଯେଉଁ ସମୟରେ ନିକଟସ୍ଥ ପାହାଡ ଗୁଡିକରୁ ପାଣି ଗଡି ଏଠାରେ ଜମି ରହୁଛି ସେହି ସମୟରେ ପାଣି ନିଷ୍କାସନ ହୋଇ ପାରୁନି ଏବଂ ହାଇଲେବୁଲ କେନାଲରେ ବି ସେହି ସମୟରେ ପାଣି ଭର୍ତ୍ତି ହୋଇ ରହୁଥିବାରୁ ସମସ୍ୟା ଉକ୍ରଟ ହେଉଛି । ଏଠାରେ ଖରାଦିନେ କିନ୍ତୁ କେନାଲରେ ପାଣି ରହୁନାହିଁ । କେନାଲରେ ଦଳଭର୍ତ୍ତି ହୋଇ ରହୁଛି । ଫଳରେ ଖରାଦିନେ ଚାଷୀମାନେ ଏଠାରେ ବର୍ଷ ବର୍ଷ ଧରି ଜଳକର ଦେଇ ଜମିକୁ ଜଳ ପାଉନାହାନ୍ତି । ବୃନ୍ଦାଦେଇପୁର ଅଂଚଳରେ ଦଣ୍ଡସେଣା ନିକଟରେ ଥିବା ବଡନାଳ ଦୀର୍ଘବର୍ଷ ହେଲା ପୋତି ହୋଇ ପଡିଥିବା ବେଳେ ଏହାର ପୁନରୁଦ୍ଧାର କରାଯାଉ ନାହିଁ । କେତେକ ଲୋକ ଏହି ବଡ ନାଳକୁ ଜବର ଦଖଲ କରି ରଖିଛନ୍ତି । ଏଥିପାଇଁ ଖରାଦିନେ ଚାଷୀ ଜମିକୁ ଜଳ ନପାଇ ମରୁଡିରେ ସର୍ବସ୍ୱ ହରାଉଥିବା ବେଳେ ବର୍ଷାଦିନେ ବି ଜଳ ନିଷ୍କାସନ ହୋଇ ନପାରିବାରୁ ଧୋଇରେ ଫସଲ ହରାଉଛନ୍ତି । ଏହିସବୁ ସ୍ଥାନରେ ଚାଷୀ ମାନଙ୍କ ସହ ସତୀଶ ବିଲରେ ଅଣ୍ଟାଏ ପାଣି ଭିତରକୁ ଯାଇ ପରିସ୍ଥିତିର ଅନୁଧ୍ୟାନ କରିଥିଲେ । ପ୍ରତ୍ୟେକ ସ୍ଥାନରେ ଚାଷୀମାନେ ଫସଲ କ୍ଷତି ପାଇଁ ଆବଶ୍ୟକ କ୍ଷତପୁରଣ ପାଇଁ ଦାବି କରିଥିଲେ । ତେବେ ରାଜ୍ୟରେ କ୍ଷମତାସୀନ ନବୀନ ପଟ୍ଟନାୟକ ସରକାର ଚାଷୀଙ୍କ ସ୍ୱାର୍ଥରକ୍ଷା ପାଇଁ ସର୍ବଦା ଯତ୍ନାବାନ ଥିବାରୁ ଏଥିନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହ ସରକାର ତ୍ୱରିତ ପଦକ୍ଷେପ ନେବେ ବୋଲି ସତୀଶ ଚାଷୀ ମାନଙ୍କୁ ପ୍ରତିଶୃତି ଦେଇଥିଲେ । ଏହାସହ ଚାଷୀ ମାନଙ୍କୁ କ୍ଷୟକ୍ଷତସିର ଆକଳନ କରାଯାଇ ତୁରନ୍ତ ସେମାନଙ୍କୁ ସହାୟତା ପ୍ରଦାନ ସହ ପରବର୍ତ୍ତି ଫସଲ ପାଇଁ ଆବଶ୍ୟକ ଋଣ, ସହାୟତା ରାଶି, ସାର, ବିହନ ଆଦି ଯୋଗାଇ ଦେବାକୁ ଦାବି କରିଛନ୍ତି ।

Related Posts

About The Author

Add Comment