ଯାଜପୁର,୧୭/୦୫ ମହିଳା ସ୍ୱାର୍ଥରକ୍ଷା ପାଇଁ କରାଯାଇ ଥିବା ଓଡିଶା ଜୀବିକା ମିଶନ ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସବୁଠାରୁ ଗ୍ରହଣୀୟ କାର୍ଯ୍ୟକ୍ରମ । ହେଲେ ଯାଜପୁର ଜିଲ୍ଲା ଧର୍ମଶାଳାରେ ଏହି କାର୍ଯ୍ୟକ୍ରମରେ ଜଣଙ୍କୁ ବେଆଇନ ଭାବେ ଫାଇଦା ଦେବାକୁ ଯାଇ ସରକାର ଏବଂ ସରକାରୀ କଳ ଗଣ ଆକ୍ରୋଶର ଶୀକାର ହେଉଛି । ଏଥିନେଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ପରେ ହୋଇଥିବା ତଦନ୍ତକୁ ବାଟବଣା କରିବାକୁ ଖୋଦ ପ୍ରଶାସନିକ ଅଧିକାରୀଙ୍କ ପ୍ରାଣମୂର୍ଚ୍ଚା ଉଦ୍ୟମ ପାଇଁ ଉଭୟ ସରକାର ଏବଂ ସରକାରୀ କଳ ଜନଅସନ୍ତୋଷର ଶୀକାର ହେଉଛି । ଏହାର ପ୍ରତିବାଦରେ ଜୀବିକା ମିଶନ ଅଧୀନରେ କାର୍ଯ୍ୟରତ କ୍ୟାଡରମାନେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ ଚେତାବନୀ ଦେଇଛନ୍ତି ।
ଖବରରୁ ପ୍ରକାଶ, ଧର୍ମଶାଳାରେ ଓଡିଶା ଜୀବିକା ମିଶନ କାର୍ଯ୍ୟକ୍ରମରେ ଯାବତୀୟ ବେଆଇନ ଏବଂ ଆପତ୍ତି ଜନକ କାର୍ଯ୍ୟ ଚାଲିଥିବା ବେଳେ ଏବେ ଏହି କାର୍ଯ୍ୟକ୍ରମରେ ଚାଲିଥିବା ନିଯୁକ୍ତି କ୍ଷେତ୍ରରେ ଆଖିବୁଜା ଦୁର୍ନିତି ଚାଲି ଥିବାର ଲେଖା ଯୋଖା ପ୍ରମାଣ ହସ୍ତଗତ ହୋଇଛି । ଏହି ନିଯୁକ୍ତି ପାଇଁ ରାଜ୍ୟ ମିଶନ ଶକ୍ତି ନିର୍ଦ୍ଦେଶକ ରାଜେଶ ପ୍ରଭାକର ପତି (ଆଇ.ଏ.ଏସ) ପତ୍ର ନଂବର-୧୧୨୧ ତା୧୩.୦୮.୨୦ ପ୍ରଦାନ କରିଛନ୍ତି । ଏଥିରେ ଦର୍ଶାଯାଇଥିବା ନିୟମ ଅନୁସାରେ ଏମ.ବି.କେ ପଦବୀ ଚୟନ ପ୍ରକିୟାରେ କେବଳ ସି.ଆର.ପି ଭାବେ କାର୍ଯ୍ୟ କରିଥିବା ମହିଳା ମାନଙ୍କୁ ଅଭିଜ୍ଞତା ବାବଦରେ ୧୦ ନଂବର ପ୍ରଦାନ କରାଯିବ । ହେଲେ ଧର୍ମଶାଳା ବ୍ଲକର ଦେଓଦା ପଂଚାୟତର ଏମ.ବି.କେ ଚୟନ ପ୍ରକିୟାରେ ଆଦୌ ସି.ଆର.ପି ଭାବେ କାର୍ଯ୍ୟ କରି ନଥିବା ଜଣେ ସ୍ୱୟଂ ସହାୟକ ଗୋଷ୍ଠୀର ସାଧାରଣ ସଭ୍ୟାଙ୍କୁ ଏଥିନେଇ ୩ ନଂବର ପ୍ରଦାନ କରାଯାଇ ତାଙ୍କୁ ଏମ.ବି.କେ ଚାକିରୀ ପ୍ରଦାନ ପାଇଁ ଉଦ୍ୟମ କରାଯାଇଛି । ଏହି ମହିଳା ଜଣକ ଗୋଟିଏ ଗୋଷ୍ଠୀର ଖାତାପତ୍ର ତନଖି କରିଥିବାର ଉକ୍ତ ଗୋଷ୍ଠୀର ଲିଖିତ ପ୍ରମାଣପତ୍ର ଆଧାରରେ ଏହି ନମ୍ବର ଦିଆଯାଇଛି । ଏହା ଗାଇଡ ଲାଇନର କୌଣସି ଠାରେ ଉଲ୍ଲେଖ ନାହିଁ । ଏହି ଚୟନ ପ୍ରକିୟା କେବଳ ନିଜ ପଂଚାୟତରେ ମହାସଂଘର ଏକଜ୍ୟୁଟିଭ ମେମ୍ବରଙ୍କ ଦ୍ୱାରା ହବା କଥା । ହେଲେ ଏଠାରେ ଓଡିଶା ଜୀବିକା ମିଶନର ବ୍ଲକ ଅଧିକାରୀ ତଥା ବି.ପି.ଏମ ବ୍ୟାପକ ଅନିୟମିତତା କରିବା ପାଇଁ ସମସ୍ତ ନିଯୁକ୍ତି ପ୍ରକିୟା ବ୍ଲକରେ କରିଛନ୍ତି । ଏକଜ୍ୟୁଟିଭ ମେମ୍ବରଙ୍କୁ ଏ କ୍ଷେତ୍ରରେ ଆବଶ୍ୟକ ତାଲିମ ଦିଆନଯାଇ ନିୟମ କାନୁନ ନେଇ ସେମାନଙ୍କୁ ଅନ୍ଧାରରେ ରଖାଯାଉଛି । ଫଳରେ ସେମାନଙ୍କ ଅଜ୍ଞତାର ସୁଯୋଗ ନେଇ ସେମାନଙ୍କ ଠାରୁ କଳେ ବଳେ କୌଶଳେ ଦସ୍ତଖତ ନିଆଯାଇ ଏ କ୍ଷେତ୍ରରେ ଥିବା ଅନିୟମିତତାକୁ ନିୟମିତ କରାଯାଉଛି । ଗୋଟିଏ ଗୋଟିଏ ବୈଠକରେ ଆଗୁଆ ଦୁଇ ତିନୋଟି ବୈଠକର ଦସ୍ତଖତ ବୈଠକ ବିବରଣୀ ଲେଖା ନଯାଇ ଦସ୍ତଖତ ଅଣାଯାଉଛି । ପରେ ଫାଙ୍କା ଥିବା ଏହି ଦସ୍ତଖତ ଥିବା ବିବରଣୀ ଖାତାରେ ସମସ୍ତ ବେଆଇନ କାର୍ଯ୍ୟକୁ ଆଇନସିଦ୍ଧ କରିବାକୁୂ ବୈଠକ ବିବରଣୀ ଲେଖି ଦିଆଯାଉଛି । ଏଥିନେଇ ଅଭିଯୋଗ ପରେ ଗି ତା୧୬.୦୫.୨୧ ରିଖ ରାତିରେ ଓଡିଶା ଜୀବିକା ମିଶନର ଅଧିକାରୀମାନେ ଦେଓଦା ପଂଚାୟତରେ ସମସ୍ତ ଏକଜ୍ୟୁଟିଭ ମେମ୍ବରଙ୍କୁ ପ୍ରଭାବିତ କରି ସେମାନଙ୍କ ଠାରୁ ଦସ୍ତଖତ ଆଣିଥିଲେ । ସେମାନେ ପରେ ସବୁକଥା ବୁଝିବା ପରେ ଏଥିନେଇ ବ୍ୟକ୍ତିଗତ ଘୋଷଣାନାମା କରିଛନ୍ତି । ଏହି ଘୋଷଣାନାମାରେ ସେମାନେ ଦର୍ଶାଇଛନ୍ତି ଯେ, ଆମକୁ ଗୋଟେ କଥା କହି ଦସ୍ତଖତ ନେଇ ତାହାକୁ ଏମ.ବି.କେ ନିଯୁକ୍ତି ପାଇଁ ବେଆିନ ଭାବେ ବ୍ୟବହାର କରାଯାଉଛି ।
ଏଥିନେଇ ବ୍ଲକ ପ୍ରୋଜେକ୍ଟ ମ୍ୟାନେଜର, ଜିଲ୍ଲା ପ୍ରକଳ୍ପ ପରିଚାଳକଙ୍କ ନିକଟରେ ଅଭିଯୋଗ ପରେ କେତେକ ଚଂଚକତା ନେଇ ମୁଖ୍ୟମନ୍ତ୍ରୀ ଏବଂ ଯାଜପୁର ଜିଲ୍ଲାପାଳଙ୍କ ନିକଟରେ ଗତ ସପ୍ତାହରେ ଅଭିଯୋଗ ହୋଇଥିଲା । ହେଲେ ଦଃୁର୍ଭାଗ୍ୟର କଥା ଯେ, ଯେଉଁ ବ୍ଲକ ଅଧିକାରୀଙ୍କ ବିରୋଧରେ ଅଭିଯୋଗ, ସେହି ଅଧିକାରୀଙ୍କ ନିକଟକୁ ଏହି ତଦନ୍ତ ଦାୟୀତ୍ୱ ପ୍ରଦାନ କରାଗଲା । ଫଳରେ ଏହି ତଦନ୍ତର କୌଣସି ସୁଫଳ ମିଳିବ ନାହିଁ ବୋଲି ଅଭିଯୋଗକାରୀ ରଶ୍ମିତା ସାହୁଙ୍କ ସମେତ ଅନ୍ୟ କେତେକ ସି.ଆର.ପି ଆଜି ଲିଖିତ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗରେ ଆହୁରି ଦର୍ଶାଯାଇଛି ଯେ, ଆମ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତି ସିଂ ରାଠୋର ଜଣେ ନିଷ୍ଠାପର ଓ ଦକ୍ଷ ପ୍ରଶାସକ । ଓଡିଶା ଜୀବିକା ମିଶନ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ । ଜିଲ୍ଲାପାଳ ମଧ୍ୟ ଏହାର ଜିଲ୍ଲା ସ୍ତରରେ ନିର୍ଦ୍ଦେଶକ । ତେଣୁ ତୁରନ୍ତ ମାନ୍ୟବର ଜିଲ୍ଲାପାଳଙ୍କ ଦ୍ୱାରା ଏହାର ତଦନ୍ତ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ନଚେତ ଏ କ୍ଷେତ୍ରରେ ବେଆଇନ ନିଯୁକ୍ତି କରାଇ ଦିଆଯିବ । ଏଥିନେଇ ସପ୍ତାହକ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ବାଧ୍ୟ ହୋଇ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ସହ ମାନ୍ୟବର ହାଇକୋର୍ଟ ଏବଂ ଲୋକପାଳଙ୍କ ଦ୍ୱାରସ୍ଥ ହେବୁ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା ପାଇଁ ଅନୁମତି ପ୍ରଦାନ ପାଇଁ ମଧ୍ୟ ଏହି ଅଭିଯୋଗ ପତ୍ରରେ ଅନୁରୋଧ କରାଯାଇଛି । ପ୍ରକାଶ ଥାଉ କି, ଜୀବିକା ମିଶନରେ ଚାଲିଥିବା ଯାବତୀୟ ଦୁର୍ନିତି ନେଇ କେତେକ ମହିଳା ଧର୍ମଶାଳା ବି.ଡି.ଓଙ୍କୁ ସାକ୍ଷାତ କରି ଅଭିଯୋଗ କରିବାର ୧୫ ଦିନ ବିତିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ।


