ଧର୍ମଶାଳରେ ମୁଖ୍ୟମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ ଧର୍ମଶାଳାର ବିକାଶ ରାସ୍ତା,ପୋଲ,ଗୋଷ୍ଠିକେନ୍ଦ୍ର ନିର୍ମାଣରେ ସିମୀତ, ମୌଳିକ ସମସ୍ୟାକୁ ଅଣଦେଖା ବିଧାୟକ ପ୍ରଣବଙ୍କ ଭାଷଣରେ ଯୁବକ ନିରାଶ
ଧର୍ମଶାଳରେ ମୁଖ୍ୟମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ ଧର୍ମଶାଳାର ବିକାଶ ରାସ୍ତା,ପୋଲ,ଗୋଷ୍ଠିକେନ୍ଦ୍ର ନିର୍ମାଣରେ ସିମୀତ, ମୌଳିକ ସମସ୍ୟାକୁ ଅଣଦେଖା ବିଧାୟକ ପ୍ରଣବଙ୍କ ଭାଷଣରେ ଯୁବକ ନିରାଶ
Manas Kumar Rout |
February 20, 2019 |

ଯାଜପୁର,/ରସୁଲପୁର,୧୯/୦୨ (ସନ୍ଧାନ ନିଉଜ/ ଜଗମୋହନ ରାଉତ) ଯାଜପୁର ଜିଲାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ତୋଫାନୀ ଗସ୍ତରେ ଆସି ଫେରି ଯାଇଛନ୍ତି । ଧର୍ମଶାଳାକୁ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ରାଜ୍ୟ ମହିଳା କଂଗ୍ରେସ ସାଧାରଣ ସଂପାଦିକା କୋତପୁର ଗ୍ରାମର ସ୍ମୃତିରେଖା ପହି ଓ ତାଙ୍କର ସମର୍ଥକମାନେ ମୁଖ୍ୟମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ କରିଥିଲେ । ମୁଖ୍ୟମନ୍ତ୍ରୀ ହାଏ ହାଏ ବୋଲି ସ୍ଲୋଗାନ ଦେଇଥିଲେ । ଏହା ଦେଖି ନିକଟରେ ଉପସ୍ଥିତ ଥିବା ଜଣେ ପୋଲିସ ବାବୁ ପତାକାକୁ ହାତେଇ ନେଇଥିଲେ । ମାତ୍ର ବିଜୁ ଯୁବଜନତା ଦଳର କର୍ମକର୍ତ୍ତାମାନେ ତାଙ୍କ ଉପରକୁ ଝାମ୍ପି ପଡିଥିଲେ । ମହିଳାଙ୍କୁ ଟଣାଓଟରା କରି ସଭା ବାହାରକୁ ନେଇ ଯାଇଥିଲେ । ଧର୍ମଶାଳା ପୋଲିସ ଉକ୍ତ ମହିଳା ଓ ତାର ଦୁଇଜଣ ସହଯୋଗୀଙ୍କୁ ଅଟକ ରଖି ପଚରା ଉଚୁରା କରି ଛାଡି ଦେଇଛି । ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ପ୍ରଭାବହୀନ ଭଳି ମନେ ହେଉଛି । ଏହାଛଡା ଧର୍ମଶାଳାର ବିକାଶ କେବଳ ରାସ୍ତାଘାଟ, ପୋଲ, ଗୋଷ୍ଠିକେନ୍ଦ୍ର ନିର୍ମାଣରେ ସମୀତ ରହିଛି । ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ବେକାରୀ ସମସ୍ୟା ଭଳି ମୌଳିକା ସମସ୍ୟାକୁ ଅଣଦେଖା କରାଯାଇଛି । ବ୍ଲକରେ ପାନୀୟଜଳ ସମସ୍ୟା ଜନସାଧାରଣଙ୍କ ପାଇଁ ବଡ ଚାଲେଞ୍ଜ ସୃଷ୍ଟି କରିଛି । ସେ ସବୁ ଦିଗରେ ଗୁରୁତ୍ୱ ଦିଆଯାଉନାହିଁ । କେବଳ ଗମନା ଗମନ ସୁବିଧା କରିବା ଦିଗରେ ଅଧିକ ପ୍ରାଧାନ୍ୟ ଦିଆଯାଉଛି । ଏଥିରେ ଦଲୀୟ କର୍ମୀମାନଙ୍କୁ ଅଧିକ ପିସି ମିଳିଯାଉଛି । ଧର୍ମଶାଳା ଅଂଚଳର ଲଘୁ ଖଣିଜ ଜାତ ସାମଗ୍ରୀକୁ ଉପଯୋଗକରି କଳିଙ୍ଗନଗର ଶିଳ୍ପାଂଚଳ ଗଢି ଉଠିଛି । ମାତ୍ର ଶିଳ୍ପ ସଂସ୍ଥାରେ ଧର୍ମଶାଳା ବେକାରୀ ଯୁବତୀଯୁବକଙ୍କ ନିଯୁକ୍ତି ହାର ନୈରାଶ୍ୟ ଜନକ ରହିଛି । ଏ ଦିଗରେ ବିଧାୟକ ବଳବନ୍ତରାୟଙ୍କ ଭୂମିକା ସନେ୍ଦହଜନକ ରହିଛି । ଏହାକୁ ନେଇ ବେକାରୀ ଯୁବତୀଯୁବକାମାନଙ୍କୁ ନିରାଶ କରିଛି । ଏହାଛଡା ଆଜିର ବିକାଶ ସମାବେଶରେ କେତକେ ବ୍ୟତିକ୍ରମ ଘଟିଥିବାର ପରିଲକ୍ଷିତ ହୋଇଛି ।
ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଜାରକା ମହୋତ୍ସବ ପଡିଆରେ ଆୟୋଜିତ ବିକାଶ ସମାବେଶରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟାନୟକ ଅପରାହ୍ନ ୧ଘଂଟା ୬ମିନିଟରେ ମଂଚରେ ପହଁଚିଥିଲେ । ମଂଚରେ ମାତ୍ର ୨୧ ମିନିଟ୍ ପାଇଁ ରହିଥିଲେ । ଏହି ଅବସରେ ସେ ତାଙ୍କର ଭାଷଣକୁ ମାତ୍ର ୩ମିନିଟ୍ରେ ସମୀତ ରଖିଥିଲେ । ଏଥି ପୂର୍ବରୁ ସଭାସ୍ଥଳରେ ଜିଲାର ପର୍ଯ୍ୟବେକ୍ଷକ ଦାଇତ୍ୱରେ ଥିବା ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା, ସରକାରୀ ଦଳର ମୁଖ୍ୟ ସଚେତକ ଅମର ପ୍ରସାଦ ସତପଥୀ, ଯାଜପୁର ଲୋକସଭା ସାଂସଦ ରୀତା ତରେଇ, ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେଇ, କୋରେଇ ବିଧାୟକ ଆକାଶ ଦାସନାୟକ, ଚଳଚିତ୍ର ନିଗମର ଅଧ୍ୟକ୍ଷ କୁନା ତ୍ରିପାଠୀ, ରାଜ୍ୟ ଯୁବ ବିଜୁ ଜନତାଦଳର ସଭାପତି ରମେଶ ପତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହାଛଡା ବିକାଶ ସମାବେଶରେ ଦେକାଦେଇଥିବା ବ୍ୟତିକ୍ରମ ସଂପର୍କରେ ଆଲୋକପାତ କଲେ ଜଣାଯାଏ ।
ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାଏଙ୍କ ବକ୍ତବ୍ୟରେ ଯୁବତୀଯୁବକ ହତାଶ
ପ୍ରତ୍ୟେକ କାର୍ଯ୍ୟକ୍ରମରେ ଯୁବକମାନଙ୍କୁ ଆଶାବାଡି କରି ସଫଳତା ଅର୍ଜନ କରୁଥିବା ଯୁବ ବିଧାୟକ ପ୍ରଣବ କୁମାର ବଳବନ୍ତରାଏଙ୍କ ବକ୍ତବ୍ୟରେ ବେକାରୀ ଯୁବତୀଯୁବକମାନେ ହତାଶା ହୋଇଛନ୍ତି । ସେ ସଭାରେ ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ପ୍ରଦାନ କରିଥିବା ଦ୍ରୁତ ବକ୍ତବ୍ୟ କେବଳ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା ପାଇଁ ଉଦିଷ୍ଟ ଥିଲା । ମାତ୍ର ବେକାର ଯୁବକ ଯୁବତୀମାନଙ୍କ ପାଇଁ କିଛି ଶୁଭ ବାର୍ତ୍ତା ନଥିଲା ।
ମନ୍ତ୍ରୀ, ମୁଖ୍ୟ ସଚେତକ, ସାଂସଦ, ବିଧାୟକଙ୍କୁ କହିବାକୁ ସୁଯୋଗ ମିଳିଲାନି
ମାତ୍ର ୨୧ ମିନିଟର ସଭା ପାଇଁ କର୍ମୀମାନଙ୍କୁ ୩ଘଂଟାରୁ ଉର୍ଦ୍ଧ ସମୟ ଅପେକ୍ଷା କରିବାକୁ ପଡିଥିଲା । ମଂଚରେ ଦଳୀୟ ପ୍ରଚାର ଉପରେ ଆଧାରିତ ନାଚ ଗୀତ ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଇଥିଲା । ଏପରିକି ଜିଲାପରିଷଦ ସଦସ୍ୟାସଦସ୍ୟମାନଙ୍କୁ ଭାଷଣର ସୁଯୋଗ ମିଳିଥିଲା । ହେଲେ ମନ୍ତ୍ରୀ ଅଶୋକ ପଣ୍ଡା, ମୁଖ୍ୟସଚେତକ ଅମର ପ୍ରସାସ ସତପଥୀ, ସାଂସଦ ରୀତା ତରାଇ, ସୁକିନ୍ଦା ବିଧାୟକ ପ୍ରୀତିରଂଜନ ଘଡେଇ ପ୍ରମୁଖଙ୍କୁ ଭାଷଣ ଦେବାର ସୁଯୋଗ ମିଳିନଥିଲା । ମୁଖ୍ୟମନ୍ତ୍ରୀ ଆସିବା ପୂର୍ବରୁ କେବଳ କୋରେଇ ବିଧାୟକ ଆକାଶ ଦାସନାୟକ ଭାଷଣ ଦେଇପାରିଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ସଭାରେ ଦାଗି ପୋଲିସ ଅଧିକାରୀ
ଟମକା ଥାନା ଏଏସଆଇ ବିଜୟ ଦାସଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସଭାରେ ଦେଖିବାକୁ ମିଳିଥିଲା । ସେ ଏକ ମାମଲାକୁ ରଫାଦଫା କରିବାକୁ ୫ହଜାର ଟଙ୍କା ଲାଂଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଥିଲେ । ଏହି କାରଣରୁ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି । ମାତ୍ର ସେ ଆଜିର ସଭାରେ ଖୋଲାଖୋଲି ଭାବରେ ବୁଲୁଥିବାର ଦେଖିବାକୁ ମିଳିଥିଲା ।

କଳାକାର ନେତାଙ୍କୁ ନେଇ ଚଳଚିତ୍ର ନିର୍ମାଣ ହେବ
ମୁଖ୍ୟମନ୍ତ୍ରୀ ପହଁଚିବା ପୂର୍ବରୁ ଚଳଚିତ୍ର ନିଗମର ଅଧ୍ୟକ୍ଷ ଶ୍ରୀ ତ୍ରୀପାଠିଙ୍କୁ ମଂଚ ପରିଚାଳନା ଦାଇତ୍ୱ ଦିଆଯାଇଥିଲା । କଳାକାର ଭାବରେ ତାଙ୍କର ଦକ୍ଷତା ରହିଛି । ସେ କର୍ମୀମାନଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇ ପାରିବେ । ମାତ୍ର ସେ ତାଙ୍କ ଭାଷଣରେ ଅତ୍ୟନ୍ତ ଉତ୍ସାହିତ ହୋଇ ଦଳରେ ବହୁ କଳାକାର ଅଛନ୍ତି । ସେମାନଙ୍କୁ ନେଇ ଚଳିଚିତ୍ର ପ୍ରସ୍ତୁତ କରିବା ଭଳି ରୋଚକ ମନ୍ତବ୍ୟ ଦେଇଥିଲେ । ଜିଲାପରିଷଦ ସଭ୍ୟା ସୁରେଖା ନାୟକ ତାଙ୍କର ଭାଷଣ ସଂଙ୍ଗୀତ ମାଧ୍ୟମରେ ପ୍ରଦାନ କରିଥିଲେ । ଏହାକୁ ଲକ୍ଷ୍ୟକରି ଶ୍ରୀ ତ୍ରୀପାଠି ଏଣଳି ମନ୍ତବ୍ୟ ଦେଇଥିଲେ ।
ଶତକଡା ୮୦ଭାଗ ମହିଳା କର୍ମୀ
ଆଜି ସଭାରେ ମୋଟ କର୍ମୀମାନଙ୍କ ଉପସ୍ଥାନର ଶତକଡା ୮୦ଭାଗ ମହିଳା ଥିଲେ । ସ୍ୱୟଂସହାୟିକା ଗୋଷ୍ଠିର ମହିଳାମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ସଭା ମଂଚକୁ ଅଣାଯାଇଛି ବୋଲି ବିରୋଧୀମାନେ ଅଭିଯୋଗ କରୁଛନ୍ତି । ଏ ସଂପର୍କରେ ସମାବେଶକୁ ଆସିଥିବା ମହିଳାମାନଙ୍କର ମତ ନେବାରୁ ଜଣାଯାଏ ଯେ ଅଙ୍ଗନୱାଡି ଦିଦି ଓ ତାଙ୍କ ଅଂଚଳର ଲୋକେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଯିବାକୁ କହିଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କ ପାଇଁ ନାନା ଯୋଜନା କରୁଛନ୍ତି । ନଗଲେ ସେଗୁଡିକ ବନ୍ଦ କରିଦିଆଯିବ ବୋଲି କହିଥିଲେ ।

ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କ ନେତୃତ୍ୱରେ ଆସିଲେ ମହିଳା
ୟୁନିଫର୍ମ ପିନ୍ଧା ଅଙ୍ଗନୱାଡି କର୍ମୀ ଓ ସହାୟିକାମାନଙ୍କୁ ସଭାସ୍ଥଳରେ ଦେଖିବାକୁ ମିଳିଥିଲା । ମହିଳାମାନଙ୍କୁ ସଭାସ୍ଥଳକୁ ଆଣିବା ପାଇଁ ସେମାନଙ୍କୁ ଦାଇତ୍ୱ ଦିଆଯାଇଥିଲା । ଏ ସଂପର୍କରେ ମହିଶରା ପଂଚାୟତ ଅଙ୍ଗନୱାଡି କର୍ମୀ ରମା ବେହେରାଙ୍କୁ ପଚାରିବାରୁ ସେ ସଭାକୁ ଆସିଛନ୍ତି ବୋଲି କହିଥିଲେ । ସଭା ପାଇଁ କାର୍ଯ୍ୟ ଦିବସରେ ବି କେନ୍ଦ୍ରକୁ ବନ୍ଦ କରି ଦିଆଯାଇଛି ।
ଅଣ ଭୋଟରଙ୍କ ହାତରେ ଦଳୀୟ ପତାକା
ସଭାସ୍ଥଳରେ ଅଣଭୋଟରମାନଙ୍କୁ ଦେଖିବାକୁ ମିଳିଥିଲା । କମ୍ ବୟସର ବାଳକମାନଙ୍କ ହାତରେ ଦଳୀୟ ପତାକା ଥିଲା । ସେମାନେ ସଭାର ଚୌକି ବି ମାଡି ବସିଥିଲେ । ସଭାପାଇଁ ବାଳିକାବାଳକମାନେ ଶିକ୍ଷାକେନ୍ଦ୍ରକୁ ନଯାଇ ସଭାକୁ ଆସିଥିଲେ ।
ରାଜପଥକୁ ମାଡି ବସିଲା କର୍ମୀମାନଙ୍କ ଗାଡି ମଟର
ବିକାଶ ସମାବେଶ ୧୬ନଂ ଜାତୀୟ ରାଜପଥ ପାଶ୍ୱର୍ରେ ଆୟୋଜନ ହୋଇଥିଲା । କର୍ମୀମାନଙ୍କୁ ସଭା ସ୍ଥଳକୁ ଆଣିବାରେ ବ୍ୟବହୃତ ଗାଡିମଟର ଗୁଡିକୁ ରଖିବା ପାଇଁ ସ୍ଥାନ ନଥିଲା । ଛଅ ଚକିଆ ଓ ୪ଚକିଆ ଗାଡିଗୁଡିକ ରାଜପଥ ଉପରେ ଥୁଆହୋଇଥିଲା । ଫଳରେ ଯାତାୟତରେ ବାଧା ଉପୁଯିଥିଲା । ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ପୋଲିସକୁ ନାକେଦମ୍ ହେବାକୁ ପଡିଥିଲା ।
ଏହିଭଳି ଭାବରେ ନାନା ବ୍ୟତିକ୍ରମ ଦେଖାଦେଇଥିବା ବିକାଶ ସାମବେଶ ମଂଚରୁ ପ୍ରକଳ୍ପଗୁଡିକୁ ଉଦ୍ଘଟନ କରାଯାଇଥିଲା । ଏହି ଅବସରରେ ୩୧୮ଟି ପ୍ରକଳ୍ପ ଉଦ୍ ଘାଟନ ହୋଇଥିଲା । ସେଥିମଧ୍ୟରୁ ୨୬୩ଟି ପ୍ରକଳ୍ପ ଆମ ଗାଁ ଆମ ବିକାଶ ଅନୁଦାନରେ ସମ୍ପନ୍ନ ହୋଇଛି ବୋଲି ସ୍ଥାନୀୟ ବିଧାୟକ ସୂଚନା ଦେଇଥିଲେ ।
କଳାପତାକା ପ୍ରଦର୍ଶନ ସଂପର୍କରେ ରାଜ୍ୟ କଂଗ୍ରେସ ସଂପାଦିକା ପହିଙ୍କୁ ପଚାରିବାରୁ ନବୀନ ସରକାର ନାରୀମାନଙ୍କୁ ସୁରକ୍ଷା ପ୍ରଦାନ କରିବାରେ ବିଫଳ ହୋଇଛନ୍ତି । ମାତ୍ର ସରକାର ନାରୀମାନଙ୍କୁ ନେଇ ସମାବେଶକୁ ସଫଳ କରାଉଛନ୍ତି । ଏହାଛଡା ଧର୍ମଶାଳାର ବିଧାୟକ ଜମି, ଖଣି, ଚିଟଫଣ୍ଡ ଦୁର୍ନୀତିରେ ସାମିଲ ଅଛନ୍ତି । ହେଲେ ତାକୁ ସହଯୋଗ କରି ନବୀନ ବାବୁ ଏହି ନିର୍ବାଚନ ମଣ୍ଡଳିରେ ଅରାଜକତା ସୃଷ୍ଟି କରୁଛନ୍ତି । ଗରୀବ, ଦଳିତ, ମହିଳାମାନଙ୍କୁ ସୁରକ୍ଷା ମିଳୁନି । ଏହାକୁ ବିରୋଧ କରି ସେ କଳାପାତାକା ପ୍ରଦର୍ଶନ କରିଥିଲେ । ପୋଲିସ ତାଙ୍କୁ କାବୁ କରି ଥାନାକୁ ଆଣି ବେଲବଣ୍ଡରେ ଛାଡି ଦେଇଛି । ମାତ୍ର ବିଜେଡିର ଗୁଣ୍ଡାମାନେ ତାଙ୍କ ପ୍ରତି ଅସଦାଚରଣ ପ୍ରଦଦର୍ଶନ କରିଛନ୍ତି । ତାଙ୍କୁ ଟଣାଓଟରା କରିଛନ୍ତି । ଏ ହେଉଛି ନବୀନ ବାବୁଙ୍କ ଗାଁକୁ କାମ ଓ ମାକୁ ସମ୍ମାନର ଜ୍ୱଳନ୍ତ ପ୍ରମାଣ ବୋଲି ମତ ରଖିଛନ୍ତି ।
Related Posts
About The Author