ଚିତ୍ରଡ଼ା, ୧୭.୦୧.୨୦୨୧(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):- ଅଭିନବ ଉପାୟରେ ଲୋକଙ୍କୁ ବୋକା ବନାଉଛି ସଂସ୍ଥା । ନିଜକୁ ସରକାରୀ କାର୍ଯ୍ୟାଳୟରୁ ଆସିଥିବା ଦର୍ଶାଇ ବିଭିନ୍ନ ସରକାରୀ ଯୋଜନାର ଷ୍ଟିକର ଘର ଆଗରେ ଲଗାଇବା ଓ ଯୋଜନାର ଲାଭ ଦେବାକୁ ପ୍ରଲୋଭନ ଦେଖାଇ ନିରୀହ ଆଦିବାସୀ ଏବଂ ଖଟିଖିଆ ଦିନ ମଜୁରିଆଙ୍କୁ ନିଜ ଜାଲରେ ଛନ୍ଦୁଛି । ଗତ କିଛିଦିନ ହେବ ଉକ୍ତ ସଂସ୍ଥାର ଜଣେ ଅଣଓଡ଼ିଆ ବ୍ୟକ୍ତି ମୋରଡ଼ା ବ୍ଲକ୍ର ବିଭିନ୍ନ ଗ୍ରାମକୁ ଯାଉଛନ୍ତି ଏବଂ ବ୍ଲକ୍ ସିଡିପିଓଙ୍କ କାର୍ଯ୍ୟାଳୟର ଏକ ଚିଠି ଦେଖାଇ ପ୍ରତ୍ୟେକ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ଆଧାର କାର୍ଡ ପିଛା ୨୦ ଟଙ୍କା ଲେଖାଏଁ ଆଦାୟ କରୁଛି। ୨୦ ଟଙ୍କାର ରସିଦ ମଧ୍ୟ ପ୍ରଦାନ କରୁଛି। ସ୍ଵଚ୍ଛ ଗାଁ ନିର୍ମଳ ଗାଁ, ଝିଅ ପଢ଼ାରୁ-ଝିଅ ବଢ଼ାନ୍ତୁ, ଝିଅ ବୋହୁ ବାହାରକୁ ନଯାଆନ୍ତୁ-ଘରେ ଘରେ ଶୌଚାଳୟ କରନ୍ତୁ ; ଏମିତି ଲେଖାଥିବା ଗୋଟିଏ ଲାଖାଏଁ ଛୋଟ ଟିଣ ଷ୍ଟିକର ପ୍ରତି ପରିବାରକୁ ଦେଇ ଆଧାର କାର୍ଡ ପିଛା ପ୍ରତି ଲୋକଙ୍କଠାରୁ ୨୦ ଟଙ୍କା ଆଦାୟ କରୁଛନ୍ତି ଉକ୍ତ ବ୍ୟକ୍ତି । ଆଜି ଏହି ବ୍ୟକ୍ତି ଜଣକ ଘୋଳମୁଁହା ପଞ୍ଚାୟତର ଘୋଳମୁଁହା ଗ୍ରାମରେ ପହଞ୍ଚି ନିରୀହ ଆଦିବାସୀ ଲୋକଙ୍କୁ ଇଂରାଜୀରେ ଲେଖାଥିବା ସିଡିପିଓଙ୍କ କାର୍ଯ୍ୟାଳୟର ଚିଠି ଦେଖାଇ ଉକ୍ତ ଟିଣ ଷ୍ଟିକର ଘର ଆଗରେ ଲଗାଇବା ପାଇଁ ସରକାରୀ ନିର୍ଦ୍ଦେଶ ରହିଥିବାର କହିବା ସହ ଜଣପିଛା ୨୦ ଟଙ୍କା ଲେଖାଏଁ ଆଦାୟ କରୁଥିଲା । ତେବେ ଗ୍ରାମର କିଛି ଶିକ୍ଷିତ ଯୁବକ ତାକୁ ପଚରାଉଚରା କରିବା ସହ ଗଣମାଧ୍ୟମ ପ୍ରତିନିଧି ଏବଂ ବିଡିଓ ପ୍ରିୟବ୍ରତ ପାଢ଼ୀଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ । ଖବରପାଇ ଗଣମାଧ୍ୟମ ପ୍ରତିନିଧିମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ବିଡିଓ ଶ୍ରୀ ପାଢ଼ୀ ସିଡିପିଓଙ୍କୁ ଘଟଣାର ଯାଞ୍ଚ ପାଇଁ କହିଥିଲେ। ତେବେ ସିଡିପିଓ ଘଟଣାସ୍ଥଳକୁ ନଆସି ଫୋନ୍ଯୋଗେ ଉକ୍ତ ବ୍ୟକ୍ତିଙ୍କୁ ତାଗିଦ କରିଥିଲେ ଓ ଟଙ୍କା ଫେରସ୍ତ କରିବାକୁ କହିଥିଲେ। ଏ ସମ୍ପର୍କରେ ସିଡିପିଓଙ୍କୁ ଯୋଗାଯୋଗ କରିଥିଲେ ଆମ ପ୍ରତିନିଧି। ସିଡିପିଓ କହିଥିଲେ ଯେ ଉକ୍ତ ସଂସ୍ଥା ଘର ଘର ବୁଲି ଉକ୍ତ ଷ୍ଟିକର ଲଗାଇବା ଏଥିପାଇଁ ଘର ପିଛା ୨୦ ଟଙ୍କା ଲେଖାଏଁଲ ଦେବାକୁ ପଡିବ ଯଦି କେହି ନଲଗାଇବେ ତେବେ ତାଙ୍କୁ ଲଗାଇବାକୁ ବାଧ୍ୟ କରାଯିବ ନାହିଁ। ତେବେ ଆଧାର କାର୍ଡ଼ ପିଛା ୨୦ ଟଙ୍କା ଲେଖାଏଁ ଆଦାୟକରିବା ସମ୍ପୂର୍ଣ୍ଣ ବେଆଇନ। ତେଣୁ ଟଙ୍କା ଦେଇଥିବା ଲୋକଙ୍କୁ ଟଙ୍କା ଫେରସ୍ତ କରିବାକୁ ସେ ଉକ୍ତ ବ୍ୟକ୍ତିଙ୍କୁ ନିର୍ଦ୍ଦେଶ ଦେଇଥିବା କହିଥିଲେ । ତେବେ ପ୍ରଶ୍ନ ଉଠୁଛି, ଉକ୍ତ ସଂସ୍ଥା କେତେ ଲୋକଙ୍କୁ ଏମିତି ଭାବେ ଠକିଛି ଓ ଆଧାର କାର୍ଡ଼ ପ୍ରତି ୨୦ ଟଙ୍କା ଲେଖାଏଁ ଆଦାୟ କରିଛି । ଯଦି ଏମିତି କିଛି ବି କାର୍ଯ୍ୟକ୍ରମ ଚାଲୁହେଲା, ଏହା ପୂର୍ବରୁ ଲୋକଙ୍କୁ ଏବଂ ବିଭାଗୀୟ ଅଧିକାରୀ, ଓ କର୍ମଚାରୀଙ୍କୁ ଏ ସମ୍ପର୍କରେ ସୂଚନା ଦିଆଗିଲାନି କାହିଁକି। ତେଣୁ ଉକ୍ତ ସଂସ୍ଥା ଏମିତି କେତେ ଟଙ୍କା ଠକିଛି ସେ ନେଇ ତଦନ୍ତ ପାଇଁ ଦାବି ହେଉଛି।
ଧରାପଡ଼ିଲା ଠକସଂସ୍ଥାର କର୍ମଚାରୀ
|
January 17, 2021 |
![](https://sandhannews.com/wp-content/uploads/2021/01/SAN-1.jpg)